ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି: ୫ ହଜାର ଦଣ୍ଡନାଚ କଳାକାର, ଭତ୍ତା ପାଉଛନ୍ତି ୧୫

Advertisment
ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି: ୫ ହଜାର ଦଣ୍ଡନାଚ କଳାକାର, ଭତ୍ତା ପାଉଛନ୍ତି ୧୫

YouTube

ଅନୁଗୁଳ: ଓଡ଼ିଶାର ପାରମ୍ପରିକ ଲୋକନୃତ୍ୟଗୁଡ଼ିକ ମଧ୍ୟରୁ ଅନ୍ୟତମ ହେଉଛି ଦଣ୍ଡନାଚ। ଅନୁଗୁଳ ସମେତ ରାଜ୍ୟର ୧୨ଟି ଜିଲ୍ଲାର ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଠି ରହିଛନ୍ତି ଦଣ୍ଡନାଚ କଳାକାର। ଅନୁଗୁଳ ଜିଲ୍ଲାରେ କେବଳ ୫ ହଜାର ପାଖାପାଖି ଦଣ୍ଡନାଚ କଳାକାର ଥିବା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୧୫ ଜଣଙ୍କୁ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ମାସିକ ସହାୟତା ରାଶି ମିଳୁଛି। କେବଳ ଅନୁଗୁଳ ନୁହେଁ, ଅନ୍ୟ ଜିଲ୍ଲାର ବି ଏଭଳି ସ୍ଥିତି ରହିଛି।

ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁଁ ଗରିବ କଳାକାରମାନେ ସହାୟତା ରାଶି ପାଇବାରୁ ବଂଚିତ ହେଉଛନ୍ତି। ରାଜ୍ୟ ସରକାରଙ୍କ ଦୁସ୍ଥ କଳାକାର ସହାୟତା ଯୋଜନାରେ ସହାୟତା ରାଶି ପାଇବା ପାଇଁ ୨୦୧୪ ମସିହାରେ ବିଜ୍ଞାପ୍ତି ପ୍ରକାଶ ପାଇଥିଲା। ରାଜ୍ୟର ବିଭିନ୍ନ ବର୍ଗର ଗରିବ କଳାକାର ଏଥିପାଇଁ ଆବେଦନ କରିଥିଲେ। ମାତ୍ର ଫାଇଲ ନାଲିଫିତା ତଳେ ଚାପି ହୋଇରହିଗଲା। ୨୦୧୮ ମସିହାରେ ସରକାର ଏହି ଯୋଜନାର ନାମ ପରିବର୍ତ୍ତନ କରି 'ମୁଖ୍ୟମନ୍ତ୍ରୀ କଳକାର ସହାୟତା ଯୋଜନା' ରଖିବା ସହିତ ମାସିକ ସହାୟତା ରାଶି ମଧ୍ୟ ୧୨୦୦ ଟଙ୍କାକୁ ବୃଦ୍ଧି କରିଥ‌ିଲେ। ବୟସ ସୀମା ପୂର୍ବାପେକ୍ଷା ୧୦ ବର୍ଷା ଲେଖାଏଁ ହ୍ରାସ କରାଯାଇ ପୁରୁଷ ଓ ମହିଳା କଳାକାରଙ୍କ ପାଇଁ ଯଥାକ୍ରମେ ୫୦ ଓ ୪୦ ବର୍ଷ ବୟସ କରାଗଲା। ବାର୍ଷିକ ଆୟ ଗ୍ରାମାଂଚଳର କଳାକାରଙ୍କ ପାଇଁ ୫୦ ହଜାର ଓ ସହରାଂଚଳ ନିମନ୍ତେ ୬୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଛି। ସରକାର ୨୦୧୮ ମସିହାରେ ସହାୟତା ରାଶି ପାଇଁ ବିଜ୍ଞପ୍ତି ପ୍ରକାଶ ପରେ ଅନୁଗୁୁଳ ଜିଲ୍ଲାରୁ କେବଳ ବିଭିନ୍ନ ବର୍ଗର ୭ ହଜାର ଜଣ କଳାକାର ଆବେଦନ କରିଥ‌ିଲେ। ୨୦୧୪ ମସିହାର ଆବେଦନ ମିଶାଇବା ପରେ ଏହି ସଂଖ୍ୟା ୧୦ ହଜାର ଟପିଗଲା।

ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଲକ୍ଷ୍ୟ ଅନୁସାରେ, ଜିଲ୍ଲାସ୍ତରୀୟ ଚୟନ କମିଟି ମାତ୍ର ୧୩୯୫ ଜଣ କଳାକାରଙ୍କୁ ସହାୟତା ରାଶି ଦେବା ପାଇଁ ଚୟନ କରିଥିଲେ। ନିର୍ଦ୍ଦିଷ୍ଟ ସଂଖ୍ୟକ ହିତାଧିକାରୀ ବାଛିବାବେଳେ ଚୟନ କମିଟି ଆବେଦନକାରୀଙ୍କ ମଧ୍ୟରୁ ଯେଉଁମାନଙ୍କ ଅଧିକ ବୟସ ଅଛି, ସେମାନଙ୍କୁ ବାଛିଥିଲେ। ୬୭ ବର୍ଷ କିମ୍ବା ଏଥିରୁ ଅଧିକ ବୟସର କଳାକାରମାନେ କେବଳ ‌ଏହି ତାଲିକାରେ ସ୍ଥାନ ପାଇଥିଲେ। ଏଭଳି ସ୍ଥିତିରେ ବହୁ ଯୋଗ୍ୟ ହିତାଧିକାରୀ ବଂଚିତ ହୋଇ ରହିଗଲେ। ତେବେ ଚୟନ ପ୍ରକ୍ରିୟାର ତ୍ରୁଟି ଯୋଗୁଁ ତାଲିକାରେ ବହୁ କଳକାରଙ୍କ ନାମ ଦୁଇ ଥର ଲେଖାଏଁ ସ୍ଥାନ ପାଇବା, ଇତିମଧ୍ୟରେ କେତେକ ହିତାଧିକାରୀଙ୍କ ମୃତ୍ୟୁ ହେବା ଆଦି କାରଣରୁ ଏହି ସଂଖ୍ୟା ଏବେ ୧୨୦୭କୁ ଖସି ଆସିଛି। ବିଧାନସଭାର ଗତ ଅଧିବେଶନରେ ଆଠମଲ୍ଲିକ ବିଧାୟକ ରମେଶ ସାଏ ଅନୁଗୁଳ ଜିଲ୍ଲାର କେତେ ଜଣ ଦଣ୍ଡନାଚ କଳାକାରଙ୍କୁ ଭତ୍ତା(ସହାୟତା ରାଶି) ମିଳୁଛି ବୋଲି ପ୍ରଶ୍ନ କରିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଅନୁଗୁଳ ଜିଲ୍ଲାର ମାତ୍ର ୧୫ ଜଣ ଦଣ୍ଡନାଚ କଳାକାରଙ୍କୁ ସହାୟତା ରାଶି ମିଳୁଥିବା ନେଇ ସୂଚନା ଦେଇଥିଲେ। ଉତ୍କଳୀୟ ଦଣ୍ଡ ସଂସ୍କୃତି ସମାଜ ମଂଗଳ ସଂଘର ଅନୁଗୁଳ ଜିଲ୍ଲା ସଭାପତି ହରମୋହନ ସାହୁଙ୍କ ସୂଚନା ଅନୁସାରେ, ୧୦୪ଟି ଦଣ୍ଡନାଚ ଦଳ ସଂଘର ସଭ୍ୟ ଥିବା ବେଳେ ଜିଲ୍ଲାରେ ୫ ହଜାର ପାଖାପାଖି ଦଣ୍ଡନାଚ କଳାକାର ରହିଛନ୍ତି। ସେହିଭଳି, ଜଣାଶୁଣା ଦଣ୍ଡନାଚ ଗୁରୁ ତ୍ରିପୁର ଜେନାଙ୍କ କହିଛନ୍ତି ଯେ, ' ଏହି ଯୋଜନାର ସହାୟତା ରାଶି ପାଇବା ପାଇଁ ସରକାର ଯେଉଁ ମାପଦଣ୍ଡ ରଖିଛନ୍ତି, ସେସବୁ ପୂରଣ କରୁଥିବା ସମସ୍ତ ଯୋଗ୍ୟ ହିତାଧିକାରୀମାନଙ୍କୁ ଚୟନ କଲେ ରାଜ୍ୟର ବହୁ ଗରିବ କଳାକାର ଉପକୃତ ହୋଇପାରନ୍ତେ।'

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe