ରତ୍ନଭଣ୍ଡାରର ଜିପିଆର୍‌ ସର୍ଭେ ଆରମ୍ଭ: ମିଳିବ ୩୩ ଫୁଟ୍‌ ତଳର ତଥ୍ୟ

ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାନ (ଏଏସ୍‌ଆଇ), କେନ୍ଦ୍ର ସରକାରଙ୍କ ସିଏସ୍‌ଆଇଆର୍‌ ଅନୁବନ୍ଧିତ ନ୍ୟାସନାଲ୍‌ ଜିଓଫିଜିକାଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁସନ୍‌ (ଏନ୍‌ଜିଆର୍‌ଆଇ)ର ବୈଜ୍ଞାନିକମାନଙ୍କୁ ନେଇ ଗଠିତ ୧୬ଜଣିଆ ବୈଷୟିକ ଦଳ ଏହି ସର୍ଭେ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

gdjdgjgdgjgjy

ପୁରୀ: ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଅନ୍ୟ କିଛି ଭଣ୍ଡାର କିମ୍ବା ସୁଡ଼ଙ୍ଗ ଅଛି କି ନାହିଁ, ଜାଣିବା ପାଇଁ ଆଜିଠାରୁ ଆରମ୍ଭ ହୋଇଛି ଜିପିଆର୍‌ ସର୍ଭେ। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥାନ (ଏଏସ୍‌ଆଇ), କେନ୍ଦ୍ର ସରକାରଙ୍କ ସିଏସ୍‌ଆଇଆର୍‌ ଅନୁବନ୍ଧିତ ନ୍ୟାସନାଲ୍‌ ଜିଓଫିଜିକାଲ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁସନ୍‌ (ଏନ୍‌ଜିଆର୍‌ଆଇ)ର ବୈଜ୍ଞାନିକମାନଙ୍କୁ ନେଇ ଗଠିତ ୧୬ଜଣିଆ ବୈଷୟିକ ଦଳ ଏହି ସର୍ଭେ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ତିନିଦିନ ଧରି ପ୍ରତ୍ୟହ ଅପରାହ୍ଣ ୨ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ସର୍ଭେ କାର୍ଯ୍ୟ ଚାଲିବ। ଯେହେତୁ ଆସନ୍ତା ୨୪ ତାରିଖ ବିଳମ୍ବିତ ରାତିରୁ ଶ୍ରୀମନ୍ଦିରରେ ଷୋଳପୂଜା ଆରମ୍ଭ ହେବାକୁ ଯାଉଛି, ୨୩ ତାରିଖ ସୁଦ୍ଧା ଏହି ବୈଷୟିକ ଅନୁସନ୍ଧାନ ଶେଷ ହେବ। ସବିଶେଷ ରିପୋର୍ଟ ହସ୍ତଗତ ହେବା ପରେ ଆବଶ୍ୟକ ମରାମତି ଓ ଅଳଙ୍କାର ଗଣତିମଣତି ପ୍ରକ୍ରିୟା ଆରମ୍ଭ ହେବ ବୋଲି ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ୍‌ ବିଶ୍ବନାଥ ରଥ କହିଛନ୍ତି। ତେବେ କେବେଠୁ ମରାମତି ଓ ଗଣତିମଣତି ଆରମ୍ଭ ହେବ, ସେ ସମ୍ପର୍କରେ ଜଷ୍ଟିସ୍‌ ରଥ ସ୍ପଷ୍ଟ କରିନାହାନ୍ତି। 

୧୬ଜଣିଆ ବୈଷୟିକ ଦଳର ଅନୁସନ୍ଧାନ
ତିନିଦିନ ଚାଲିବ ଯାଞ୍ଚ, ୧୦ ଦିନରେ ରିପୋର୍ଟ

ଆଜି ରତ୍ନଭଣ୍ଡାର ଯାଞ୍ଚ କମିଟି ସହ ଆଲୋଚନା ପରେ ଜିପିଆର୍‌ ସର୍ଭେ ପାଇଁ ନିୟୋଜିତ ୧୬ଜଣିଆ କମିଟି ରତ୍ନଭଣ୍ଡାର ଭିତରେ ପ୍ରବେଶ କରିଥିଲେ। ଏଏସ୍‌ଆଇ ଓ ଏନ୍‌ଜିଆର୍‌ଆଇର ମୁଖ୍ୟ ଡ.ଆନନ୍ଦ ପାଣ୍ଡେଙ୍କ ସମେତ ୪ଜଣ ବୈଜ୍ଞାନିକଙ୍କୁ ମିଶାଇ ଗଠିତ ଏହି କମିଟି ଜିପିଆର୍‌ (ଗ୍ରାଉଣ୍ଡ ପେନିଟ୍ରେଟିଂ ରାଡାର୍‌) ମେସିନ୍‌ ସହ ଅପରାହ୍ଣ ପ୍ରାୟ ୨ଟାରେ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ପ୍ରବେଶ କରିଥିଲେ। ଏହି ସମୟରେ ଜଷ୍ଟିସ୍‌ ରଥ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଉପସ୍ଥିତ ଥିଲେ। ବୈଷୟିକ କମିଟି ରତ୍ନଭଣ୍ଡାରର ଚଟାଣ, କାନ୍ଥ ଆଦି ଟିକିନିଖି ଦେଖିବେ। ରିପୋର୍ଟ ହସ୍ତଗତ ହେବା ପରେ ଏହାର ତର୍ଜମା କରାଯିବ ଓ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜଷ୍ଟିସ୍‌ ରଥ କହିଛନ୍ତି। ଏନ୍‌ଜିଆର୍‌ଆଇ ମୁଖ୍ୟ ଡ.ପାଣ୍ଡେ କହିଛନ୍ତି, ରତ୍ନଭଣ୍ଡାର ଜିପିଆର୍‌ ସର୍ଭେ ପାଇଁ ତିନିଟି ଅତ୍ୟାଧୁନିକ ରାଡାର୍‌ ଓ ଗୋଟିଏ କାର୍ଡ ବ୍ୟବହାର କରାଯାଉଛି। ରାଡାର୍‌ ଜରିଆରେ ଆମେ ୧୦ ମିଟର (ପ୍ରାୟ ୩୩ ଫୁଟ୍‌) ପର୍ଯ୍ୟନ୍ତ ମାଟି ତଳେ କ’ଣ ରହିଛି ଜାଣିପାରିବୁ। ରାଡାର୍‌ ଆଣ୍ଟିନାରେ ସଂଯୋଗ ହୋଇଥିବା ତାର ଜରିଆରେ କଣ୍ଟ୍ରୋଲ ୟୁନିଟ୍‌କୁ ସୂଚନା(ଟ୍ରାନ୍ସମିସନ୍‌) ଦେବ। ସେହି ଅନୁସାରେ କଣ୍ଟ୍ରୋଲ ୟୁନିଟ୍‌ ତଥ୍ୟ ଗ୍ରହଣ (ରିସିଭ୍‌) କରିବ। ଫଳରେ ଆମେ ରତ୍ନଭଣ୍ଡାର ଚଟାଣ ତଳେ ଓ କାନ୍ଥ ଭିତରେ କ’ଣ ଅଛି ଜାଣିପାରିବୁ। ରିପୋର୍ଟ ପ୍ରସ୍ତୁତ କରିବାକୁ ଆମକୁ ପ୍ରାୟ ୧୦ ଦିନ ଲାଗିବ। 

ଶ୍ରୀମନ୍ଦିର ପ୍ରଶାସନର ସୂଚନା ମୁତାବକ, ଆସନ୍ତା ସେପଟେମ୍ବର ୨୪ ତାରିଖ ସୁଦ୍ଧା ରତ୍ନଭଣ୍ଡାରର ବାକି ଥିବା ବୈଷୟିକ ସର୍ଭେ ଶେଷ କରିବାକୁ ଏଏସ୍‌ଆଇ ମହାନିର୍ଦ୍ଦେଶକଙ୍କୁ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ଅନୁରୋଧ କରିଛନ୍ତି। ଆଜିର ସର୍ଭେ ପାଇଁ ରାତି ୨ଟା୩୫ରୁ ଦ୍ବାରଫିଟା ନୀତି ଅନୁଷ୍ଠିତ ହୋଇଥିଲା। ବିଶେଷ ନୀତି ନିର୍ଘଣ୍ଟ ଅନୁସାରେ ଆଜି ଅପରାହ୍ଣ ୧ଟାରୁ ନିରୀକ୍ଷଣ ଶେଷ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଥିଲା। କିନ୍ତୁ ମହାପ୍ରସାଦ କ୍ରୟ ଓ ବିକ୍ରୟ ସ୍ବାଭାବିକ ରହିଥିଲା। ସୂଚନାଯୋଗ୍ୟ, ଗତ ୧୮ ତାରିଖରେ ଜିପିଆର୍‌ ସର୍ଭେ କରିବାକୁ ସ୍ଥିର ହୋଇଥିଲେ ବି ଏହା ଅସମ୍ପୂର୍ଣ୍ଣ ରହିଥିଲା। ଏନ୍‌ଜିଆର୍‌ଆଇ ପକ୍ଷରୁ ଜିପିଆର୍‌ ମେସିନ୍‌ ଆସିବା ପରେ ଆଜିଠାରୁ ସର୍ଭେ ଆରମ୍ଭ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe