ପୃଥିବୀ ସହ ଧକ୍କା ହେବାକୁ ଥିବା ୨ହଜାର ପିଣ୍ଡ ଠାବ ହେଲାଣି

Advertisment

ଗତିବିଧି ଉପରେ ରହିଛି ନଜର, କିଛି ବର୍ଷ ମଧ୍ୟରେ କୌଣସି ବିପତ୍ତି ନାହିଁ

ଗତିବିଧି ଉପରେ ରହିଛି ନଜର, କିଛି ବର୍ଷ ମଧ୍ୟରେ କୌଣସି ବିପତ୍ତି ନାହିଁ

ପୃଥିବୀ ସହ ଧକ୍କା ହେବାକୁ ଥିବା ୨ହଜାର ପିଣ୍ଡ ଠାବ ହେଲାଣି

ଭୁବନେଶ୍ବର : କିଛି ଦିନ ତଳେ ଏକ ଉତ୍ତପ୍ତ ପିଣ୍ଡ ପୃଥିବୀ ସହ ଧକ୍କା ହେବ ବୋଲି ଗୁଜବ ସୃଷ୍ଟି ହୋଇଥିଲା। ତେବେ ଏହାର କୌଣସି ବୈଜ୍ଞାନିକ ପ୍ରମାଣ ନଥିଲା। ଏହା ସତ ଯେ ଏଭଳି କିଛି ପିଣ୍ଡ ପୃଥିବୀ ସହ ଧକ୍କା ହୋଇନାହିଁ। ମାତ୍ର ପୃଥିବୀ ସହ ଧକ୍କା ହେବାର ସମ୍ଭାବନା ଥିବା ୨ ହଜାର ପିଣ୍ଡ ବା ଗ୍ରହାଣୁ ଠାବ କରାଗଲାଣି। ଏଥିସହ ସେଗୁଡ଼ିକର ଗତିବିଧି ଉପରେ ନଜର ରଖାଯାଇଛି। ତେବେ ଆସନ୍ତା କିଛି ବର୍ଷ ମଧ୍ୟରେ କୌଣସି ପିଣ୍ଡ ଦ୍ବାରା ପୃଥିବୀ ପ୍ରତି କିଛି ବିପତ୍ତି ନାହିଁ ବୋଲି ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପନିର୍ଦେଶକ ଡ.ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି।

୨୦୧୬ ଡିସେମ୍ବରରେ ଜାତିସଂଘର ସାଧାରଣ ଅଧିବେଶନରେ ସର୍ବସମ୍ମତି ଦ୍ବାରା ଅନ୍ତର୍ଜାତୀୟ ଗ୍ରହାଣୁ ଦିବସ ପାଳନ ହୋଇ ଆସୁଛି। ବାସ୍ତବରେ ୧୯୦୮ ମସିହାରେ ଋଷର ତୁଙ୍ଗାସ୍କା ଅଞ୍ଚଳରେ ଏକ ଗ୍ରହାଣୁ ଖସି ସଂଘଟିତ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ଏହା ପାଳନ କରାଯାଉଛି। ୧୯୦୮ରେ ଗ୍ରହାଣୁ ପଡ଼ିବାରୁ ତୁଙ୍ଗାସ୍କାରେ ପ୍ରାୟ ୨ହଜାର ବର୍ଗ କିଲୋମିଟର ଅଞ୍ଚଳର ଜଙ୍ଗଲ ନଷ୍ଟ ହୋଇଯାଇଥିଲା। ଧ୍ବଂସଲୀଳା ଘଟାଇଥିବା ସେହି ପିଣ୍ଡଟି ଥିଲା ୨୦୦ରୁ ୪୦୦ ଫୁଟ ଲମ୍ବର ସାମାନ୍ୟ ଏକ ଗ୍ରହାଣୁ। ମାତ୍ର ଏହା ପ୍ରଭାବରେ ଜଙ୍ଗଲର ୮ କୋଟିରୁ ଅଧିକ ଗଛ ଓ ସେଠାରେ ଥିବା ପଶୁପକ୍ଷୀ ନିମିଷକ ମଧ୍ୟରେ ପୋଡ଼ି ଯାଇଥିଲେ। ଗ୍ରହାଣୁ ଦ୍ବାରା ସଂଘଟିତ ଭୟଙ୍କର ପ୍ରଳୟକୁ ମନେ ପକାଇ ଏବଂ ଗ୍ରହାଣୁ ଧକ୍କା ଦ୍ବାରା ପୃଥିବୀରେ ହେବାକୁ ଥିବା ସାମ୍ଭାବ୍ୟ ପ୍ରଳୟ ସମ୍ବନ୍ଧରେ ସଚେତନତା ପାଇଁ ଜୁନ୍‌ ୩୦ ତାରିଖକୁ ଅନ୍ତର୍ଜାତୀୟ ଗ୍ରହାଣୁ ଦିବସ ରୂପେ ପାଳନ କରାଯାଉଛି।

ଡ. ପଟ୍ଟନାୟକ କହିଛନ୍ତି, ସୌଭାଗ୍ୟବଶତଃ ତୁଙ୍ଗାସ୍କାରେ ଏକ ଜଙ୍ଗଲ ଅଞ୍ଚଳରେ ଏହା ପଡ଼ିଥିବାରୁ ମଣିଷ ମୃତାହତ ହେବାର ଖବର ନାହିଁ। ତେବେ ଏଭଳି ଏକ ଗ୍ରହାଣୁ ଯଦି ନୂଆଦିଲ୍ଲୀ ମହାନଗର ଉପରେ ଖସିବ, କ୍ଷଣକ ମଧ୍ୟରେ ମହାନଗରଟି ଧ୍ବଂସ ପାଇବା ସହ ୩୦ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଯିବ। ତେବେ ଗ୍ରହାଣୁ ପଡ଼ିବା ଦ୍ବାରା ଆସନ୍ନ ଦୁର୍ଘଟଣାକୁ କିଭଳି ଏଡ଼ାଯାଇପାରିବ, ସେନେଇ ଅନେକ ଦେଶର ବୈଜ୍ଞାନିକ କାମ କରୁଛନ୍ତି। ଜାତିସଂଘ ଦ୍ବାରା ପରିଚାଳିତ ହୋଇ ମିଳିତ ଭାବରେ ବୈଜ୍ଞାନିକମାନେ ପୃଥିବୀ ନିକଟରେ ରହିଥିବା ସାମ୍ଭାବ୍ୟ ପିଣ୍ଡଗୁଡ଼ିକୁ ଖୋଜି ସେମାନଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି। ସେଗୁଡ଼ିକର ଗତିପଥ ନିର୍ଣ୍ଣୟ କରିବା କାର୍ଯ୍ୟ ମଧ୍ୟ ଆରମ୍ଭ କରିଦେଲେଣି।

ଭାରତର କେତେକ ସଂସ୍ଥା ଓ ବ୍ୟକ୍ତିବିଶେଷ ମଧ୍ୟ ଏଥିରେ ନିୟୋଜିତ ହୋଇଛନ୍ତି। ବର୍ତମାନ ସୁଦ୍ଧା ୨ହଜାର ପିଣ୍ଡ ବା ଗ୍ରହାଣୁ ଠାବ କରାଯାଇଛି। ‌ଯେଉଁଗୁଡ଼ିକ ଭବିଷ୍ୟତରେ ପୃଥିବୀ ସହ ଧକ୍କା ହେବାର ସମ୍ଭାବନା ରହିଛି, ସେଗୁଡ଼ିକର ଗତିବିଧି ଉପରେ କଡ଼ା ନଜର ରଖାଯାଇଛି। ଯେପରି ଏହି ପିଣ୍ଡଗୁଡ଼ିକ ମହାକାଶରେ ଧ୍ବଂସ କରାଯାଇପାରିବ, ନଚେତ ସେମାନଙ୍କ ଗତିପଥକୁ ସାମାନ୍ୟ ବଦଳାଇ ଦେଇ ପୃଥିବୀ କକ୍ଷପଥରୁ ଦୂରେଇ ଦିଆଯାଇପାରିବ, ସେନେଇ ବୈଜ୍ଞାନିକମାନେ ପରୀକ୍ଷାନିରୀକ୍ଷା ଜାରି ରଖିଛନ୍ତି। ନିକଟ ଅତୀତରେ ଏକ ଧୂମକେତୁ ସହ ମହାକାଶ ଯାନର ଧକ୍କା କରାଯାଇ ତାକୁ ଭାଙ୍ଗି ଦିଆଯାଇପାରିଛି। ପୃଥିବୀକୁ ଗ୍ରହାଣୁ ଧକ୍କାରୁ ବଞ୍ଚାଇବା ପାଇଁ ଏହିଭଳି ଅନେକ କାର୍ଯ୍ୟକ୍ରମ ବୈଜ୍ଞାନିକମାନେ ଚାଲୁ ରଖିଛନ୍ତି। ତେଣୁ ଆସନ୍ତା କିଛି ବର୍ଷ ମଧ୍ୟରେ ଗ୍ରହାଣୁ ଧକ୍କାରେ ପୃଥିବୀର ବିପୁଳ କ୍ଷତି ହେବ ନାହିଁ। ଏଥିପାଇଁ ମଧ୍ୟ ଭୟଭୀତ ହେବାର କାରଣ ନାହିଁ ବୋଲି ଡ. ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe