କଙ୍କଡ଼ାହାଡ଼ ବିଇଓଙ୍କ ଚିଠିରେ ବ୍ୟାକରଣ ଅଶୁଦ୍ଧି: ବିଇଓ କହିଲେ, ଭୁଲ୍‌ ଧରିଲେ ହେବନି

କଙ୍କଡ଼ାହାଡ଼ ବିଇଓଙ୍କ ଚିଠିରେ ବ୍ୟାକରଣ ଅଶୁଦ୍ଧି: ବିଇଓ କହିଲେ, ଭୁଲ୍‌ ଧରିଲେ ହେବନି

ଢେଙ୍କାନାଳ : ଗଣମାଧ୍ୟମ ପ୍ରତିନିଧିମାନଙ୍କ ସ୍କୁଲ୍‌ ପ୍ରବେଶ ମନା ସଂପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଚିଠି ଅନୁଯାୟୀ କଙ୍କଡ଼ାହାଡ଼ ବିଇଓ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକମାନଙ୍କୁ ଚିଠି କରିଛନ୍ତି। ଇଂରାଜୀରେ ହୋଇଥିବା ଏହି ଚିଠିରେ ଅନେକ ବ୍ୟାକରଣ ଅଶୁଦ୍ଧି ରହିଥିବା ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍‌ ଧରିଛି। ଶିକ୍ଷା ବିଭାଗ ନିଜ ଭୁଲ ଏବଂ ଦୋଷ ଲୁଚାଇବା ପାଇଁ ଗଣାମଧ୍ୟମକୁ ବିଦ୍ୟାଳୟଠାରୁ ଦୂରେଇ ରଖିବାକୁ ଚାହୁଁଥିବା ବିଭିନ୍ନ ମହଲରେ ମତପ୍ରକାଶ ପାଇଛି । ଅନ୍ୟପକ୍ଷରେ ଚିଠି କୌଣସି ଅଧିକାରୀ ଲେଖନ୍ତି ନାହିଁ କ୍ଲର୍କ, ଟାଇପିଷ୍ଟ ଲେଖନ୍ତି ବୋଲି ବିଇଓ ସଫେଇ ଦେଉଛନ୍ତି। ଖୋଦ୍‌ ବ୍ଲକ୍‌ ଶିକ୍ଷାଧିକାରୀଙ୍କ ଚିଠିରେ ଯଦି ଏଭଳି ତ୍ରୁଟି ବିଚ୍ୟୁତି ରହିବ, ତେବେ ଶିକ୍ଷାଦାନର ସ୍ତର କେଉଁଭଳି ହୋଇଥିବ ବୋଲି ଅଭିଭାବକମାନଙ୍କ ମହଲରେ ଆଲୋଚନା ହେଉଛି।

ସରକାରୀ ସ୍କୁଲରେ ଠିକ୍ ଭାବେ ପାଠପଢା ହେଉ ନ ଥିବା ବାରମ୍ବାର ଅଭିଯୋଗ ହେଉଛି। ଏହାସହିତ ଯାବତୀୟ ଅବ୍ୟବସ୍ଥା ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସାମ୍ବାଦିକଙ୍କ ବିଦ୍ୟାଳୟ ପ୍ରବେଶ ଉପରେ ରୋକ୍‌ ଲଗାଯାଇଛି। କୌଣସି ଗଣମାଧ୍ୟମ ପ୍ରତିନିଧି କ୍ୟାମେରା, ବୁମ୍ ନେଇ ବିଦ୍ୟାଳୟକୁ ଗଲେ ସେମାନଙ୍କ ବିରୋଧରେ ପୁଲିସ୍‌ରେ ଅଭିଯୋଗ କରାଯିବାକୁ କୁହାଯାଇଛି। ଜିଲ୍ଲା ଶିକ୍ଷାଧିକାରୀଙ୍କଠାରୁ ଚିଠି ପାଇବା ପରେ କଙ୍କଡ଼ାହାଡ଼ ବିଇଓ ସମସ୍ତ ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଏଥିନେଇ ଚିଠି କରିଛନ୍ତି। ତେବେ କଙ୍କଡ଼ାହାଡ଼ ବିଇଓ କାର୍ଯ୍ୟାଳୟରୁ ସଂପୃକ୍ତ ବ୍ଲକର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ କରାଯାଇଥିବା ଏହି ଇଂରାଜୀ ଚିଠିରେ ଅନେକ ବ୍ୟାକରଣ ଓ ବନାନ ଭୁଲ୍ ରହିଛି। ବିଇଓ ନିଜେ ଏଥିରେ ଦସ୍ତଖତ କରିଥିବା ବେଳେ ଭୁଲ୍‌ କିଭଳି ଦେଖିପାରିଲେ ନାହିଁ କି ଜାଣିପାରିଲେ ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାର ନକଲ କାମାକ୍ଷାନଗର ଉପଜିଲ୍ଲାପାଳ, ଜିଲ୍ଲା ଶିକ୍ଷାଧିକାରୀଙ୍କୁ ମଧ୍ୟ ପ୍ରଦାନ କରାଯାଇଛି। ଖୋଦ୍‌ ଶିକ୍ଷା ବିଭାଗ ପକ୍ଷରୁ ହୋଇଥିବା ଏହି ଚିଠିରେ ଏତେ ଭୁଲ୍ ରହିଥିବା ବେଳେ ପିଲାମାନଙ୍କ ଶିକ୍ଷାଦାନ କିଭଳି ଚାଲିଛି ଏଥିରୁ ଅନୁମେୟ ବୋଲି ସାଧାରଣରେ ଆଲୋଚନା ହେଉଛି।

ଏ ସଂପର୍କରେ କଙ୍କଡ଼ାହାଡ଼ ବିଇଓ ହରିହର ଦେହୁରୀଙ୍କୁ ପଚାରିବାରୁ ସେ କହିଲେ, ଚିଠିକୁ କୌଣସି ଅଧିକାରୀ ଲେଖନ୍ତି ନାହିଁ। ତାହାକୁ କିରାଣି ଓ ଟାଇପିଷ୍ଟ ଟାଇପ୍ କରିଥାନ୍ତି। ସେଥିରେ ଯଦି କୌଣସି ଭୁଲ୍ ରହିଛି, ସେଇଟାକୁ ଧରିଲେ ହେବ ନାହିଁ। ଏହାକୁ ପରିହାର କରନ୍ତୁ। ଏହା ତ ଭାଇରାଲ୍ ହେଲାଣି, ତା ଉପରେ ଆଉ କଣ କମେଣ୍ଟ ଦେବି ବୋଲି କହିଥିଲେ। ତେବେ ସାମ୍ବାଦିକମାନଙ୍କୁ ଆକ୍ରୋଶମୂଳକ ଉଦ୍ଦେଶ୍ୟ ରଖି ଚିଠି କରାଯାଇନାହିଁ। ଉପରସ୍ତରରୁ ଚିଠି ଆସିବା ପରେ ପ୍ରତ୍ୟେକ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ଚିଠି କରାଯାଇଛି ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe