୫ରୁ ଗ୍ରାମ୍ୟ କୃଷି କର୍ମଚାରୀଙ୍କ ଆନ୍ଦୋଳନ

Advertisment
୫ରୁ ଗ୍ରାମ୍ୟ କୃଷି କର୍ମଚାରୀଙ୍କ ଆନ୍ଦୋଳନ

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଗ୍ରାମ୍ୟ ପୁରୁଷ ଓ ମହିଳା କୃଷି କର୍ମଚାରୀମାନେ ଆନ୍ଦୋଳନ କରିବେ। ୪ ଦଫା ଦାବି ନେଇ ସେମାନେ ନଭେମ୍ବର ୫ ତାରିଖଠାରୁ କଳାବ୍ୟାଜ୍‌ ପିନ୍ଧି କାର୍ଯ୍ୟ କରିବେ। ଦାବି ପୂରଣ ନ ହେଲେ ୧୨ ତାରିଖରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିବେ। ଏହା ପରେ ବି ଦାବି ପୂରଣ ନ ହେଲେ ବୈଠକ ବସି ଚରମ ନିଷ୍ପତ୍ତି ନିଆଯିବ ବୋଲି କହିଛି ଓଡ଼ିଶା ରାଜ୍ୟ ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘ। ଆଜି ଜୟଦେବ ଭବନ ପରିସରରେ ଆୟୋଜିତ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ସଂଘର ସଭାପତି ଦିଲୀପ କୁମାର ସାମନ୍ତରାୟ କହିଛନ୍ତି।

ବୈଠକ ପରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଧ୍ୟକ୍ଷ ବୀରେନ୍ଦ୍ର ମହାନ୍ତି, ସମ୍ପାଦକ ଅମୟ ରାଉତ, ରାଜ୍ୟ ଉପସଭାପତି ତୁଷାରକାନ୍ତି ମହାନ୍ତି, ଯୁଗ୍ମ ସମ୍ପାଦକ ଅଜିତ ସାମଲ ଓ ଅମରେନ୍ଦ୍ର ଆଚାର୍ଯ୍ୟ ପ୍ରମୁଖ ଏହା ପ୍ରକାଶ କରିଛନ୍ତି। ପଦବୀର ନାମ ଗ୍ରାମ୍ୟ କୃଷି କର୍ମଚାରୀରୁ ପରିବର୍ତ୍ତନ କରି ପଞ୍ଚାୟତ ଏଗ୍ରିକଲଚର ଅଫିସର କରିବା, କ୍ୟାଡର୍‌ ପୁନର୍ଗଠନ, କୃଷି ଓଭରସିୟର ପଦବୀର ପୁନର୍ବିନ୍ୟାସ, ନିଯୁକ୍ତି କ୍ଷେତ୍ରରେ ସର୍ବନିମ୍ନ ଯୋଗ୍ୟତା ଯୁକ୍ତ ଦୁଇ ବିଜ୍ଞାନ ପରିବର୍ତ୍ତେ ସ୍ନାତକ ବା କୃଷି ଶିକ୍ଷାରେ ଡିପ୍ଲୋମା କରିବା ପାଇଁ ସେମାନେ ଦାବି କରିଛନ୍ତି। ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ ଗତବର୍ଷ ସଂଘର ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ଏହି ସବୁ ଦାବି ପୂରଣ କରିବେ ‌ବୋଲି ପ୍ରତିଶ୍ରୁତି ଦେଇଥିଲେ। ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନଙ୍କ ‌କ୍ଷେତ୍ରରେ ସରକାର ସକାରାତ୍ମକ ପଦକ୍ଷେପ ନେଉଥିବା ବେଳେ ଏହି କର୍ମଚାରୀଙ୍କୁ ଅବହେଳା କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି। ପଡ଼ୋଶୀ ରାଜ୍ୟର ପରିସଂଖ୍ୟାନକୁ ଦାବିପତ୍ରରେ ଉପସ୍ଥାପନ କରାଯାଇଛି। ହେଲେ ସରକାର ଏହାକୁ ସମୀକ୍ଷା କରିବା ପାଇଁ ଚାହୁ ନାହାନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। କର୍ମଚାରୀମାନଙ୍କୁ ଅସନ୍ତୋଷରେ ରଖି କୃଷି ଓ କୃଷକର ଉନ୍ନତି ସମ୍ଭବ ନୁହେଁ ବୋଲି ସରକାରଙ୍କୁ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe