ଆଈର ଶବକୁ କାନ୍ଧରେ ବୋହି ନେଲେ ନାତି

Advertisment

ଦୁଇଦିନ ପରେ ଶବ ସତ୍କାର

ଦୁଇଦିନ ପରେ ଶବ ସତ୍କାର

ଆଈର ଶବକୁ କାନ୍ଧରେ ବୋହି ନେଲେ ନାତି

ବଘିଆପଡ଼ା: ବାସନ୍ଦ ଆଳ ଦେଖାଇ ଜାତି ସମାଜ ଆସିଲେନି। ଘର ଡିହ ବିବାଦ ଯୋଗୁଁ ପୁଅ ବି ଆସିଲେନି। ଦୁଇଦିନ ଶବ ପଡ଼ି ରହିବା ପରେ ନାତି ଅର୍ଥାତ୍‌ ଝିଅର ପୁଅ ଆଈଙ୍କ ଶବକୁ ଏକା କାନ୍ଧେଇ ନେଇ ସତ୍କାର କରିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ବଘିଆପଡ଼ା ପଞ୍ଚାୟତର ବଘିଆପଡ଼ାରେ। ଏହି ଘଟଣା ପୁଣି ଥରେ ଗ୍ରାମାଞ୍ଚଳରେ ଏବେ ବି ବଞ୍ଚି ରହିଥିବା ସାମାଜିକ କୁସଂସ୍କାରକୁ ମନେ ପକେଇ ଦେଉଛି।

ବଘିଆପଡ଼ା ଗାଁର ମେର ସାହୁ (୮୫) ବହୁ ଦିନ ହେଲା ଏକୁଟିଆ ରହୁଥିଲେ। ତାଙ୍କର ଗୋଟିଏ ଝିଅ ଓ ଗୋଟିଏ ପୁଅ। ଝିଅ ଏକ ପ୍ରକାର ମାନସିକ ରୋଗୀ ହୋଇଥିବା ବେଳେ ପୁଅ ତାଙ୍କୁ ଛାଡ଼ି ଅନ୍ୟତ୍ର ବସବାସ କରୁଛନ୍ତି। ଝିଅର ଏକମାତ୍ର ପୁଅ ସ୍ୱାଧୀନ ସାହୁଙ୍କୁ ଆଦରି ନେଇ ଜୀବନ ବିତାଉଥିଲେ ମେର। ଜମିବାଡ଼ି ଆଦୌ ନାହିଁ। ମାତ୍ର ଘରବାରି ୪ ଡିମିସିଲ ରହିଛି। ଏହି ଘରବାରିକୁ ନେଇ ଚାଲିଥିଲା ବିବାଦ। ଦୁଇ ଦିନ ତଳେ ମେର ହଠାତ୍‌ ଅସୁସ୍ଥ ହୋଇ ପଡ଼ିବା ସହ ତାଙ୍କର ମୃତ୍ୟୁ ଘଟିଥିଲା।

ଶବ ଦୁଇଦିନ ପଡ଼ିଥିଲେ ମଧ୍ୟ ମାଆର ଶେଷକୃତ୍ୟ କରିବାକୁ ପୁଅ ଆସି ନଥିଲେ। ଘରବାରି ଚାରି ଡେସିମିଲକୁ ସ୍ୱାଧୀନଙ୍କ ନାମରେ ମେର କରି ଦେଇଥିବାରୁ ସେ ଆସି ନଥିଲେ ବୋଲି କୁହାଯାଇଛି। ଏପଟେ ସ୍ୱାଧୀନ ଜାତି ସମାଜରୁ ବାସନ୍ଦ ହୋଇଥିବାରୁ ଜାତି ଲୋକେ ମଧ୍ୟ ଶବସତ୍କାର ପାଇଁ ଆସି ନଥିଲେ। ଶେଷରେ ନିରୂପାୟ ହୋଇ ସ୍ୱାଧୀନ ଏକୁଟିଆ ନିଜ କାନ୍ଧରେ ଆଈଙ୍କ ଶବ ବୋହି ନେଇ ସତ୍କାର କରିଥିଲେ। ଗ୍ରାମବାସୀ ମଧ୍ୟ ମେରଙ୍କ ଶବ ସତ୍କାରରେ ଯୋଗ ଦେଇ ନଥିଲେ। ସ୍ୱାଧୀନ ଗରିବ ଏବଂ ଦିନ ମଜୁରିଆ ହୋଇଥିବାରୁ ଅନ୍ୟ କିଛି ବ୍ୟବସ୍ଥା କରିବା ତାଙ୍କ ପକ୍ଷରେ ସମ୍ଭବ ହୋଇନଥିଲା। ଘରେ ଥିବା କିଛି ଜାଳେଣି କାଠ ଏବଂ କିଛି କାଠ କିଣି ଆଈଙ୍କ ଶବ ଦାହ କରିଥିଲେ ସ୍ୱାଧୀନ। ବଘିଆପଡ଼ା ସରପଞ୍ଚ ସୈରେନ୍ଦ୍ର ମହାକୁଳ ଶୁକ୍ରବାର ସ୍ୱାଧୀନଙ୍କ ଘରେ ପହଞ୍ଚି ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ପ୍ରଦାନ କରିଥିଲେ। ପୂର୍ବତନ ସରପଞ୍ଚ ଦେବହରି ମହାକୁଳ ମଧ୍ୟ ପହଞ୍ଚି କିଛି ଆର୍ଥିକ ସାହାଯ୍ୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe