ଠେଙ୍ଗାରେ ପିଟିପିଟି ଜେଜେମା’ଙ୍କୁ ମାରିଦେଲେ ୨ ନାତି, ଅଭିଯୁକ୍ତ ଅଟକ

Advertisment
ଠେଙ୍ଗାରେ ପିଟିପିଟି ଜେଜେମା’ଙ୍କୁ ମାରିଦେଲେ ୨ ନାତି, ଅଭିଯୁକ୍ତ ଅଟକ

ନାକଟିଦେଉଳ: କୁହାଯାଇଥାଏ ଯେ ଘରେ ବୟସ୍କ ଲୋକ ଅର୍ଥାତ ଜେଜେ ବାପା-ଜେଜେମା’ଥିଲେ ନାତି-ନାତୁଣୀମାନେ ସଂସ୍କାରୀ ହୁଅନ୍ତି। କିନ୍ତୁ ନାତିମାନେ ଏତେ ଭୟଙ୍କର ହୁଅନ୍ତି ତାହା ଆଜି ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ କିସିଣ୍ଡା ଥାନା ଅଧୀନ ବଳମ ଗ୍ରାମର ପିତାବଳୀଖମଣପଡାରେ ଦେଖିବାକୁ ମିଳିଛି। ୨ ନାତି ବୟସ୍କ ଜେଜେ ମା’ଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ମୃତକ ହେଲେ ସୁକାନ୍ତି ମୁଣ୍ଡା (୭୦)।  ଅଭିଯୁକ୍ତ ୨ ନାତି ପରମେଶ୍ବର ମୁଣ୍ଡା (୨୪) ଓ ପଦ୍ମଚରଣ ମୁଣ୍ଡା (୨୬)।

ପୁଲିସ ସୂତ୍ରରୁ ଜଣାଯାଇଛି ଯେ ମୃତ ସୁକାନ୍ତିଙ୍କ ୨ ନାତି ପରମେଶ୍ବର ଓ ପଦ୍ମଚରଣ ଘରେ କଖାରୁ (ମାଖନ) ଗଛ ଲଗାଇ ଥିଲେ। ସେହି ଗଛର ଅଗ୍ର ଭାଗ ସବୁ ଗାଈ-ଛେଳି ଖାଇ ଦେଇଥିଲେ। ପରେ ଜେଜେମା’ ସୁକାନ୍ତି ଏହାକୁ ରକ୍ଷଣା ବେକ୍ଷଣ କରିଥିଲେ। ଏହାକୁ ନେଇ ଜେଜେମା’ ଓ ନାତିଙ୍କ ମଧ୍ୟରେ ଗୁରୁବାର ରାତି ପ୍ରାୟ ୮ଟା‌ରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ନାତିମାନେ ଉତକ୍ଷିପ୍ତ ହୋଇ ଠେଙ୍ଗାରେ ପିଟି ପିଟି ଜେଜେମା’ଙ୍କୁ ଗୁରୁତର କରିଦେଇଥିଲେ। ଘଟଣାସ୍ଥଳରୁ ମୁର୍ମୁଷୁ ଅବସ୍ଥାରେ ପଡାବାସୀ ଏକ ଅଟୋରେ ପ୍ରଥମେ ନାକଟିଦେଉଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ହେଲେ ସୁକାନ୍ତିଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ପୁଣି ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ କିସିଣ୍ଡା ପୁଲିସ ପହଞ୍ଚି ମୃତଦେହକୁ ଜବତ କରିଥିଲା। ଏ ସଂକ୍ରାନ୍ତରେ କିସିଣ୍ଡା ଥାନାରେ ଏକ ମାମଲା ରୁଜୁ ହୋଇଛି। ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe