Grandfather dies of heart attack after hearing news of granddaughter's death Photograph: (sambad.in)
ଚଣ୍ଡିଖୋଲ:ବିଷଧର ସାପ କାମୁଡ଼ାରେ ନାତୁଣୀର ଜୀବନ ଚାଲିଗଲା। ତେବେ ନାତୁଣୀର ମୃତ୍ୟୁ ଖବର ଶୁଣି ହୃଦଘାତରେ ଜେଜେଙ୍କର ଜୀବନ ଚାଲି ଯାଇଛି । ଏମିତି ଏକ ଦୁଃଖଦ ଘଟଣା ଯାଜପୁର ଜିଲ୍ଲା ତଥା ବଡ଼ଚଣା ବ୍ଲକ ଅନ୍ତର୍ଗତ ବିକ୍ରମତିରଣ ପଞ୍ଚାୟତ ଗୋବଣ୍ଡିଆ ଗାଁରେ ଘଟିଛି।
ସୂଚନା ମୁତାବକ ଏହି ଗାଁର ଦେବେନ୍ଦ୍ର ପରମାଣିକଙ୍କ ଦଶମ ଶ୍ରେଣୀରେ ପାଠ ପଢ଼ୁଥିବା ଝିଅ ଅଙ୍କିତା ପ୍ରିୟଦର୍ଶିନୀ(୧୫) ଗତକାଲି ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ତାଙ୍କୁ ଏକ ବିଷଧର ସାପ କାମୁଡ଼ି ଦେଇଥିଲା । ଅଙ୍କିତା ଏହା ଜାଣି ପରିବାର ଲୋକଙ୍କୁ ଜଣାଇବା ପରେ ଚିକିତ୍ସା ପାଇଁ ତାକୁ ମାହାଙ୍ଗା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ।
ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ନିଆଯାଇଥିଲା । ହେଲେ ଚିକିତ୍ସିତ ଅବସ୍ଥାରେ ସେଠାରେ ଅଙ୍କିତାଙ୍କର ମୃତ୍ୟୁ ଘଟିଥିଲା । ଶବ ବ୍ୟବଚ୍ଛେଦ ପରେ ଅଙ୍କିତାଙ୍କ ଶବ ଗାଁକୁ ଫେରୁଥିବା ବେଳେ ନାତୁଣୀର ମୃତ୍ୟୁ ଖବର ପାଇ ଜେଜେ ବାବାଜୀ ପରମାଣିକ(୭୫) ହୃଦଘାତର ଶିକାର ହୋଇ ଅଚେତ ହୋଇ ପଡ଼ିଥିଲେ । ତାଙ୍କର ଚିକିତ୍ସା ପାଇଁ ମେଡ଼ିକାଲକୁ ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା ।
ଉଭୟଙ୍କ ମର ଶରୀର ଗାଁରେ ପହଁଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଗାଁ ଶ୍ମଶାନରେ ଉଭୟ ଜେଜେ ଆଉ ନାତୁଣୀଙ୍କର ଶବ ସତ୍କାର କରାଯାଇଥିଲା। ଏଭଳି ଏକ ଦୁଃଖଦ ଘଟଣା ଯୋଗୁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ଖବର ପାଇ ଅଙ୍କିତା ପଢ଼ୁଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଙ୍କର ଡାକୁଆ, ଶିକ୍ଷକ ଗଗନ ବିହାରୀ ନାୟକ, ପୂର୍ବତନ ସମିତି ସଭ୍ୟ ଦିଲ୍ଲୀପ କୁମାର ସାମଲ, ଯୋଗେଶ ପ୍ରଧାନଙ୍କ ସମେତ ବହୁ ବ୍ୟକ୍ତି ପହଞ୍ଚି ଶେଷ ଦର୍ଶନ ସହିତ ପରିବାର ଲୋକଙ୍କୁ ସମବେଦନା ଜଣାଇଥିଲେ ।
Jajpur
Follow Us