ଅନୁଗୁଳ: ନାଲ୍‌କୋ କଲୋନିରେ ମାଡିଛି ଅଙ୍ଗୁର ଲତା

Advertisment
ଅନୁଗୁଳ: ନାଲ୍‌କୋ କଲୋନିରେ ମାଡିଛି ଅଙ୍ଗୁର ଲତା

ନାଲକୋନଗର : ଯତ୍ନକଲେ କଠିନ କାର୍ଯ୍ୟ ବି ସଫଳ ହୋଇଥାଏ। ଏହାର ସତ୍ୟତା ପ୍ରମାଣିତ କରିଛନ୍ତି ନାଲ୍‌କୋ ଡିଜିଏମ୍‌ ଅଭିଜିତ୍‌ ସିହ୍ନା। ସାଧାରଣତଃ ଥଣ୍ଡା ଅଞ୍ଚଳରେ ଅଙ୍ଗୁର ଚାଷ ହୋଇଥାଏ। ଅଭିଜିତ୍‌ ଓ ତାଙ୍କ ଶିକ୍ଷୟିତ୍ରୀ ପତ୍ନୀ ମିତାଲି ସିହ୍ନାଙ୍କ ଉଦ୍ୟମରେ ତାଙ୍କ ଅଗଣାରେ ଅଙ୍ଗୁର ଲତା ମାଡ଼ିଛି। ଏହି ଲତାରେ ଏବେ ଅଙ୍ଗୁର ପେନ୍ଥା ଝୁଲୁଥିବା ଦେଖାଯାଇଛି।

ଅଭିଜିତ୍‌ ରହୁଛନ୍ତି ନାଲ୍‌କୋ କଲୋନି କ୍ବାର୍ଟର୍ସ ନମ୍ବର ଡି-୧୨୭ରେ। ବଗିଚା କାମରେ ତାଙ୍କର ଆଗ୍ରହ। ଘରେ ଅଙ୍ଗୁର ଫଳାଇବାକୁ ଇଚ୍ଛା ହେବାରୁ ଅନ୍‌ଲାଇନ୍‌ରେ ସେ କେରଳର ଜଣେ ବ୍ୟବସାୟୀଙ୍କଠାରୁ ୨୭୦ ଟଙ୍କାରେ ଅଙ୍ଗୁର ଚାରାଟିଏ ମଗାଇଥିଲେ। ତାହା ପହଞ୍ଚିବାକୁ ୧୦ ଦିନ ଲାଗିଥିଲା। ଆସିବାବେଳକୁ ଚାରାଟି ଝାଉଁଳି ପଡ଼ିଥିଲା। ସେ ତାହାକୁ ପ୍ରଥମେ ଏକ କୁଣ୍ଡରେ ବଢ଼ାଇଥିଲେ। ଚାରାଟି ବଞ୍ଚିଯିବାରୁ ମାଟିରେ ପୋତିଥିଲେ। ଦେଢ଼ବର୍ଷ ପରେ ଏବେ ଲତାଟି ଫଳ ଧରିଛି। ପେନ୍ଥା ପେନ୍ଥା ଫଳିଛି ଅଙ୍ଗୁର। ଉଦ୍ୟାନ ବିଭାଗର ପରାମର୍ଶରେ ସିହ୍ନା ଦମ୍ପତି ଲତାଟିର ଯତ୍ନ ନେଉଛନ୍ତି। ଏହା ୱାଇନ୍‌ କିସମ ଅଙ୍ଗୁର। ନାଲ୍‌କୋ କଲୋନି ଭଳି ଉଷ୍ଣ ପରିବେଶରେ ବଢ଼ିଥିବା ଏହି ଅଙ୍ଗୁର ଲତା ଦେଖିବା ପାଇଁ ସାହିପଡ଼ୋଶୀମାନେ ଭିଡ଼ ଜମାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe