୧୪ ବର୍ଷ ପରେ ‘ଘାସ’ ଦୁର୍ନୀତିକୁ ନେଇ ତନାଘନା : ଉଠାଇ ନେଇଛନ୍ତି କୋଟିଏ ୪୪ ଲକ୍ଷ, ପଞ୍ଚାୟତରୁ ଟଙ୍କା ଆଦାୟ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

Advertisment

www.celkau.in

କଟକ : ଘାସର ଚିହ୍ନବର୍ଣ୍ଣ ନାହିଁ। କିନ୍ତୁ ଘାସଚାଷ ଆଳରେ ସରକାରୀ ରାଜକୋଷରୁ ଉଠାଇ ନିଆଯାଇଛି ୧ କୋଟି ୪୪ ଲକ୍ଷ ଟଙ୍କା। ସିଏଜିଙ୍କ ବାରମ୍ବାର ତାଗିଦା ପରେ ‌ଘାସଚାଷ ନ କରି ଟଙ୍କା ଉଠାଇ ନେଇଥିବା ପଞ୍ଚାୟତରୁ ଟଙ୍କା ଆଦାୟ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ କେତେକ ପଞ୍ଚାୟତ ଏହା ବିରୋଧରେ କୋର୍ଟକୁ ଯାଇଥିବା ବେଳେ ୧୪ ବର୍ଷର ଏହି ପୁରୁଣା କେଳେଙ୍କାରୀକୁ ନେଇ ଏବେ ହଟଚମଟ ସୃଷ୍ଟି ହୋଇଛି।

ସୂଚନା ଅନୁଯାୟୀ ଚାଷୀଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି କରିବା, ଚାଷୀଙ୍କୁ ଉନ୍ନତ ବିହନ ଏବଂ ଜ୍ଞାନକୌଶଳ ‌ଯୋଗାଇବା ଲକ୍ଷ୍ୟରେ କେନ୍ଦ୍ର ସରକାର ୨୦୦୫ରେ ପ୍ରସ୍ତୁତ କରିଥିଲେ ‘ଗ୍ରାସ୍‌ ଲ୍ୟାବ ଇନକ୍ଲୁଡିଙ୍ଗ ଗ୍ରାସ୍‌ ରିଜର୍ଭ’ ଯୋଜନା। ଗ୍ରାମାଞ୍ଚଳରେ ଉନ୍ନତମାନର ଘାସଚାଷ ପାଇଁ ଚାଷୀଙ୍କୁ ଅତ୍ୟାଧୁନିକ ଜ୍ଞାନକୌଶଳ ଯୋଗାଇବା ଉଦ୍ଦେଶ୍ୟରେ ପ୍ରତି ପଞ୍ଚାୟତରେ ଏଥିପାଇଁ କ୍ଷେତ୍ର ପ୍ରସ୍ତୁତ କରିବା ଏବଂ ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୩ଟି ପଞ୍ଚାୟତକୁ ଚିହ୍ନଟ କରାଯାଇଥିଲା। କେନ୍ଦ୍ର ସରକାର ପ୍ରତି ପଞ୍ଚାୟତକୁ ୮ ଲକ୍ଷ ଟଙ୍କା ହିସାବରେ ୩୩ଟି ପଞ୍ଚାୟତକୁ ୨କୋଟି ୬୪ ଲକ୍ଷ ଟଙ୍କା ସହାୟତା ଦେଇଥିଲେ। ପଞ୍ଚାୟତର ସରପଞ୍ଚଙ୍କୁ ଏହାର ତଦାରଖ ଦାୟିତ୍ବ ଦିଆଯାଇଥିବାବେଳେ ସେମାନଙ୍କୁ ବୈଷୟିକ ଜ୍ଞାନକୌଶଳ ଯୋଗାଇବା ପାଇଁ ଜିଲ୍ଲା ପ୍ରାଣୀଧନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଘାସଚାଷ ପାଇଁ ପଞ୍ଚାୟତର ଗୋଚର ଜମି ଚିହ୍ନଟ ହୋଇଥିବାବେଳେ ସରକାର ସେଠାରେ ଉନ୍ନତ ବିହନ ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦେବାର ଯୋଜନା କରାଯାଇଥିଲା। କିନ୍ତୁ ଅଧିକାଂଶ ପଞ୍ଚାୟତରେ ନାଁକୁ ମାତ୍ର ଯୋଜନା ହୋଇଥିବା ବେଳେ ଆଉ କିଛି ପଞ୍ଚାୟତରେ ଯୋଜନାର ନାଁ ଗନ୍ଧ ନ ଥିଲା। ତେବେ ୧୫ଟି ପଞ୍ଚାୟତରେ ଯୋଜନା ହୋଇଥିବା ନେଇ କେନ୍ଦ୍ର ସରକାରଙ୍କୁ ବିନିଯୋଗ ପ୍ରମାଣପତ୍ର ଦେଇଥିଲେ ପଶୁ ଓ ପ୍ରାଣୀଧନ ବିଭାଗ। କିନ୍ତୁ ଅବଶିଷ୍ଟ ୧୮ଟି ପଞ୍ଚାୟତରେ ଯୋଜନାର ଅଗ୍ରଗତି ନେଇ ବିଭାଗ ପାଖରେ କିଛି ଖବର ନ ଥିଲା। ଏହି ୧୮ଟି ପଞ୍ଚାୟତକୁ ଯାଇଥିଲା ୧ କୋଟି ୪୪ ଲକ୍ଷ ଟଙ୍କା। କମ୍ପଟ୍ରଲର୍ ଆଣ୍ଡ ଅଡିଟର ଜେନେରାଲ (ସିଏଜି) ଏହି ମିଛ ଘାସଚାଷର ସୁରାକ ପାଇବା ପରେ ଏ ସଂପର୍କରେ ପବ୍ଲିକ ଆକାଉଣ୍ଟସ କମିଟିକୁ ଅବଗତ କରାଇଥିଲେ। ଘାସ ଦୁର୍ନୀତିର ଠୋସ ପ୍ରମାଣ ମିଳିଥିଲା। ଅର୍ଥ ଫେରସ୍ତ ଆଣିବା ପାଇଁ ସିଏଜି ବିଭାଗକୁ ଚିଠି ଲେଖିଥିଲେ। ବିଭାଗ ପକ୍ଷରୁ ଏବେ ଖିଲାପି ପଞ୍ଚାୟତରୁ ଟଙ୍କା ଆଦାୟ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ଏହି ଘଟଣା ପରେ କିଛି ପଞ୍ଚାୟତ ଟଙ୍କା ନ ଦେବାକୁ ଅଦାଲତର ଦ୍ବାରସ୍ଥ ହୋଇଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ବିଭାଗର ତୃଣ ଉନ୍ନୟନ ଅଧିକାରୀ ରଞ୍ଜିତ ଏକ୍କା କହିଛନ୍ତି ଯେ ଏହି ଯୋଜନାଟି ବହୁତ ପୁରୁଣା। ଟଙ୍କା ପୈଠ ପାଇଁ ସିଏଜି ନିର୍ଦ୍ଦେଶ ଦେଇଛନ୍ତି। ଇତିମଧ୍ୟରେ କିଛି ପଞ୍ଚାୟତ ଟଙ୍କା ଫେରସ୍ତ କରିଥିବାବେଳେ ଖିଲାପି ପଞ୍ଚାୟତରୁ ଅର୍ଥ ଆଦାୟ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ‌ଦିଆଯାଇଛି ବୋଲି ଶ୍ରୀ ଏକ୍କା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe