ମହାପ୍ରଭୁଙ୍କ ପାଇଁ ମହାଯୋଜନା: ଏବେ କେବଳ ପୁରୀ, ଦଳମତ ନିର୍ବିଶେଷରେ ପ୍ରକଳ୍ପକୁ ସମସ୍ତଙ୍କ ସମର୍ଥନ

Advertisment

ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ, ୩୨୦୦ କୋଟିର ବିଶାଳ ନକ୍ସା ପ୍ରସ୍ତୁତ କରାଯାଇଛି

ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ, ୩୨୦୦ କୋଟିର ବିଶାଳ ନକ୍ସା ପ୍ରସ୍ତୁତ କରାଯାଇଛି

ଶ୍ରୀଜିଉଙ୍କ ବନକଲାଗି ନୀତି ପାଇଁ ଆଜି ୪ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ଶ୍ରୀମନ୍ଦିର ଦର୍ଶନ

ଭୁବନେଶ୍ୱର: ‘‘ଶ୍ରୀଜଗନ୍ନାଥଙ୍କ ବିଜେସ୍ଥଳୀ ପୁରୀର ବିକାଶ ଅନ୍ୟ କୌଣସି ଢାଞ୍ଚାରେ ବା କାହାକୁ ଅନୁକରଣ କରିହେବ ନାହିଁ। ବରଂ ମହାପ୍ରଭୁଙ୍କ ଭଳି ତାଙ୍କ ପୀଠର ସ୍ବତନ୍ତ୍ର ଭାବେ ବିକାଶ କରାଯାଇ ଏହାକୁ ବିଶ୍ବସ୍ତରୀୟ ଐତିହ୍ୟସ୍ଥଳୀରେ ପରିଣତ କରାଯିବ।’’ ସାରା ବିଶ୍ବକୁ ପୁରୀ ମନସ୍କ କରିବା ଲାଗି ୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାପ୍ରଭୁଙ୍କ ପାଇଁ ଯେଉଁ ‘ମହାଯୋଜନା’ ଘୋଷଣା କରିଥିଲେ, ତାହାର ଗୁରୁତ୍ବପୂର୍ଣ୍ଣ ଏକ ଅଂଶ କ୍ରମେ ୩୩୫ କୋଟିର ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ର ଆସନ୍ତାକାଲି ଶୁଭାରମ୍ଭ ହେବାକୁ ଯାଉଛି।

ସମ୍ଭବତଃ ଭାରତ ଇତିହାସରେ ଏହା ହେଉଛି ଏକମାତ୍ର ପ୍ରକଳ୍ପ ଯାହାକୁ ଦଳମତ ନିର୍ବିଶେଷରେ ସମର୍ଥନ ମିଳିଛି। କେବଳ ସେତିକି ନୁହେଁ, ଏହି ପ୍ରକଳ୍ପରେ ସ୍ଥାନୀୟ ବାସିନ୍ଦା, ସେବକ ସମୁଦାୟ, ଶ୍ରୀଜଗନ୍ନାଥ ପ୍ରେମୀ ତ୍ୟାଗ, ସଂଯମ ଓ ଶୃଙ୍ଖଳାର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ଜମି ଅଧିଗ୍ରହଣ କ୍ଷେତ୍ରରେ ଏହି ପ୍ରକଳ୍ପ ରେକର୍ଡ କରିଛି। ସେହିପରି ଏହା ଏକମାତ୍ର ପ୍ରକଳ୍ପ ହୋଇପାରେ, ଯେଉଁଠାରେ ପ୍ରକଳ୍ପ ଦ୍ବାରା ପ୍ରଭାବିତ ବା ବିସ୍ଥାପିତଙ୍କୁ ସରକାର ସମ୍ମାନିତ କରିବାକୁ ନିଷ୍ପତ୍ତି ନେଇଛନ୍ତି; ପ୍ରକଳ୍ପସ୍ଥଳୀରେ ସେମାନଙ୍କର ତ୍ୟାଗର ଫଳକ ସବୁଦିନ ପାଇଁ ରହିବ।

ଓଡ଼ିଶା ଜାତିର ସବୁଠାରୁ ବଡ଼ ପରିଚୟ, ବିଶ୍ବାସ ତଥା ପ୍ରାଣ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ଓଡ଼ିଶାର ସଂସ୍କୃତି, ପରମ୍ପରା, ଜୀବନଚର୍ଯ୍ୟା ମହାପ୍ରଭୁଙ୍କୁ ନେଇ ଗଢ଼ି ଉଠିଛି। ମହାପ୍ରଭୁ ହେଉଛନ୍ତି ଚଳନ୍ତି ଭଗବାନ। ସମ୍ଭବତଃ ଏଇଥିପାଇଁ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଠାରୁ ଆରମ୍ଭ କରି କବିର, ନାନକ ଯିଏ ଯେତେବେଳେ ପୁରୀ ଆସିଛନ୍ତି, ସେତେବେଳେ ମହାପ୍ରଭୁଙ୍କୁ ଅତିମାନବୀୟ ଠାକୁର ବୋଲି ବର୍ଣ୍ଣନା କରିଛନ୍ତି। ଗାଣତାନ୍ତ୍ରିକ ବ୍ୟବସ୍ଥାର ସର୍ବଶ୍ରେଷ୍ଠ ନିଦର୍ଶନ ମହାପ୍ରଭୁଙ୍କ ପାଖରେ ସନ୍ନିବେଶିତ ଅଛି। ଏହାସତ୍ତ୍ବେ ହଜାରେ ବର୍ଷର ଇତିହାସ ପୃଷ୍ଠାକୁ ତନ୍ନ ତନ୍ନ କରି ଦେଖିଲେ, ଦୁଇଟି କଥା ସାମ୍ନାକୁ ଆସେ। ଗୋଟିଏ ଭାରତବର୍ଷ ତଥା ବିଶ୍ବର କୋଣ ଅନୁକୋଣରୁ ଧର୍ମାଚାର୍ଯ୍ୟ,ଗବେଷକ ପରଂବ୍ରହ୍ମଙ୍କର ଅବସ୍ଥିତିର ପ୍ରମାଣ ଦେବା ପାଇଁ ଅନେକ ପ୍ରୟାସ କରିଛନ୍ତି, ଯାହା ଏବେ ବି ଜାରି ରହିଛି। ଅନ୍ୟଟି ହେଲା, ବାରମ୍ବାର ବିଧର୍ମୀଙ୍କ ଆକ୍ରମଣ, ପଥର ଖସିବା, ସେବାରେ ବିଶୃଙ୍ଖଳା ଆଦି କାରଣରୁ ମହାପ୍ରଭୁଙ୍କ ଶ୍ରୀମନ୍ଦିର ଓ ପୁରୀ ଭୁଲ କାରଣ ପାଇଁ ଚର୍ଚ୍ଚାକୁ ଆସିଛି। ତେବେ ବିଳମ୍ବରେ ହେଲେ ବି ପୁରୀର ବିକାଶ ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ମହାପ୍ରଭୁଙ୍କ ପୁରୀ ସହିତ ଅବଶିଷ୍ଟ ବିଶ୍ବକୁ ଯୋଡିବା ତଥା ଭକ୍ତ-ଭଗବାନଙ୍କ ମଧ୍ୟରେ ଦୂରତା ହ୍ରାସ କରି ଶ୍ରୀକ୍ଷେତ୍ରକୁ ସର୍ବଶ୍ରେଷ୍ଠ ଧାର୍ମିକ ତଥା ଐତିହ୍ୟ କ୍ଷେତ୍ରରେ ପରିଣତ କରିବା ଲାଗି ଏବେ ଏହି ପ୍ରକଳ୍ପ ସାହାଯ୍ୟ କରିବ। ବିଶ୍ବସ୍ତରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଦୃତି ଓ ଆଦରରେ ଏହି ପ୍ରକଳ୍ପ ସହାୟକ ହେବ ଏବଂ ସଂସ୍କୃତି ପ୍ରେମୀ, ଐତିହାସିକ, ବିଭିନ୍ନ ଧର୍ମାବଲମ୍ବୀ, ପର୍ଯ୍ୟଟକଙ୍କୁ ଶ୍ରୀଜଗନ୍ନାଥ ମନସ୍କ କରିବ।

ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ୧୭୩୯ ମସିହାରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଯେଭଳି ସବୁଜ ଥିଲା, ଠିକ୍ ସେମିତି ପରିବେଶ ସୃଷ୍ଟି କରାଯିବ। ଶ୍ରୀମନ୍ଦିର ଚାରିପାଖକୁ ସବୁଜ ବଳୟ କରି ତା’ ପାଖରେ ଫୁଟ୍ ପାଥ୍ ନିର୍ମାଣ ହେବ, ଯେଉଁଥିରେ ଶ୍ରଦ୍ଧାଳୁ ପରିକ୍ରମା କରିବେ। ମଠ ଆଦି ଭଙ୍ଗା ଯାଇଥିଲେ ବି ସେମାନଙ୍କ ମୂଳ ଶୈଳୀରେ ତଥା ଐତିହ୍ୟ ଛାପ ସହିତ ପୁନଃ ନିର୍ମାଣ କରାଯିବ। ଏହା ସହିତ ଶ୍ରୀମନ୍ଦିର ସଂଲଗ୍ନ ଅନ୍ୟ ୧୦ଟି ପ୍ରକଳ୍ପ ହାତକୁ ନିଆଯାଉଛି।

ଏହାବ୍ୟତୀତ ପୁରୀ ଲାଗି ପ୍ରସ୍ତୁତ କରାଯାଇଥିବା ଐତିହ୍ୟ ବିକାଶ କାର୍ଯ୍ୟକ୍ରମରେ ବହୁତଳ ବିଶିଷ୍ଟ କାର୍ ପାର୍କିଂ, ଅତ୍ୟାଧୁନିକ ମାର୍କେଟିଂ କଂପ୍ଲେକ୍ସ, ଦୋକାନମୁକ୍ତ ସମୁଦ୍ରକୂଳ, ଗବେଷଣା କେନ୍ଦ୍ର, ବିଦେଶୀ ଭକ୍ତଙ୍କ ପାଇଁ ଇଣ୍ଟର ପ୍ରିଟିସନ୍ ସେଣ୍ଟର, ଶ୍ରୀ ସେତୁ, ଜବରଦଖଲ ମୁକ୍ତ ବଡ଼ଦାଣ୍ଡ, ମୂଷା ଓ ମଙ୍ଗଳା ନଦୀର ପୁନରୁଦ୍ଧାର ଭଳି ଅନେକ ପ୍ରକଳ୍ପ ରହିଛି। ସମୁଦ୍ର କୂଳରେ ବିଚ୍ ଆକ୍ବାରିୟମ୍ ଏବଂ ପୁରୀକୁ ବିଶ୍ବ ସହିତ ଯୋଡ଼ିବା ଲାଗି ଅନ୍ତର୍ଜାତୀୟ ବିମାନବନ୍ଦର କରାଯିବ। କରୋନା ପାଇଁ ପ୍ରକଳ୍ପ କାର୍ଯ୍ୟାରମ୍ଭ ବିଳମ୍ବ ହୋଇଥିଲେ ବି ୨୦୨୪ ମସିହା ସୁଦ୍ଧା ଏସବୁ ପ୍ରକଳ୍ପ ଶେଷ କରିବାକୁ ଲକ୍ଷ୍ୟ କରାଯାଇଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ପଞ୍ଚମ ପାଳି କ୍ଷମତାକୁ ଆସିବା ପରେ ସେବର୍ଷ ଗଣେଶ ଚତୁର୍ଥୀ ଦିନ ଶ୍ରୀଜଗନ୍ନାଥ କ୍ଷେତ୍ର ପୁରୀକୁ ବିଶ୍ବ ଐତିହ୍ୟସ୍ଥଳୀରେ ପରିବର୍ତ୍ତନ କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ସରକାରଙ୍କ ପକ୍ଷରୁ ଦିଆଯାଇଥିଲା। ପରେ ସେହିବର୍ଷ ଜନ୍ମାଷ୍ଟମୀ ଅବସରରେ ମହାପ୍ରଭୁଙ୍କ ମହାଯୋଜନାର ନକ୍ସା ଉନ୍ମୋଚିତ ହୋଇଥିଲା। ସରକାର ଦୁଇବର୍ଷ ମଧ୍ୟରେ ପୁରୀର ଚିତ୍ର ବଦଳିବ ବୋଲି ସୂଚନା ଦେଇଥିଲେ ହେଁ କରୋନା ବାଟ ବନ୍ଦ କରିବାରୁ ପ୍ରକଳ୍ପ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।

ଅନ୍ୟପଟରେ ଗତ ଜାନୁଆରି ପହିଲାରେ ପୁରୀରେ ଅନ୍ତର୍ଜାତୀୟ ବିମାନ ବନ୍ଦର ଲାଗି ମୁଖ୍ୟମନ୍ତ୍ରୀ ଚିଠି ଲେଖିଥିଲେ। ଗତକାଲି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହି ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନ ଦେଇଥିବା କହିଛନ୍ତି। ଏମିତି ଏକ ପରିବେଶ ଭିତରେ ଆସନ୍ତାକାଲି ଶ୍ରୀମନ୍ଦିର ସଂଲଗ୍ନ ଏକ ମୁଖ୍ୟ ପ୍ରକଳ୍ପର କାର୍ଯ୍ୟାରମ୍ଭ ହେଉଛି। ପୁରୀର ବିକାଶ ଲାଗି ଗୋଟିଏ ସମୟରେ ପାଖାପାଖି ୩ହଜାର ୨ଶହ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ (ଅବଡ଼ା ଯୋଜନା) ପୂର୍ବରୁ କେବେ ହୋଇନଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe