ଦୀପାବଳିରେ ଫୁଟିବ ସବୁଜ ବାଣ, ହାଇକୋର୍ଟଙ୍କଠାରୁ ଅନୁମତି ମିଳିଲା

Advertisment

ରାତି ୮ଟାରୁ ୧୦ ଭିତରେ ଫୁଟାଇ ପାରିବେ, ପେସୋ ସାର୍ଟିଫିକେଟ ଥିବା ଡିଲରଙ୍କୁ ମଞ୍ଜୁରି

ରାତି ୮ଟାରୁ ୧୦ ଭିତରେ ଫୁଟାଇ ପାରିବେ, ପେସୋ ସାର୍ଟିଫିକେଟ ଥିବା ଡିଲରଙ୍କୁ ମଞ୍ଜୁରି

ଦୀପାବଳିରେ ଫୁଟିବ ସବୁଜ ବାଣ, ହାଇକୋର୍ଟଙ୍କଠାରୁ ଅନୁମତି ମିଳିଲା

The Quint

କଟକ : ଆସନ୍ତା ଦୀପାବଳିରେ ବାଣ ଫୁଟାଇବା ଲାଗି ହାଇକୋର୍ଟ ଅନୁମତି ପ୍ରଦାନ କରିଛନ୍ତି। କେବଳ ଗ୍ରିନ୍ କ୍ରାକର ବା ସବୁଜ ବାଣ ବିକ୍ରି ଓ ଫୁଟାଇବା ପାଇଁ ଅନୁମତି ମିଳିଛି। ଦୀପାବଳିରେ ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟିବ। ନିୟମ ଉଲ୍ଲଂଘନ କରୁଥିବା ବ୍ୟକ୍ତି ଦଣ୍ଡିତ ହେବେ। ସୋମବାର ଦିନ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଜଷ୍ଟିସ୍ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ବିଚାର କରି ସର୍ତ ସହିତ ଏଭଳି ନିର୍ଦେଶ ଦେଇଛନ୍ତି।

ଖଣ୍ଡପୀଠ କହିଛନ୍ତି ଯେ ଗ୍ରିନ୍ କ୍ରାକର ଅନୁମତି ପ୍ରସଂଗରେ ସୁପ୍ରିମକୋର୍ଟଙ୍କ ରାୟ କାର୍ଯ୍ୟକାରୀ କରାଯିବ। ସ୍ବତନ୍ତ୍ର ରିଲିଫ କମିସନରଙ୍କ ନିର୍ଦ୍ଦେଶନାମା ଅନୁସାରେ ଯେଉଁ ଡିଲର୍‌ମାନେ ସେମାନଙ୍କ ଷ୍ଟକ୍ ଯାଞ୍ଚ୍ ପରେ ପେଟ୍ରୋଲିୟମ୍ ଆଣ୍ଡ୍ ଏକ୍ସପ୍ଲୋସିଭସ୍ ସେଫ୍‌ଟି ଅର୍ଗାନାଇଜେସନ୍ (ପେସୋ) ନିକଟରୁ ସାର୍ଟିଫିକେଟ ହାସଲ କରିବେ, ସେମାନଙ୍କୁ କେବଳ ବାଣ ବିକ୍ରି ପାଇଁ ଅନୁମତି ଦିଆଯିବ। ସିଏସଆଇଆର-ନ୍ୟାସନାଲ ଏନଭାରୋନମେଣ୍ଟାଲ୍ ଇଂଜିନୟରିଂ ରିସର୍ଚ୍ଚ ଦ୍ବାରା ପ୍ରସ୍ତାବିତ ଫର୍ମୁଲାରେ ଏହି ବାଣ ପ୍ରସ୍ତୁତ ହୋଇଥିବ। ପେସୋ ଦ୍ବାରା ପ୍ରଦାନ କରାଯାଇଥିବା ସାର୍ଟିଫିକେଟ ଜିଲ୍ଲା ପ୍ରଶାସନ/ପୁଲିସ କମିସନରଙ୍କ ନିକଟରେ ଦାଖଲ କରାଯିବା ପରେ ଡିଲରଙ୍କୁ ଗ୍ରିନ୍ କ୍ରାକର ବିକ୍ରି ପାଇଁ ଅନୁମତି ମିଳିବ।

ହାତରେ ସୀମିତ ସମୟ ଥିବାବେଳେ ଏସଆରସିଙ୍କ ନିର୍ଦ୍ଦେଶନାମାରେ ରହିଥିବା ଏଭଳି ପେସୋ ସାର୍ଟିଫିକେଟ ସର୍ତ୍ତକୁ ନେଇ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଏସମ୍ପର୍କରେ ହାଇକୋର୍ଟ କହିଛନ୍ତି ଯେ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ପାଇଁ ପେସୋ ଏହାର ଅଧିକାରୀଙ୍କ ଟିମ୍ ସଂପ୍ରସାରଣ କରିପାରିବ।

ସୋମବାର ଦିନ ମାମଲାର ଶୁଣାଣି ସମୟରେ ଗତ ୨୯ ତାରିଖରେ ବାଣ ଅନୁମତି ପ୍ରସଂଗରେ ଡିଲର ସଂଘ ଓ କେତେକ ଡିଲରଙ୍କ ପକ୍ଷ ଶୁଣିବା ପରେ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଏସ୍‌ଆରସି ଅକ୍ଟୋବର ୩୧ରେ ପ୍ରଦାନ କରିଥିବା ନିର୍ଦ୍ଦେଶାବଳୀ ସଂପର୍କିତ ରିପୋର୍ଟ ହାଇକୋର୍ଟରେ ସରକାରଙ୍କ ପକ୍ଷରୁ ଦାଖଲ କରାଯାଇଥିଲା। ହାଇକୋର୍ଟ ଏସଆରସିଙ୍କ ନିଷ୍ପତ୍ତିକୁ ଗ୍ରହଣ କରିଥିଲେ। ଫଳରେ ଚଳିତବର୍ଷ ଦୀପାବଳି ସମୟରେ ଗ୍ରିନ୍ କ୍ରାକର ବ୍ୟତୀତ ଅନ୍ୟ ବାଣ ବିକ୍ରି ହୋଇ ପାରିବନାହିଁ। ଏଥିସହିତ କୋଭିଡ ନିୟମାବଳୀ ମଧ୍ୟ ବାଣ ବିକ୍ରି ବେଳେ କଡ଼ାକଡ଼ି ପାଳନ କରାଯିବ। ଇଣ୍ଟରନେଟ୍‌ରେ ବାଣ ବିକ୍ରି ନିଷେଧ କରାଯାଇଛି। ଏହି ସବୁ ନିୟମାବଳୀ କାର୍ଯ୍ୟକାରୀ ପାଇଁ ଜିଲ୍ଲା ପ୍ରଶାସନ/ପୁଲିସ କମିସନରଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ନିଷେଧ କରାଯାଇଥିବା/ବିଷାକ୍ତ ଓ ବିନାଅନୁମତି ଥିବା ବାଣ ବିକ୍ରି ଉପରେ କଟକଣା ସୁନିଶ୍ଚିତ କରିବାକୁ କୁହାଯାଇଛି।

ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଗୌତମ ମୁଖାର୍ଜୀ, ରାଜ୍ୟ ସରକାରଙ୍କ ତରଫରୁ ଆଡଭୋକେଟ୍‌ ଜେନେରାଲ ଅଶୋକ କୁମାର ପରିଜା, ଏଜିଏ ଦେବକାନ୍ତ ମହାନ୍ତି, କେନ୍ଦ୍ର ସରକାରଙ୍କ ତରଫରୁ ଏଏସ୍‌ଜି ପ୍ରସନ୍ନ କୁମାର ପାଢୀ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe