କମୁଛି ଭୂତଳ ଜଳସ୍ତର, ଫେଲ୍ ମାରୁଛି ବୋରୱେଲ

Advertisment
କମୁଛି ଭୂତଳ ଜଳସ୍ତର, ଫେଲ୍ ମାରୁଛି ବୋରୱେଲ

tubewells.com

ଦେବଗଡ଼ : କ୍ରମଶଃ ଜିଲ୍ଲାର ଜଙ୍ଗଲ ନଷ୍ଟ ହେବା ଦ୍ୱାରା ଭୂତଳ ଜଳସ୍ତର କମିବାରରେ ଲାଗିଛି। ଫଳରେ ଜିଲ୍ଲାର ବୋରୱେଲ ଖୋଳିଲେ ମଧ୍ୟ ପାଣି ବାହାରୁ ନାହିଁ। ତେଣୁ ଲୋକେ ଚିନ୍ତାରେ ପଡ଼ିଛନ୍ତି।

ଅବାଧରେ ଜଙ୍ଗଲ କାଟ ଓ ନିଆଁ ଲାଗିବା ଦ୍ୱାରା ଜଙ୍ଗଲ ନଷ୍ଟ ହେଉଛି। ଯେତିକି ପରିମାଣର ଜଙ୍ଗଲ ନଷ୍ଟ ହେଉଛି ସେତିକି ପରିମାଣର ବୃଷରୋପଣ ମଧ୍ୟ କରାଯାଉ ନାହିଁ। ଏହି ସବୁ କାରଣରୁ ଭୂତଳ ଜଳସ୍ତର ବି କମୁଛି। ଯେଉଁଥି ପାଇଁ ଜିଲ୍ଲାରେ ଦିନକୁ ଦିନ ପାନୀୟ ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଛି। ଗୋଟିଏ ପଟେ ପ୍ରଧାନପାଟ ଜଳପ୍ରପାତର ଜଳଧାରା ଶୁଖିବାରେ ଲାଗିଥିବା ବେଳେ ଅନ୍ୟପଟେ ଭୂତଳ ଜଳସ୍ତର କମି କମି ଯାଉଛି। ତା’ସହିତ ଏବେଠାରୁ ଜିଲ୍ଲାର ବିଭିନ୍ନ କୂଅ, ପୋଖରୀ ଗୁଡିକ ମଧ୍ୟ ଶୁଖିବାକୁ ବସିଲାଣି। କିନ୍ତୁ ଏବେ ଖରା ମାସ ଆରମ୍ଭ ହୋଇଥିବା ବେଳେ ଶୀତଦିନଠାରୁ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଜଳକଷ୍ଟ ଦେଖିବାକୁ ମିଳୁଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବୋରୱେଲ ଖୋଳିଲେ ଅଧିକରୁ ଅଧିକ ସ୍ଥାନରେ ତାହା ଫେଲ ମାରୁଛି। କେଉଁଠି ବହୁ ଖୋଳିଲା ପରେ ମଧ୍ୟ ପାଣି ବାହାରୁ ନାହିଁ ତ ଆଉ କେଉଁଠି ପାଣି ବାହାରିଲେ ବି ତାହା ପିଇବା ପାଇଁ ଅନୁପଯୁକ୍ତ।

ଏହା ସହିତ କିଛି ବର୍ଷ ବୋରୱେଲରୁ ପାଣି ଝରିବା ପରେ ଭୂତଳ ଜଳ କମିଯାଉଥିବାରୁ ତାହା ବି ଅକାମୀ ହୋଇଯାଉଛି ଏବଂ ପାଣି ସେଥିରୁ ବାହାରୁ ନାହିଁ। ଏପରିକି ପ୍ରଧାନପାଟ ଜଳପ୍ରପାତରେ ମଧ୍ୟ ବୋରୱେଲେ ଖୋଳିଲେ ମଧ୍ୟ ତାହା ଫେଲ ମାରିବା ସହିତ ପର୍ଯ୍ୟାପ୍ତ ପରିମାଣର ପାଣି ବାହାରୁ ନାହିଁ। ବାମଣ୍ଡାର ତତ୍‌କାଳୀନ ରାଜା ସଚ୍ଚିତାନନ୍ଦ ତ୍ରିଭୁବନ ଦେବ ପ୍ରଧାନପାଟର ସୁରକ୍ଷାନେଇ ଏକ ମାର୍ବଲ ଖୋଦିତ ଶିଳାଲିପିରେ ଜନସାଧାରଣଙ୍କ ପାଇଁ ସତର୍କ ସୂଚନା ଲେଖିଥିଲେ। ପ୍ରଧାନପାଟ ଜଙ୍ଗଲ ଧ୍ୱଂସ ନେଇ ସେତେବେଳଠୁ ଅାଶଙ୍କା ହୋଇଥିଲା ଏବଂ ରାଜା ଏନେଇ ପାଣି ଶୁଖିବାର ଆଶଙ୍କା ନେଇ ଲୋକମାନଙ୍କୁ ସଚେତନ କରିଥିଲେ। ସେଇ ଦୂରଦର୍ଶୀ ରାଜାଙ୍କ କଥା ଆଜି ସତ ହେବାକୁ ଯାଉଛି। ପ୍ରଧାନପାଟର ଜଳଧାରା ଶୁଖିଯାଉଥିବା ବେଳେ ଅନ୍ୟପଟେ ଦେବଗଡ଼ ଭୂତଳ ଜଳସ୍ତର ପ୍ରତ୍ୟେକ ବର୍ଷ କମିବାରେ ଲାଗିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe