ଦଲାଲ୍‌ଙ୍କ କବଜାରେ ଚିନାବାଦାମ ବଜାର

Advertisment
ଦଲାଲ୍‌ଙ୍କ କବଜାରେ ଚିନାବାଦାମ ବଜାର

ଜଳେଶ୍ବର: ଉତ୍ତର ବାଲେଶ୍ବର ଅଞ୍ଚଳର ଚିନାବାଦାମ ବଜାର ଏବେ ଦଲାଲଙ୍କ କବଜାରେ ଥିବା ନେଇ ଅଭିଯୋଗ ହୋଇଛି। ଚାଷୀ ଚିନାବାଦାମ ବିକ୍ରି କରିବାର ୩ ମାସରୁ ଊର୍ଦ୍ଧ୍ବ ସମୟ ବିତିବାକୁ ଯାଉଥିଲେ ମଧ୍ୟ ୫୦ ପ୍ରତିଶତ ଚାଷୀଙ୍କୁ ସେମାନଙ୍କ ଫସଲର ଉପଯୁକ୍ତ ମୂଲ୍ୟ ମିଳି ନଥିବା ଅଭିଯୋଗ ହୋଇଛି।

ପ୍ରତିବର୍ଷ ବାଲେଶ୍ବର ଜିଲ୍ଲାରେ ରବିଋତୁରେ ପାଖାପାଖି ୧୫ ହଜାର ହେକ୍ଟର ଜମିରେ ଚିନାବାଦାମ ଚାଷ ହୋଇଥାଏ। ଏହାର ଅଧାରୁ ଅଧିକ କେବଳ ଉତ୍ତର ବାଲେଶ୍ବରର ବାଲିଆପାଳ, ଭୋଗରାଇ, ଜଳେଶ୍ବର ଅଞ୍ଚଳରେ ହୋଇଥାଏ। ଲାଭଜନକ ଚାଷ ହୋଇଥିବାରୁ ଅଞ୍ଚଳରେ ପାଖାପାଖି ୧୦ ହଜାର ଚିନାବାଦାମ ଚାଷ କରିଥାନ୍ତି। ସବୁଠାରୁ ଅଧିକ ଚାଷୀ ରହିଛନ୍ତି ବାଲିଆପାଳ ବ୍ଲକରେ। କୃଷି ବିଭାଗର ରିପୋର୍ଟ ଅନୁଯାୟୀ ଗତ ରବିଋତୁରେ ବାଲିଆପାଳ ବ୍ଲକରେ ୪ ହଜାର ହେକ୍ଟର, ଭୋଗରାଇ ବ୍ଲକରେ ୩ ହଜାର ହେକ୍ଟର ଓ ଜଳେଶ୍ବର ବ୍ଲକରେ ୧୫ଶହ ହେକ୍ଟର ଜମିରେ ଅର୍ଥାତ ମୋଟ ୮୫୦୦ ହେକ୍ଟର ଜମିରେ ଚିନାବାଦାମ ଚାଷ ହୋଇଥିଲା। ଗତବର୍ଷ ଡିସେମ୍ବର ମାସ ଦ୍ବିତୀୟ ସପ୍ତାହରେ ଚାଷୀ ଚିନାବାଦାମ ଚାଷ ଆରମ୍ଭ କରିଥିବା ବେଳେ ଏହାର ୪ ମାସ ପରେ ଅର୍ଥାତ୍ ଏପ୍ରିଲ ଶେଷ ସପ୍ତାହ ସୁଦ୍ଧା ଅମଳ କାମ ସାରିଥିଲେ। ଚାଷ ଆରମ୍ଭରୁ ପ୍ରତିକୂଳ ପାଗ ସହ ବିହନ ଅଭାବ ଆଦି ଅନ୍ତରାୟ ହୋଇଥିଲେ ବି ଫସଲ ଅମଳ ପରେ ଚାଷୀ ସବୁ ଦୁଃଖ ଭୁଲି ଯାଇଥିଲେ। ସେଥିରେ ସରକାର ବିଳମ୍ବରେ ଚିନାବାଦାମ ମଣ୍ଡି ଖୋଲିବା ପାଇଁ ଘୋଷଣା କଲେ। ହେଲେ ଆଶ୍ଚର୍ଯ୍ୟର କଥା ୧୦ ହଜାରରୁ ଊର୍ଦ୍ଧ୍ବ ଚାଷୀଙ୍କ ପାଇଁ ସରକାର ମାତ୍ର ୫ଟି ମଣ୍ଡି ଖୋଲିଥିଲେ।

ସେପଟେ ମଣ୍ଡି ତୁଳନାରେ ବେପାରୀ ଚାଷୀଙ୍କଠାରୁ ଅଧିକ ଦରରେ ଚିନାବାଦାମ କିଣିଥିଲେ। ଫଳରେ ମଣ୍ଡି ବଦଳରେ ଚାଷୀ ବେପାରୀ ହାତକୁ ଉତ୍ପାଦିତ ଚିନାବାଦାମ ଟେକି ଦେବାକୁ ବାଧ୍ୟ ହୋଇଥିଲେ। ହେଲେ ଚିନାବାଦାମ ବିକ୍ରି କରି କିଏ ଦୁଇମାସ ତ ଆଉ ଆଉ କିଏ ୩ ମାସ ପରେ ବି ଟଙ୍କାଟିଏ ପାଇନାହାନ୍ତି। ଆଜି ଦେବି, କାଲି ଦେବି କହି ବେପାରୀ ଦିନ ଗଡ଼ାଇ ଚାଲିଥିବା ବେଳେ ଚାଷୀ ଘରର ଦୈନନ୍ଦିନ ଖର୍ଚ୍ଚ ସହିତ ଖରିଫ ଚାଷ ଖର୍ଚ୍ଚ ପାଇଁ ନାକେଦମ ହେଉଥିବା କହିଛନ୍ତି ବାଲିଆପାଳ ବ୍ଲକ ବଢ଼ାପାଳ ଗ୍ରାମର ଚାଷୀ ନାକଫୁଡ଼ି ଦାସ। ଗ୍ରାମର ଆଉ ଜଣେ ଚାଷୀ ପୂର୍ଣ୍ଣଚନ୍ଦ୍ର ଦାସ ମଧ୍ୟ ସେହି ସମାନ କଥା ଦୋହରାଇଛନ୍ତି। ଚିନାବାଦାମର ସହାୟକ ମୂଲ୍ୟ ବୃଦ୍ଧି କରିବା ସହ ଯେଉଁ ଯେଉଁ ପଞ୍ଚାୟତରେ ଅଧିକ ପରିମାଣର ଚାଷ ହେଉଛି ସେହି ଅନୁସାରେ ମଣ୍ଡି ଖୋଲିବା ପାଇଁ ଅଞ୍ଚଳର ଚାଷୀମାନେ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe