କାଉନ୍‌ସିଲରଙ୍କ ଶୋଭାଯାତ୍ରା ବେଳେ ମୁହାଁମୁହିଁ: ଭଦ୍ରକ ପୁରୁଣାବଜାର ଅଞ୍ଚଳରେ ୧୪୪ ଧାରା

Advertisment

ଧସ୍ତାଧସ୍ତି, ଟେକାପଥର, ଭଙ୍ଗା କାଚ ବୋତଲ ଫିଙ୍ଗାଫିଙ୍ଗି, ୭ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ, ୨୦ ପୁଲିସ ଅଧିକାରୀ ମୁତୟନ

ଧସ୍ତାଧସ୍ତି, ଟେକାପଥର, ଭଙ୍ଗା କାଚ ବୋତଲ ଫିଙ୍ଗାଫିଙ୍ଗି, ୭ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ, ୨୦ ପୁଲିସ ଅଧିକାରୀ ମୁତୟନ

କାଉନ୍‌ସିଲରଙ୍କ ଶୋଭାଯାତ୍ରା ବେଳେ ମୁହାଁମୁହିଁ: ଭଦ୍ରକ ପୁରୁଣାବଜାର ଅଞ୍ଚଳରେ ୧୪୪ ଧାରା

ଭଦ୍ରକ : ଭଦ୍ରକ ସହର ପୁରୁଣାବଜାର ୧୪ ନମ୍ବର ୱାର୍ଡ କାଉନସିଲର୍‌ଙ୍କ ଶୋଭାଯାତ୍ରା ବେଳେ ସୋମବାର ଦିନ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଉଭୟ ପକ୍ଷ ପରସ୍ପରକୁ ଟେକାପଥର, ଭଙ୍ଗା ବୋତଲ ଫିଙ୍ଗିବା ଫଳରେ ୨ ଜଣ ପୁଲିସ କର୍ମଚାରୀଙ୍କ ସମେତ କିଛି ବ୍ୟକ୍ତି ଆହତ ହୋଇଛନ୍ତି। ସ୍ଥିତି ଅଣାୟତ୍ତ ହେବାରୁ ପୁରୁଣାବଜାରରେ ୧୪୪ ଧାରା ଜାରି କରାଯିବା ସହ ସମଗ୍ର ଅଞ୍ଚଳକୁ ନିଜ କବ୍‌ଜାରେ ରଖିଛି ପୁଲିସ। ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ଜଣେ ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ବରେ ଘଟଣାସ୍ଥଳରେ ୨୦ ଜଣ ପୁଲିସ ଅଧିକାରୀ ଓ ୭ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି।

ଭଦ୍ରକ ପୌରପାଳିକା ୧୪ ନମ୍ବର ୱାର୍ଡର ସ୍ବାଧୀନ କାଉନ୍‌ସିଲର ଦୁଇଦିନ ପୂର୍ବରୁ ଯାଜପୁର ଜିଲ୍ଲାର ଧର୍ମଶାଳାଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜେଡିରେ ମିଶିଥିଲେ। ଏହି ଖବର ପ୍ରଚାରିତ ହେବାପରେ ପୁରୁଣାବଜାର ଅଞ୍ଚଳରେ ତୀବ୍ର ଅସନ୍ତୋ‌ଷ ପ୍ରକାଶ ପାଇବା ସହ ସଂପୃକ୍ତ କାଉନସିଲରଙ୍କର କୁଶପୁତ୍ତଳିକା ଦାହ କରାଯାଇଥିଲା। ଆଜି ଏହି କାଉନ୍‌ସିଲରଙ୍କୁ ନେଇ ସପକ୍ଷବାଦୀ ଗୋଷ୍ଠୀ ଶୋଭାଯାତ୍ରାରେ ସହର ପରିକ୍ରମା ବେଳେ ବିପକ୍ଷ ଗୋ‌ଷ୍ଠୀ ବିରୋଧ କରିଥିଲେ। ସ୍ବାଧୀନ ଭାବରେ ଭୋଟ୍‌ ଦେଇ ଜିତାଇଲୁ। ଏବେ ବିଜେଡିରେ ମିଶିଲ କାହିଁକି ବୋଲି ପଚାରି ଅନ୍ୟ ଗୋଷ୍ଠୀ ପ୍ରତିବାଦ କରିଥିଲେ। ଏହାକୁ ନେଇ ଦୁଇଗୋଷ୍ଠୀ ପ୍ରଥମେ ବାକ୍‌ବିତଣ୍ଡା​ ହୋଇ ପରସ୍ପରକୁ ଟେକାପଥର, ଭଙ୍ଗା କାଚ ବୋତଲ ଫିଙ୍ଗାଫିଙ୍ଗି ହୋଇଥିଲେ। ଏଥିରେ ଦୁଇଜଣ ପୁଲିସ କର୍ମଚାରୀଙ୍କ ସହିତ କିଛି ଗଣ୍ଡ‌ଗୋଳକାରୀ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ପୁଲିସ ଲାଠି ଧରି ଗୋଡ଼ାଇଥିଲା, କିନ୍ତୁ ଗଣ୍ଡଗୋଳ ଥମିନଥିଲା।

ପରିସ୍ଥିତି ଅଧିକ ଜଟିଳ ‌ହେବାରୁ ଭଦ୍ରକ ଉପଜିଲ୍ଲାପାଳ ମନୋଜ ପାତ୍ର ସମ୍ପୃକ୍ତ ଅଞ୍ଚଳରେ ୧୪୪ ଧାରା ଜାରି କରିଥିଲେ। ଆଜି ସନ୍ଧ୍ୟା ସାଢ଼େ ୭ଟାରୁ ଆସନ୍ତାକାଲି ସକାଳ ୮ଟା ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ ବୋଲି ଘୋଷଣା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe