ଛେଳି ଫସଲ ଖାଇବାକୁ ନେଇ ୨ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ

ଛେଳି ଫସଲ ଖାଇବାକୁ ନେଇ ୨ ପରିବାର ମଧ୍ୟରେ ରକ୍ତାକ୍ତ ସଂଘର୍ଷ

ଦଶପଲ୍ଲା : ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଭୋଗବାଡି ପଞ୍ଚାୟତର ଭୋଗବାଡି ଗ୍ରାମରେ ବୁଧବାର ଦିନ ଜମିରେ ଛେଳି ଫସଲ ଖାଇବାକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ ସଂଘର୍ଷ। ଏଥିରେ ୪ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ନୟାଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଭୋଗବାଡ଼ି ଗ୍ରାମର ଈଶ୍ୱର ମହାକୁଡ ଏବଂ ନିଧିକିଆରୀ ଗ୍ରାମର ବିଦେଶୀ ପ୍ରଧାନ (୪୨) ସଂପର୍କରେ ମାମୁ ପୁଅ। ଜମିବାଡିକୁ କେନ୍ଦ୍ର କରି ଏହି ଦୁଇ ପରିବାର ମଧ୍ୟରେ ଦୀର୍ଘ ଦିନଧରି ପାରିବାରିକ କଳହ ଲାଗି ରହିଥିଲା। ବୁଧବାର ଦିନ ବିଦେଶୀ ପ୍ରଧାନ ଗାଁ ନିକଟସ୍ଥ ଶୁଳିଆ ପାହାଡକୁ ଛେଳି ଚରାଇବା ପାଇଁ ଯାଇଥିଲା। ମାତ୍ର ଈଶ୍ୱର ମହାକୁଡ ଜମିରେ ଲାଗିଥିବା ବିରି ଓ ଧାନ ଗଛକୁ ବିଦେଶୀର ଛେଳି ଖାଇଥିଲା। ଈଶ୍ୱର ଏ ସଂପର୍କରେ ବିଦେଶୀକୁ ପଚାରିବାରୁ ଦୁଇ ଜଣଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ ହୋଇଥିଲା। ପରେ ଟାଙ୍ଗିଆ, କଟୁରି ଧରି ଉଭୟ ଉଭୟଙ୍କୁ ଆକ୍ରମଣ କରିଥିଲେ।

ଈଶ୍ୱରର ହାତରେ ଗଭୀର ଆଘାତ ଲାଗିବା ସହ ତାର ଶଳା ସନ୍ତୋଷ ଗୁରୁତର ହୋଇ ପଡିଥିଲା। ଏପଟେ ବିଦେଶୀ ପ୍ରଧାନ ଏବଂ ଭାଇ ଭଞ୍ଜ ପ୍ରଧାନଙ୍କ ଅବସ୍ଥା ମଧ୍ୟ ଗୁରୁତର ହୋଇ ପଡିଥିଲା। ଏମାନଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଈଶ୍ୱର ଏବଂ ସନ୍ତୋଷର ଅବସ୍ଥା ସଂକଟାପନ୍ନ ଥିବାରୁ ସେମାନଙ୍କୁ ନୟାଗଡ଼ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଦଶପଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ବିଦେଶୀ ଏବଂ ଭଞ୍ଜ ଚିକିତ୍ସିତ ହେଉଛନ୍ତି। ମାତ୍ର ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଉଭୟ ପକ୍ଷରୁ କେହି ବି ଥାନାରେ ଅଭିଯୋଗ କରି ନଥିବା ପୁଲିସ୍‌ ସୂତ୍ରରୁ ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe