ଶ୍ମଶାନରେ ଗାର୍ଡ ଅଫ୍ ଅନର୍‌: ଅଙ୍ଗଦାନ କରି ଅମର ହୋଇଗଲେ ଶିବୁନ

ଶ୍ମଶାନରେ ଗାର୍ଡ ଅଫ୍ ଅନର୍‌: ଅଙ୍ଗଦାନ କରି ଅମର ହୋଇଗଲେ ଶିବୁନ

ନୟାଗଡ଼: ମାତ୍ର ୨୫ ବର୍ଷ ବୟସରେ ଆଖି ବୁଜିଥିବା ନୟାଗଡ଼ ପୁରୁଣା ସହରର ଶିବୁନ ସାହୁ ଅଙ୍ଗଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ପପି ସାହୁଙ୍କ ପୁଅ ଶିବୁନ ଗଣିଆରେ ରହୁଥିବା ନିଜ ମାଉସୀ ଘରକୁ ବୁଲିବାକୁ ଯାଇଥିଲେ। ଗତ ଶନିବାର ରାତିରେ ଘର ଛାତ ଉପରେ ଶୋଇଥିଲେ। ପରିସ୍ରା ଯିବା ପାଇଁ ଉଠିଥିବା ବେଳେ ଅସାବଧାନତାବଶତଃ ଦୁଇ ମହଲା ଛାତ ଉପରୁ ଖସି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବର ଏମ୍‌ସକୁ ନିଆଯାଇଥିଲା। ସେଠାରେ ଚାରି ଦିନ ଧରି ଚିକିତ୍ସା ଚାଲିଥିବା ବେଳେ ତାଙ୍କର ବ୍ରେନ୍-ଡେଡ୍ ହୋଇଯାଇଥିଲା।

ଶିବୁନଙ୍କ ଅଙ୍ଗଦାନ ପାଇଁ ସ୍ବେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଓ ସଂପର୍କୀୟ ବୁଝାଇବା ପରେ ଏଥିରେ ରାଜି ହୋଇଥିଲେ ବାପା ପପି ସାହୁ। ଗତକାଲି ଶିବୁନଙ୍କୁ ଡାକ୍ତର ମୃତ ଘୋଷଣା କରିବା ପରେ ପରିବାର ଲୋକ ତାଙ୍କର ଅଙ୍ଗଦାନ କରିଥିଲେ। ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କଠାରେ ଶିବୁନଙ୍କ ଲିଭର ଓ କିଡ୍‌ନି ପ୍ରତିରୋପଣ କରାଯାଇଥିବା ବାପା ପପି ସୂଚନା ପ୍ରଦାନ କରିଛନ୍ତି। ଆଜି ନୟାଗଡ଼ ପୁରୁଣା ସହରସ୍ଥିତ ବାସଭବନରେ ଶିବୁନଙ୍କ ମୃତଦେହ ପହଞ୍ଚିବା ପରେ ତାଙ୍କର ଶେଷଦର୍ଶନ ପାଇଁ ବହୁ ଲୋକଙ୍କର ଭିଡ଼ ଜମିଥିଲା। ଶ୍ମଶାନରେ ଗାର୍ଡ ଅଫ୍ ଅନର୍ ଦିଆଯିବା ପରେ ଶୋକାକୁଳ ପରିବେଶରେ ଶେଷକୃତ୍ୟ ସଂପନ୍ନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe