କ୍ଷତି ସହୁଛନ୍ତି ପିଜୁଳି ଚାଷୀ,ମିଳୁନି ଉଚିତ୍ ବଜାର ଦର

ପିଜୁଳି ଏକ ଲାଭ ଜନକ ଚାଷ। ଏଥିରେ ପ୍ରଚୁର ପରିମାଣର ଭିଟାମିନ ସି ରହିଥାଏ। ଜୁଲାଇ ଓ ଅଗଷ୍ଟ ମାସରେ ମୁଖ୍ୟତଃ ଏହି ପିଜୁଳି ଗଛରେ ଫଳିଥାଏ। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର ବିଜୁଗୁଡା ଓ ପାତିଆ ଡଙ୍ଗରିଗୁଡ଼ାରେ ପ୍ରଚୁର ପରିମାଣର ପିଜୁଳି ଚାଷ ହେଉଥାଏ....

guava farmers are suffering losses, they are not getting the right market price.

guava farmers are suffering losses, they are not getting the right market price. Photograph: (sambad.in)

ଡାବୁଗାଁ: ପିଜୁଳି ଏକ ଲାଭ ଜନକ ଚାଷ। ଏଥିରେ ପ୍ରଚୁର ପରିମାଣର ଭିଟାମିନ ସି ରହିଥାଏ। ଜୁଲାଇ ଓ ଅଗଷ୍ଟ ମାସରେ ମୁଖ୍ୟତଃ ଏହି ପିଜୁଳି ଗଛରେ ଫଳିଥାଏ। ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର ବିଜୁଗୁଡା ଓ ପାତିଆ ଡଙ୍ଗରିଗୁଡ଼ାରେ ପ୍ରଚୁର ପରିମାଣର ପିଜୁଳି ଚାଷ ହେଉଥିବା ବେଳେ ଚାଷୀଙ୍କୁ କିନ୍ତୁ ଉଚିତ୍ ବଜାର ଦର ମିଳୁ ନ ଥିବାରୁ ସେମାନେ ବହୁତ କ୍ଷତି ସହୁଥିବା ଦେଖିବାକୁ ମିଳୁଛି। ଡାବୁଗାଁ ପଞ୍ଚାୟତ ଡୁମୁଣିଗୁଡା ଗ୍ରାମ ନିକଟ ବିଜୁଗୁଡା ଗ୍ରାମ ପିଜୁଳି ପାଇଁ ପ୍ରସିଦ୍ଧ ଅଟେ ।

ଏଠାରେ ପ୍ରାୟ ୨୦ ଆଦିବାସୀ ପରିବାର ରହୁଥିବା ବେଳେ ମୁଖ୍ୟତଃ ଧାନ ସହ ପିଜୁଳି ଚାଷ କରନ୍ତି। ୪୦ ଏକର ପରିମିତ ସ୍ଥାନରେ ଶହ ଶହ ପିଜୁଳି ଗଛ ରହିଛି। ପୀଢ଼ି ପୀଢ଼ି ଧରି ଏହି ଆଦିବାସୀ ପରିବାର ପିଜୁଳି ଗଛର ରକ୍ଷାଣବେକ୍ଷଣ କରିବା ସହ ଋତୁ ଅନୁଯାଇ ପିଜୁଳି ଫଳିଲେ ବଜାରରେ ବିକ୍ରି କରିଥାନ୍ତି।

ବିଶେଷ କରି ଜୁଲାଇ ଓ ଅଗଷ୍ଟ ମାସରେ ପ୍ରଚୁର ପିଜୁଳି ଫଳୁ ଥିବାରୁ ଏହି ଦୁଇ ମାସ ପିଜୁଳି ଚାଷୀ ବଜାରରେ ପିଜୁଳି ବିକ୍ରୀ କରିଥାନ୍ତି। ବଡ଼ି ଭୋର୍‌ରୁ ପରିବାରର ସ୍ତ୍ରୀ ପିଲା ସହ ସମସ୍ତେ ପିଜୁଳି ବାଡକୁ ଯାଇ ପ୍ଲାଷ୍ଟିକ ଟ୍ରେ ରେ ପିଜୁଳି ସଂଗ୍ରହ କରନ୍ତି।

ଗୋଟିଏ ପ୍ଲାଷ୍ଟିକ ଟ୍ରେରେ ପ୍ରାୟ ୨୦ କେଜି ପିଜୁଳି ରହିଥାଏ। କିଛି ବର୍ଷ ପୂର୍ବେ ବାଉଁଶ ଟୋକେଇ ରେ ଚାଷୀ ପିଜୁଳି ସଂଗ୍ରହ କରି ଡାବୁଗାଁ ବଜାର ରେ ଆଣି ବିକ୍ରି କରୁଥିବା ବେଳେ ବର୍ତ୍ତମାନ ବେପାରୀ ମାନେ ପିଜୁଳି ବଗିଚାକୁ ଯାଇ ସେଠାରୁ ପିଜୁଳି ନେଉଛନ୍ତି। ସେହି ପିଜୁଳି ଛତିଶଗଡ଼ର ରାୟପୁର ସହରକୁ ଯାଉଛି। ବର୍ତ୍ତମାନ ଡାବୁଗାଁ ବଜାରରେ ପିଜୁଳି କିଲୋ ୪୦ ଟଙ୍କା ରହିଥିବା ବେଳେ ପିଜୁଳି ଚାଷୀ କିନ୍ତୁ ମାତ୍ର ୮ ଟଙ୍କା କିଲୋ ଦରରେ ବିକ୍ରି କରୁଛନ୍ତି।

ଠିକ୍ ସମୟରେ ପିଜୁଳି ଗଛରୁ ବାହାରୁଥିବା ବେଳେ ବିକ୍ରି ହୋଇ ନ ପାରିଲେ ତାହା ଗଛ ତଳେ ପଡି ନଷ୍ଟ ହେଉଛି। ବେପାରୀମାନେ ପିଜୁଳି ବଗିଚାରେ ଆସି ନେଉଥିଲେ ସୁଦ୍ଧା ଚାଷୀଙ୍କୁ ଉଚିତ୍ ଦର ମିଳୁ ନାହିଁ। ବଜାରର ସୁବିଧା ନ ଥିବାରୁ ଚାଷୀ କମ୍ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ସେପଟେ କୃଷି ଉଦ୍ୟାନ ବିଭାଗ ତରଫରୁ ପିଜୁଳି ଚାଷୀଙ୍କୁ ଉପଯୁକ୍ତ ସହାୟତା ସହ ବଜାର ସୁଯୋଗ ସୃଷ୍ଟି କରୁ ନ ଥିବାରୁ ଚାଷୀ ବିଶେଷ କ୍ଷତି ସହୁଛନ୍ତି ।

ବର୍ଷ ତମାମ ମୁଣ୍ଡ ଝାଳ ତୁଣ୍ଡରେ ମାରି ପିଜୁଳି ବଗିଚା ଜଗା ରଖା ସହ ପିଜୁଳି ଗଛକୁ ଯତ୍ନ ନେଉଥିବା ଚାଷୀ ହତାଶ ହେଉଛନ୍ତି । ସରକାର ଏହି ପିଜୁଳି ଚାଷୀଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ଦେବା ସହ ପିଜୁଳି ବିକ୍ରୀ ନିମନ୍ତେ ବଜାର ସୃଷ୍ଟି କରିବାକୁ ବିଜୁ ଗୁଡା ଗ୍ରାମର ଚାଷୀ ଧନ ସିଂ ଜାନି, ଲବ ଜାନି, ଡମନାଥ ଜାନି,ରବି ଜାନି, ପଦମ ଜାନି,ଦୀନବନ୍ଧୁ ଜାନି ସହ ଅନ୍ୟ ଚାଷୀ ନିବେଦନ କରିଛନ୍ତି।

Nabarangpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe