୫ଶହ ଏକରରେ ଗୁଦାରି ଏୟାରଷ୍ଟ୍ରିପ୍‌ ୨୬ ବର୍ଷରେ ପରିତ୍ୟକ୍ତ

Advertisment

ପୂର୍ଣ୍ଣକାଳୀନ ବିମାନବନ୍ଦର ପ୍ରସ୍ତାବରେ ଅଟକିଛି, ‘ଉଡ଼ାନ୍‌’ରେ ସାମିଲ୍‌ ଦାବି

ପୂର୍ଣ୍ଣକାଳୀନ ବିମାନବନ୍ଦର ପ୍ରସ୍ତାବରେ ଅଟକିଛି, ‘ଉଡ଼ାନ୍‌’ରେ ସାମିଲ୍‌ ଦାବି

୫ଶହ ଏକରରେ ଗୁଦାରି ଏୟାରଷ୍ଟ୍ରିପ୍‌ ୨୬ ବର୍ଷରେ ପରିତ୍ୟକ୍ତ

ଫୁଲବାଣୀ: ସରକାର ଏବେ ବିଭିନ୍ନ ଜିଲ୍ଲାରେ ଥିବା ଏୟାର୍‌ଷ୍ଟ୍ରିପ୍‌ର ବିକାଶ କରାଇ ପୂର୍ଣ୍ଣକାଳୀନ ବିମାନ ବନ୍ଦରରେ ପରିଣତ କରୁଛନ୍ତି। କେନ୍ଦ୍ର ସରକାରଙ୍କ ‘ଉଡ଼ାନ୍‌’ ଯୋଜନାରେ ରାଜ୍ୟର କେତୋଟି ଏୟାର୍‌ଷ୍ଟ୍ରିପ୍‌ର ବିକାଶ କରାଯାଇ ବିମାନ ଚଳାଚଳ କରୁଛି। ମାତ୍ର, ଫୁଲବାଣୀ ସହର ଉପକଣ୍ଠରେ ଥିବା ୨୬ ବର୍ଷ ତଳେ ପ୍ରତିଷ୍ଠିତ ଗୁଦାରି ଏୟାର୍‌ଷ୍ଟ୍ରିପ୍‌ କଥା ଭୁଲି ଯାଇଛନ୍ତି। କେବେ ଏହି ଏୟାର୍‌ଷ୍ଟ୍ରିପ୍‌କୁ ପୂର୍ଣ୍ଣକାଳୀନ ବିମାନ ବନ୍ଦର କରାଯିବ ସେ ନେଇ ରହିଥିବା ପ୍ରସ୍ତାବ ବହୁବର୍ଷ ହେଲା ଅଟକି ରହିଛି। ଏହାକୁ ଏକ ପୂର୍ଣ୍ଣକାଳୀନ ବିମାନବନ୍ଦର କରିବାକୁ ଦୀର୍ଘ ବର୍ଷ ଧରି ବିଭିନ୍ନ ମହଲରେ ଦାବି ହୋଇ ଆସୁଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ନଯିବା କନ୍ଧମାଳବାସୀଙ୍କ ପ୍ରତି ପ୍ରତାରଣା ବୋଲି ମତ ପ୍ରକାଶ ପାଇଛି। ଅପରପକ୍ଷେ, ଏହି ଏୟାରଷ୍ଟ୍ରିପ୍‌କୁ 'ଉଡ଼ାନ୍‌' ଯୋଜନାରେ ସାମିଲ କରି ଏହାର ଉନ୍ନତୀକରଣ କରା ଯାଇପାରିଲେ କନ୍ଧମାଳବାସୀଙ୍କ ଦୀର୍ଘଦିନର ଦାବି ପୂରଣ ହୋଇପାରିବ। ଏହାକୁ 'ଉଡ଼ାନ୍‌' ଯୋଜନାରେ ସାମିଲ କରିବାକୁ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଏକ ପତ୍ର ମାଧ୍ୟରେ କେନ୍ଦ୍ର ସରକାରଙ୍କୁ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ବାରା ଗତ ୧୯୯୭ ମସିହାରେ ଫୁଲବାଣୀ ସହର ଉପକଣ୍ଠରେ ଗୁଦାରି ନିକଟରେ ପ୍ରାୟ ପାଞ୍ଚଶହ ଏକର ପରିମିତ ଜମିରେ ଏହି ଏୟାରଷ୍ଟ୍ରିପ୍‌ ନିର୍ମାଣ କରା ଯାଇଥିଲା। ସାଧାରଣତଃ ଦେଶ ଓ ରାଜ୍ୟର ଭିଆଇପିମାନେ ଉଡ଼ାଜାହାଜରେ ସରକାରୀ କାମରେ କନ୍ଧମାଳ ଜିଲ୍ଲା ଗସ୍ତରେ ଆସିଲେ ଏହି ଏୟାରଷ୍ଟ୍ରିପ୍‌ରେ ଅବତରଣ କରିଥା’ନ୍ତି। ଅନେକବାର ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କ ପ୍ରମୁଖ ସଚିବମାନେ ବିମାନ ଯୋଗେ ଆସି ଏହି ଏୟାର୍‌ଷ୍ଟ୍ରିପ୍‌ରେ ଅବତରଣ କରିଥା’ନ୍ତି। ଇତି ମଧ୍ୟରେ ରାଜ୍ୟ ଓ କେନ୍ଦ୍ର ସରକାର ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଏୟାର୍‌ଷ୍ଟ୍ରିପ୍‌ର ବିକାଶ ଓ ସଂପ୍ରସାରଣ କରି ନିତିଦିନିଆ ବିମାନବନ୍ଦରରେ ପରିଣତ କରୁଥିବା ବେଳେ ଗୁଦାରି ଏୟାରଷ୍ଟ୍ରିପ୍‌କୁ କାହିଁକି ନିତିଦିନିଆ ବିମାନବନ୍ଦର କରାଯାଉ ନାହିଁ ବୋଲି କନ୍ଧମାଳବାସୀ ଅଭିଯୋଗ କରିଛନ୍ତି। ଗୁଦାରି ଏୟାର୍‌ଷ୍ଟ୍ରିପ୍‌କୁ ନିତିଦିନିଆ ବିମାନବନ୍ଦର କରାଯାଇ ପାରିଲେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଶେଷ କରି ପର୍ଯ୍ୟଟନ କ୍ଷେତ୍ରରୁ ଅଧିକ ରାଜସ୍ବ ପାଇପାରିବେ।

publive-image

କନ୍ଧମାଳ ଭଳି ଏକ ପର୍ଯ୍ୟଟନ ସମୃଦ୍ଧ ଜିଲ୍ଲାକୁ ବର୍ଷର ବିଭିନ୍ନ ସମୟରେ ଦେଶବିଦେଶରୁ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ଛୁଟି ଆସିଥା’ନ୍ତି। ଓଡ଼ିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗବାଡ଼ି, ବେଲଘର, ମଣ୍ଡାସରୁକୁଟି ଭଳି ପର୍ଯ୍ୟଟନସ୍ଥଳ ଅନ୍ତର୍ଜାତୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଆସିଛି। ଯଦି ଗୁଦାରି ଏୟାରଷ୍ଟ୍ରିପ୍‌ ନିୟମିତ ବିମାନ ବନ୍ଦର ହୋଇପାରନ୍ତା, ତେବେ କନ୍ଧମାଳ ଜିଲ୍ଲାକୁ ଦେଶବିଦେଶରୁ ପର୍ଯ୍ୟଟକମାନେ ସହଜରେ ଆସିପାରନ୍ତେ। କିନ୍ତୁ ଗୁଦାରି ଏୟାର୍‌ଷ୍ଟ୍ରିପ୍‌ର ବିକାଶ ପ୍ରତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବୈମାତୃକ ମନୋଭାବ ପୋଷଣ କରି ଆସୁଥିବାରୁ ଆଜି ପର୍ଯ୍ୟନ୍ତ ଏହାର ବିକାଶ ସମ୍ଭବପର ହୋଇପାରି ନାହିଁ। ଅନ୍ୟ ପକ୍ଷରେ, ଦୀର୍ଘ ବର୍ଷ ଧରି ବ୍ୟବହାର ହେଉ ନଥିବା ଏବଂ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏହି ଏୟାରଷ୍ଟ୍ରିପ୍‌ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ଦୀର୍ଘଦିନ ହେଲା ମରାମତି ଅଭାବରୁ ଏହାର ରନ୍‌ୱେ ମଧ୍ୟ ଖରାପ ହୋଇଗଲାଣି। ଅନ୍ୟପକ୍ଷରେ ଏୟାରଷ୍ଟ୍ରିପ୍‌ର ଚତୁଃପାର୍ଶ୍ବ ପାଚେରି ନଥିବାରୁ ଗାଈଗୋରୁ ମଧ୍ୟ ପ୍ରବେଶ କରୁଛନ୍ତି। ତୁରନ୍ତ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe