The Indian Express
ଭୁବନେଶ୍ବର : ବିଭିନ୍ନ ବିଶ୍ବବିଶ୍ବବିଦ୍ୟାଳୟ ଓ କଲେଜ ଆଦିରେ ଆବଶ୍ୟକ ଅଧ୍ୟାପକ ନ ଥିବାରୁ ଅତିଥି ଅଧ୍ୟାପକ ନିଯୁକ୍ତି ଦେବାକୁ ନିଷ୍ପତ୍ତି ହୋଇଛି। ଜାନୁଆରି ୧୧ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଅତିଥି ଅଧ୍ୟାପକଙ୍କୁ ନିଯୁକ୍ତ କରିବା ଲାଗି ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଆଜି ରାଜ୍ୟର ସମସ୍ତ ସରକାରୀ କଲେଜ ଅଧ୍ୟକ୍ଷଙ୍କୁ କହିଛନ୍ତି। ୨୦୧୯-୨୦ ଶିକ୍ଷାବର୍ଷରେ ନିଯୁକ୍ତ ହୋଇଥିବା ଅତିଥି ଅଧ୍ୟାପକଙ୍କ ୫୦% ନିଯୁକ୍ତ ଦିଆଯିବ।
ନୂତନ ପ୍ରାର୍ଥୀଙ୍କୁ ଚୟନ କରାଯାଇପାରିବ। ପ୍ରତି ମାସରେ ଜଣେ ଅତିଥି ଅଧ୍ୟାପକ ଅତି ବେଶିରେ ୫୦ଟି କ୍ଲାସ କରିପାରିବେ। ପ୍ରତି କ୍ଲାସ ପିଛା ୫୦୦ ଟଙ୍କା ଲେଖାଏଁ ମିଳିବ। ଯଦି ଆବଶ୍ୟକ ପଡ଼ିବ, ସେମାନେ ଅନ୍ୟ ସେମିଷ୍ଟର୍ ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ଲାଇନ୍ କ୍ଲାସ୍ କରିପାରିବେ। ଏଥିପାଇଁ ମଧ୍ୟ କ୍ଲାସ ପିଛା ୫୦୦ ଟଙ୍କା ମିଳିବ। ଜାନୁଆରି ୩୧ ସୁଦ୍ଧା ଅତିଥି ଅଧ୍ୟାପକ ନିଯୁକ୍ତି କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।
ଅନ୍ୟପକ୍ଷରେ ଶୁକ୍ରବାରଠାରୁ ରାଜ୍ୟର ୨୦୩୨ଟି ଯୁକ୍ତ୨ କଲେଜରେ ପାଠପଢ଼ା ଆରମ୍ଭ ହେବ। ଖାଲି ପଦରେ ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ନିଯୁକ୍ତି କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ଅତିଥି ଅଧ୍ୟାପକ ଭାବେ ନିଯୁକ୍ତି ଦିଆଯାଇପାରିବ। ଚୁକ୍ତିଭିତ୍ତିରେ ଏମାନଙ୍କୁ ମାସିକ ୧୬ହଜାର ଟଙ୍କା ବେତନ ରାଶି ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଏନେଇ ସମସ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ବିଭାଗ ପକ୍ଷରୁ କଡ଼ା ନିର୍ଦେଶ ଦିଆଯାଇଛି।
Follow Us