ଭଦ୍ରକ : ରାଜନୀତିରେ ସମ୍ପୂର୍ଣ୍ଣ ନବାଗତା ଗୁଲ୍ ମକ୍କୀ ଦଲୱାଜି ଭଦ୍ରକ ପୌରାଧ୍ୟକ୍ଷା ବିଜୟ ମୁକୁଟ ପିନ୍ଧିଛନ୍ତି। ତାଙ୍କ ବିଜୟ ଖାଲି ରାଜନୈତିକ ଦଳଗୁଡ଼ିକୁ ଚକିତ କରିନି, ଜଣେ ସ୍ବାଧୀନ ପ୍ରାର୍ଥିନୀଙ୍କ ପ୍ରତି ଭୋଟରମାନଙ୍କ ବିପୁଳ ଆସ୍ଥା ପ୍ରକଟ ପଛର କାରଣ ବି ଖୋଜା ଚାଲିଛି।
ଗତ ପଞ୍ଚାୟତ ନିର୍ବାଚନରେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ଯୋଗୁଁ ବିଜେଡିକୁ ଆଶାତୀତ ସଫଳତା ମିଳିଥିଲା। ପୌର ନିର୍ବାଚନରେ ମଧ୍ୟ ସେ ପ୍ରଚାର ମଙ୍ଗ ଧରିଥିଲେ। ପ୍ରଚାରରେ ବିଜେଡି ବେଶ୍ ଆଗରେ ରହିଥିଲା। ମାତ୍ର ସମସ୍ତ ଆକଳନ ଭୁଲ୍ ପ୍ରମାଣିତ ହୋଇଛି। ୩୦ ୱାର୍ଡ ବିଶିଷ୍ଟ ଭଦ୍ରକ ପୌର ପରିଷଦରେ ଏଥର ୨୯ଟି ୱାର୍ଡରେ ନିର୍ବାଚନ ହୋଇଥିଲା। ୨୯ଟି ୱାର୍ଡ ମଧ୍ୟରୁ ୧୭ଟି ୱାର୍ଡରେ ବିଜେଡି କାଉନ୍ସିଲର ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ବିଜେଡିର ପୌରାଧ୍ୟକ୍ଷା ପ୍ରାର୍ଥିନୀ ସମିତା ମିଶ୍ର କେଉଁ ପରିସ୍ଥିତିରେ ହାରିଗଲେ ତାକୁ ନେଇ ପ୍ରଶ୍ନ ଉଠିଛି। ବିଜୟୀ ସ୍ବାଧୀନ ପ୍ରାର୍ଥିନୀ ଗୁଲ୍ ମକ୍କୀ ୨୮ ହଜାର ୧୧୫ ଖଣ୍ଡ ଭୋଟ୍ ପାଇଥିବା ବେଳେ ଦ୍ବିତୀୟ ସ୍ଥାନରେ ଥିବା ପରାଜିତ ପ୍ରାର୍ଥିନୀ ସମିତା ମିଶ୍ର ପାଇଛନ୍ତି ୨୪ ହଜାର ୮୫୯ ଖଣ୍ଡ ଭୋଟ୍। ବିଜେଡି ପ୍ରାର୍ଥୀ ଚୟନରେ ଭୁଲ୍ କଲା ନା ନିର୍ବାଚନ ରଣନୀତିରେ ତ୍ରୁଟି ହେଲା, ତାକୁ ନେଇ ଏବେ ଜୋରସୋରରେ ତର୍ଜମା ଚାଲିଛି ।
Follow Us