ଗୋପାଳପୁରଠାରୁ ୧୮୦ କିଲୋମିଟର ଦୂରରେ ‘ଗୁଲାବ୍’, ରାତି ୯ଟା ପ‌ରେ ଛୁଇଁପାରେ ସ୍ଥଳଭାଗ

ଗୋପାଳପୁରଠାରୁ ୧୮୦ କିଲୋମିଟର ଦୂରରେ ‘ଗୁଲାବ୍’, ରାତି ୯ଟା ପ‌ରେ ଛୁଇଁପାରେ ସ୍ଥଳଭାଗ

ଭୁବନେଶ୍ବର: ପାଖେଇ ଆସୁଛି ସାମୁଦ୍ରିକ ଝଡ଼ ‘ଗୁଲାବ୍’। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ ‘ଗୁଲାବ୍’ ଗୋପାଳପୁରଠାରୁ ୧୮୦ କିଲୋମିଟର ଦୂରରେ ରହିଛି। ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ‘ଗୁଲାବ୍’ ଗତି କରୁଛି। ବର୍ତ୍ତମାନ ଏହାର ଗତିପଥକୁ ଡପଲର୍ ରାଡାର ସାହାଯ୍ୟରେ ଅନୁଧ୍ୟାନ କରାଯାଉଛି। ବିଶାଖପାଟଣାସ୍ଥିତ ପାଣିପାଗ ବିଭାଗର ଡପଲର୍ ରାଡାର ଏବଂ ଗୋପାଳପୁରସ୍ଥିତ ଡପଲର୍ ରାଡାର ଜରିଆରେ ବାତ୍ୟାର ପର୍ଯ୍ୟବେକ୍ଷଣ ଜାରି ରହିଛି। ରାତି ୯ଟା ପରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ ବୋଲି ଆକଳନ କରାଯାଉଛି।

ବାତ୍ୟା ଓଡ଼ିଶାର ଗୋପାଳପୁରର ପୂର୍ବ-ଦକ୍ଷିଣପୂର୍ବ ଦିଗର ୧୮୦ କିଲୋମିଟର ଦୂର ଏବଂ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍‌ର ପୂର୍ବ ଦିଗର ୨୪୦ କିଲୋମିଟର୍‌ ଦୂରରେ ରହିଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଏହି ସାମୁଦ୍ରିକ ବାତ୍ୟା  ଘଣ୍ଟାପ୍ରତି ୧୭ କିଲୋମିଟର ବେଗରେ ଗତ ୬ ଘଣ୍ଟା ଧରି ପଶ୍ଚିମାଭିମୁଖୀ ହୋଇ ଗତି କରୁଛି। ଏହାର ପ୍ରଭାବରେ ରାଜ୍ୟର ଉପକୂଳ ଅଞ୍ଚଳରେ ହାଲକା ଓ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇଯାଉଛି।

ଏହା ପଶ୍ଚିମାଭିମୁଖୀ ହୋଇ ଆଜି ମଧ୍ୟରାତ୍ରି ସୁଦ୍ଧା ଉତ୍ତର ଆନ୍ଧ୍ର ପ୍ରଦେଶର କଳିଙ୍ଗପଟ୍ଟନମ୍ ଓ ଦକ୍ଷିଣ ଓଡ଼ିଶାର ଗୋପାଳପୁର ଦେଇ ଉପକୂଳ ଅତିକ୍ରମ କରିବ । ଏହି ସାମୁଦ୍ରିକ ଝଡ଼ ଉପକୂଳ ଅତିକ୍ରମ କରିବା ସମୟରେ ପବନର ବେଗ ଘଣ୍ଟାପ୍ରତି ୭୫ରୁ ୮୫ କିଲୋମିଟର ରହିବ ଏବଂ ମଝିରେ ମଝିରେ ଘଣ୍ଟାପ୍ରତି ୯୫ କିଲୋମିଟର୍‌ ବେଗରେ ପବନର ଝଟକା ଦେଇପାରେ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ପାକିସ୍ତାନ ଏହି ସାମୁଦ୍ରିକ ଝଡ଼ର ନାମକରଣ ‘ଗୁଲାବ୍‌’ (ଗୋଲାପ ଫୁଲ) କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe