ଗୁଣପୁର ବିଜେଡିରେ ବିଦ୍ରୋହ : ସମର୍ଥକଙ୍କ ସହ ଦଳ ଛାଡ଼ିବେ ତ୍ରିନାଥ

ବିଜେପିରେ ଯୋଗଦେବା ଚର୍ଚା, ସ୍ବାଧୀନ ଭାବେ ଲଢ଼ିବି: ତ୍ରିନାଥ

ଗୁଣପୁର ବିଜେଡିରେ ବିଦ୍ରୋହ : ସମର୍ଥକଙ୍କ ସହ ଦଳ ଛାଡ଼ିବେ ତ୍ରିନାଥ

ରାୟଗଡା, (ନବୀନ ଚନ୍ଦ୍ର ସାହୁ): ଗୁଣପୁର ନିର୍ବାଚନ ମଣ୍ଡଳୀରେ ବିଜେଡିର ନୂଆମୁହଁକୁ ନେଇ ଦଳ ଭିତରେ ସୃଷ୍ଟି ହୋଇଛି ବିଦ୍ରୋହ। ବିଜେଡିର ମିଶ୍ରଣ ପର୍ବରେ ବିଧାୟକ ତ୍ରିନାଥ ଗମାଙ୍ଗଙ୍କ ସ୍ଥାନରେ ଦଳ ନୂଆ ମୁହଁ ରଘୁନାଥ ଗମାଙ୍ଗଙ୍କୁ ସାମିଲ୍ କରି ପ୍ରଚାର ମଇଦାନକୁ ଓହ୍ଲାଇବା ପରେ ତ୍ରିନାଥଙ୍କୁ ବିଜେଡି ପ୍ରାର୍ଥୀ ନ କରିବା ସ୍ପଷ୍ଟ ହୋଇଯାଇଛି। କିଛି ନେତା, କର୍ମୀ ନୂଆ ମୁହଁକୁ ନେଇ ଉତ୍ସାହିତ ଥିବା ବେଳେ କିଛି ଅସନ୍ତୁଷ୍ଟ ପ୍ରକାଶ କରି ଦଳର ବିଜୟ ପଥରେ କଣ୍ଟା ସାଜିବା ପାଇଁ ରଣନୀତି କରୁଛନ୍ତି। ବିଶେଷ କରି ଦଳର ଏପରି ନିଷ୍ପତ୍ତିକୁ ବିଧାୟକ ତ୍ରିନାଥଙ୍କ ସମେତ ତାଙ୍କ ସମର୍ଥକ ସହଜରେ ଗ୍ରହଣ କରିପାରୁନାହାନ୍ତି। ସମର୍ଥକଙ୍କ ସୂଚନାନୁଯାୟୀ ଖୁବ୍‌ଶୀଘ୍ର ତ୍ରିନାଥ ସ୍ବାଧୀନ କିମ୍ବା ଶେଷ ମୁହୂର୍ତରେ ନିଜ ସମର୍ଥକଙ୍କ ସହ ବିଜେପିରେ ଯୋଗଦେଇ ନିର୍ବାଚନ ମଇଦାନକୁ ଓହ୍ଲାଇ ପାରନ୍ତି।

ଗୁଣପୁର ନିର୍ବାଚନ ମଣ୍ଡଳୀ। କଂଗ୍ରେସର ଗଡ଼ ଏହି ନିର୍ବାଚନମଣ୍ଡଳୀରୁ କଂଗ୍ରେସର ବରିଷ୍ଠ ନେତା ଭାଗିରଥୀ ଗମାଙ୍ଗ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ୧୯୯୦ ମସିହାରେ ଜନତା ଦଳରୁ ପ୍ରାର୍ଥୀ ହୋଇ ରାମମୂର୍ତି ଗମାଙ୍ଗ କଂଗ୍ରେସ ବିଜୟ ଧାରାରେ ରୋକ୍ ଲଗାଇ ଥିଲେ। ୧୯୯୫ ନିର୍ବାଚନରେ ଏହି ଆସନରେ ପୁଣି ଥରେ କଂଗ୍ରେସ ବିଜୟ ହୋଇଥିବା ବେଳେ ୧୯୯୯ ମସିହାରେ ପ୍ରତିଷ୍ଠା ହୋଇଥିବା ବିଜୁ ଜନତା ଦଳ ୨୦୦୪ ପର୍ଯ୍ୟନ୍ତ ଅନୁଷ୍ଠିତ ୩ଟି ନିର୍ବାଚନରେ ବିଜୟ ସ୍ବାଦ ଚାଖି ପାରିନଥିଲା। ବାରମ୍ବାର ନେତା ଓ ନେତୃତ୍ବରେ ପରିବର୍ତନ ଯୋଗୁ ଗତ ୧୯ ବର୍ଷର ଶାସନ କାଳ ଭିତରେ ଗୁଣପୁର ବିଧାନସଭାରେ ବିଜେଡ଼ି ଦୁଇଟି ନିର୍ବାଚନରେ (୨୦୦୯/୨୦୧୪) ବିଜୟୀ ହୋଇଛି। ୨୦୦୯ ରେ ଦଳ ରାମମୂର୍ତି ମୂଟିକାକୁ ପ୍ରାର୍ଥୀ କରି ବିଜୟୀ ହୋଇଥିବା ବେଳେ ୨୦୧୪ ରେ ରାମମୂର୍ତିଙ୍କ ବଦଳରେ ଶିକ୍ଷକ ଜୀବନରୁ ଅବସର ନେଇ ରାଜନୀତିରେ ପାଦ ଥାପିଥିବା ତ୍ରିନାଥଙ୍କୁ ପ୍ରାର୍ଥୀ କରିଥିଲା। ତ୍ରିନାଥ ୭ ହଜାରରୁ ଉର୍ଧ୍ବ ଭୋଟରେ କଂଗ୍ରେସର ପୁରୁଷୋତ୍ତମ ଗମାଙ୍ଗଙ୍କୁ ପରାଜିତ କରିଥିଲେ। କିନ୍ତୁ ଚଳିତ ନିର୍ବାଚନରେ ଗୋଷ୍ଠୀ କନ୍ଦଳ, ନିର୍ମଳ ଭାବମୂର୍ତି ନଥିବା କାରଣକୁ ନେଇ ଦଳ ତ୍ରିନାଥଙ୍କୁ ପ୍ରାର୍ଥିତ୍ବରୁ ଦୂରେଇ ରଖି ଗଜପତି ଜିଲ୍ଲା ଯୋଗାଣ ଅଧିକାରୀ ଭାବେ କାର୍ଯ୍ୟରତ ରଘୁନାଥ ଗମାଙ୍ଗଙ୍କୁ ପ୍ରାର୍ଥି କରୁଛି। ରଘୁନାଥଙ୍କ ସ୍ବେଚ୍ଛାକୃତ ଅବସର ଆବେଦନକୁ ସରକାର ଗ୍ରହଣ କରିନେବା ସହ ବିଜେଡ଼ି ମିଶ୍ରଣ ପର୍ବରେ ତାଙ୍କୁ ସାମିଲ୍ କରିବା ନି‌ଷ୍ପତ୍ତିରୁ ଦଳ ଗୁଣପୁରରେ ରଘୁନାଥଙ୍କୁ ହିଁ ପ୍ରାର୍ଥି କରିବା ସ୍ପଷ୍ଟ ହୋଇ ଯାଇଛି। ଦଳର ଏପରି ନିଷ୍ପତ୍ତିରେ ଅସଂତୋଷ ପ୍ରକାଶ କରି ମିଶ୍ରଣ ପର୍ବରେ ତ୍ରିନାଥଙ୍କ ସମର୍ଥକ ଯୋଗ ଦେଇନଥିବା ବେଳେ ରାଜଧାନୀରେ ଆଡ୍ଡା ପକାଇ ବିକଳ୍ପ ବ୍ୟବସ୍ଥା ଚିନ୍ତା କରୁଛନ୍ତି। ସମର୍ଥକଙ୍କ ସହ ତ୍ରିନାଥ ବିଜେପିରେ ଯୋଗଦେବା ନେଇ ଚର୍ଚା ଜୋର୍ ଧରିଥିବା ବେଳେ ତ୍ରିନାଥ ଏହାକୁ ଖଣ୍ଡନ କରିଛନ୍ତି। ବିଜେପିକୁ ଯିବାର ନାହିଁ। ସ୍ବାଧୀନ ଭାବେ ଲଢ଼ିବି ଏବଂ ନିର୍ବାଚନ ଜିତିବି। କାହିଁକି ନା ମୋ ବିନା ଗୁଣପୁରରେ ବିଜେଡ଼ି ନାହିଁ ବୋଲି କହିଛନ୍ତି। ତେବେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ବିଜେପି ଯଦି ଟି‌କଟ ପାଇଁ ହଁ କରେ ତାହା ହେଲେ ତ୍ରିନାଥ ଯୋଗ ଦେଇ ପାରନ୍ତି। ନଚେତ୍ ସ୍ବାଧୀନ ଭାବେ ଲଢ଼ି ବିଜେଡ଼ି ବିଜୟରେ କଣ୍ଟା ହୋଇ ପାରନ୍ତି।

ଗୁଣପୁର, ଗୁଡାରୀ, ଚନ୍ଦ୍ରପୁର, ରାମନାଗୁଡା, ପଦ୍ମପୁର ବ୍ଲକ୍ ଓ ଗୁଣପୁର, ଗୁଡାରୀ ଏନ୍ଏସିକୁ ନେଇ ଗଠିତ ଗୁଣପୁର ନିର୍ବାଚନ ମଣ୍ଡଳୀ। ୧ ଲକ୍ଷ ୭୮ ହଜାର ୬୮୦ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଧାରଣ କରୁଥିବା ବେଳେ ୧୯୯୦ ମସିହାରୁ ଏହି ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଲଢ଼ି ଆସୁଥିବା ୩ ପ୍ରମୁଖ ଦଳ ବିଜୟୀ ପ୍ରାର୍ଥୀଙ୍କୁ ଦ୍ବିତୀୟ ଥର ସୁଯୋଗ ଦେଉନଥିବାରୁ ରାଜନୈତିକ ଅସ୍ଥିରତା ଲାଗି ରହିଛି। ପ୍ରତ୍ୟେକ ନିର୍ବାଚନରେ ଜଣେ ଜଣେ ନୂଆ ମୁହଁ ଏହି ନିର୍ବାଚନ ମଣ୍ଡଳୀରେ ଉଭା ହେଉଛନ୍ତି। ୧୯୯୦ ମସିହାରେ ଭାଗିରଥୀ ଗମାଙ୍ଗ କଂଗ୍ରେସରୁ ବିଜୟ ହୋଇଥିବା ବେଳେ ୧୯୯୫ ରେ ଭାଗିରଥୀଙ୍କ ବଡ ପୁଅ ଅକ୍ଷୟ ଗମାଙ୍ଗଙ୍କୁ ଦଳ ଟିକେଟ୍ ଦେଇଥିଲା। ନିର୍ବାଚନରେ ଅକ୍ଷୟ ବିଜୟୀ ହୋଇଥିଲେ। ୧୯୯୬ ରେ ଅକ୍ଷୟଙ୍କ ମୃତ୍ୟୁ ପରେ ୧୯୯୭ ଉପ ନିର୍ବାଚନରେ କଂଗ୍ରେସ ପୁଣି ପ୍ରାର୍ଥୀ ବଦଳାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ଭାଇ ବିଜୟ ଗମାଙ୍ଗଙ୍କୁ ଟିକଟ ଦେଇଥିଲା। ଦଳ ବିରୁଦ୍ଧରେ ଯାଇ ଭାଗିରଥୀ ଗମାଙ୍ଗ ସ୍ବାଧୀନ ଭାବେ ଲଢ଼ି ବିଜୟୀ ହୋଇଥିଲେ। ୨୦୦୦ ନିର୍ବାଚନରେ ବିଜେଡ଼ି-ବିଜେପି ମେଣ୍ଟରେ ବିଜେପି ପ୍ରାର୍ଥୀ ରାମମୂର୍ତି ଗମାଙ୍ଗ ବିଜୟୀ ହୋଇଥିବା ବେଳେ ୨୦୦୪ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହେମା ଗମାଙ୍ଗ ବିଜୟୀ ହୋଇଥିଲେ। ୨୦୦୯ରେ ବିଜେଡ଼ିରୁ ରାମମୂର୍ତି ମୂଟିକା ଏବଂ ୨୦୧୪ ରେ ତ୍ରିନାଥ ଗମାଙ୍ଗଙ୍କୁ ପ୍ରାର୍ଥୀ କରି ବିଜୟୀ ହୋଇଥିଲା। ୨୦୧୯ ରେ ଦଳ ପୁଣି ପ୍ରାର୍ଥୀ ପରିବର୍ତନ କରିବାକୁ ନିଷ୍ପତ୍ତି ନେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe