ତୁମୁଡ଼ିବନ୍ଧ : କନ୍ଧମାଳ ଜିଲ୍ଲାରେ ପୁଲିସବାହିନୀର କମ୍ବିଂ ଅପରେସନ୍ ବେଳେ ବିଶାଳ ମାଓକ୍ୟାମ୍ପ ଠାବ ହୋଇଛି। ଏକାଧିକ ମାଓ କ୍ୟାମ୍ପକୁ ପୁଲିସ ଧ୍ବଂସ କରିଦେଇଥିବା ସହିତ ବିପୁଳ ମାଓସାମଗ୍ରୀ ଜବତ କରିଛି।
ବୁଧବାର ସକାଳେ ତୁମୁଡ଼ିବନ୍ଧ ଥାନା ଅଧୀନ କୁର୍ତ୍ତମଗଡ଼ ବୁଢ଼ାନଈ ନିକଟସ୍ଥ ସିନ୍ଧିପଙ୍ଖାଲ ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ତେବେ, କିଛିସମୟ ଗୁଳି ବିନିମୟ ପରେ ମାଓବାଦୀ ଛତ୍ରଭଙ୍ଗ ଦେଇଥିଲେ। ସୁରକ୍ଷାକର୍ମୀଙ୍କ ଗୁଳିରେ କିଛି ମାଓବାଦୀ ଆହତ ହୋଇଥିବା ବିଶେଷସୂତ୍ରରୁ ସୂଚନା ମିଳିଥିଲେ ହେଁ, ତାହା ସ୍ପଷ୍ଟ ହୋଇପାରି ନାହିଁ। ସୁରକ୍ଷାକର୍ମୀ ଘଟଣାସ୍ଥଳରେ ଏକାଧିକ ମାଓ କ୍ୟାମ୍ପ୍କୁ ଧ୍ବଂସ କରିଦେଇଥିଲେ। ଏହାପରେ ପୁଲିସ ଘଟଣାସ୍ଥଳରୁ ଦେଶୀବନ୍ଧୁକ, ଡିଟୋନେଟର, ବିଦ୍ୟୁତ୍ ତାର, ମାଓ ପୋଷାକ, ଛତା, ଟିଫିନ୍, କଲର୍ ବାଲ୍ଟି, ସୋଲାର ଲାଇଟ୍, ଖାଦ୍ୟ ସାମଗ୍ରୀ, ରୋଷେଇ ସାମଗ୍ରୀ ଓ ପଲିଥିନ୍ ଆଦି ଜବତ କରିଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ କିଛିଦିନ ହେଲା ଏହି ଅଞ୍ଚଳରେ କେକେବିଏନ୍ ମାଓ ସଂଗଠନ କ୍ୟାମ୍ପ୍ କରି ଜିଲ୍ଲାରେ ବଡ଼ଧରଣର ଅଘଟଣ ଘଟାଇବା ପାଇଁ ଯୋଜନା କରୁଥିବା ପୁଲିସକୁ ପୂର୍ବରୁ ଗୁଇନ୍ଦା ସୂଚନା ମିଳିଥିଲା। ଫଳରେ, ଏହି ଅଞ୍ଚଳରେ ଏସ୍ଓଜି ଯବାନ୍ମାନେ କମ୍ବିଂ ଅପରେସନ୍ ଜାରି ରଖିଥିଲେ। ଅନ୍ୟପଟେ କିଛି ଦିନର ନିରବତା ପରେ କନ୍ଧମାଳରେ ଲାଲ୍ବାହିନୀ ପୁଣିଥରେ ନିଜର ସ୍ଥିତି ଜାହିର କରିବା ଓ ଗୁଳି ବିନିମୟକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି।
Follow Us