ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଫିଟିଲା ଓଦା ବସ୍ତ୍ର, ଆଜି ଫୁଲୁରୀ ତେଲ ଲାଗି

ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଫିଟିଲା ଓଦା ବସ୍ତ୍ର, ଆଜି ଫୁଲୁରୀ ତେଲ ଲାଗି

TripSavvy

ପୁରୀ : ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଅସୁସ୍ଥ ହୋଇ ଅଣସର ପିଣ୍ଡିରେ ଅବସ୍ଥାନ କରୁଛନ୍ତି ଶ୍ରୀବିଗ୍ରହ। ସୁସ୍ଥ ହେବା ପାଇଁ ଅଣସର ପିଣ୍ଡିରେ ଚାଲିଛି ଗୁପ୍ତସେବା। ଅନ୍ଧାକାରମୟ ପିଣ୍ଡିକୁ ଏକମାତ୍ର ଦୀପ ଆଲୋକିତ କରୁଛି। ଅଣସର ଘରେ ବିଶ୍ରାମରେ ଥିବା ମହାପ୍ରଭୁଙ୍କ ଶରୀର ସୁସ୍ଥ ହେବାରେ ଯେପରି କୌଣସି ବିଘ୍ନ ନ ଘଟେ, ସେ ନେଇ ଘଣ୍ଟଘଣ୍ଟା, ସଂଗୀତ, କୀର୍ତନ ସବୁକିଛି ଶ୍ରୀମନ୍ଦିରରେ ବନ୍ଦ ରଖାଯାଇଛି। ଶ୍ରୀବିଗ୍ରହମାନଙ୍କୁ ସୁସ୍ଥ କରିବାରେ ସେବାରେ ଲାଗି ପଡ଼ିଛନ୍ତି ଦଇତାପତି ସେବକମା‌ନେ। ଖଣ୍ଡିଏ ମାତ୍ର ଶୁକ୍ଳବସ୍ତ୍ରରେ ମହାପ୍ରଭୁ ଅଣସର ପିଣ୍ଡିରେ ବିଶ୍ରାମ ନେଇଛନ୍ତି। ସମସ୍ତ ଦଇତାପତି ମଧ୍ୟ ଶୁକ୍ଳବସ୍ତ୍ର ପରିଧାନ କରି ସେବାରେ ଯୋଗ ଦେଇଛନ୍ତି। ୪ ଦିନ ଧରି ଏକମାତ୍ର ଶୁକ୍ଳବସ୍ତ୍ରରେ ରହିବା ପରେ ଅଣସର ପିଣ୍ଡିରେ ଅଧିଷ୍ଠିତ ମହାପ୍ରଭୁଙ୍କ ଆଜି ଶ୍ରୀଅଙ୍ଗ ଫିଟା ନୀତି ଅନୁଷ୍ଠିତ ହୋଇଛି। ଅର୍ଥାତ ସ୍ନାନଯାତ୍ରାରୁ ମହାପ୍ରଭୁ ପରିଧାନ କରିଥିବା ଓଦା ବସ୍ତ୍ର ଆଜି ଫିଟାଯାଇଛି। ବିଳମ୍ୱିତ ରାତ୍ରିରେ ଏହି ନୀତି ସଂପନ୍ନ ହୋଇଛି।

ଆସନ୍ତାକାଲି ପଞ୍ଚମୀ ତିଥିରେ ମହାପ୍ରଭୁଙ୍କୁ ଫୁଲୁରୀ ତେଲ ଲାଗି ହେବ। ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ବଡ଼ଓଡ଼ିଆ ମଠ ଏହି ତେଲକୁ ପ୍ରସ୍ତୁତ କରିଥିବାବେଳେ ଆସନ୍ତାକାଲି ଶୋଭାଯାତ୍ରା ସହକାରେ ଶ୍ରୀମନ୍ଦିରକୁ ଫୁଲୁରୀ ତେଲକୁ ନିଆଯିବାର ପରମ୍ପରା ରହିଛି। ବୈଦ୍ୟଙ୍କ ପରାମର୍ଶକ୍ରମେ ଅଣସର ପିଣ୍ଡିରେ ଶ୍ରୀଜୀଉଙ୍କୁ ଏହି ଫୁଲୁରୀ ତେଲର ଚିକିତ୍ସା ସେବା ଯୋଗାଇ ଦିଆଯିବ। ଆସନ୍ତା ୨ ତାରିଖରେ ନବଯୌବନ ଦର୍ଶନ ରହିଛି। ଏହି ଦିନ ମହାପ୍ରଭୁ ନବ ଯୌବନ ପ୍ରାପ୍ତ ହେବେ ଓ ସୁସ୍ଥ ଶରୀରରେ ଭକ୍ତଙ୍କୁ ଦର୍ଶନ ଦେବେ। ଶାଳ ପର୍ଣ୍ଣି, ଗମ୍ଭାରୀ, ଲବାଙ୍ଗ କୁଳି, ଫଣଫଣା, କୃଷ୍ଣ ପର୍ଣ୍ଣି, ବେଲ, ଖଣି ବଥୁ, ପଟଳି, ଖୁଆ, ଅଙ୍କରାନ୍ତି, ଗୋଖରା, ଲମ୍ୱାଗୋତି, ଦେଶୀ ଘିଅ, ମହୁ, ନବାତ, ଖୁଆସର ଅଦିକୁ ମିଶାଇ ଫୁଲୁରୀ ତେଲର ଏହି ମହୌଷଧି ପ୍ରସ୍ତୁତ କରାଯାଇଛି। ପ୍ରସ୍ତୁତ ମହୌଷଧି ଲାଗି ହେବା ପରେ ମହାପ୍ରଭୁ ସୁସ୍ଥ ହେବେ ଏବଂ ନବଯୌବନ ପ୍ରାପ୍ତି ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe