ବୈପାରିଗୁଡା: ଯାହା ପୂର୍ବରୁ ଅନୁମାନ କରାଯାଉଥିଲା, ତାହା ଆଜି ଘଟିଥିବା ଦେଖିବାକୁ ମିଳିଛି। ପ୍ରସିଦ୍ଧ ଶୈବପୀଠ ଗୁପ୍ତେଶ୍ୱରର ଉନ୍ନତିକରଣ ପାଇଁ ପର୍ଯ୍ୟଟନ ବିଭାଗ ପଦକ୍ଷେପ ନେଇଥିବା ବେଳେ ଏହାର ପ୍ରାଥମିକ ପର୍ଯ୍ୟାୟରେ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଚାଲିଛି। ବିଶେଷ କରି ବିପଦ ସଂକୁଳ ଡକ୍ରୀ ଘାଟିକୁ ସଂପୂର୍ଣ୍ଣ କଟା ଯାଇଥିବା ବେଳେ ଆସନ୍ନ ଦୁର୍ଘଟଣା ପ୍ରତି ନଜର ଦିଆଯାଇନଥିଲା। ଏହାକୁ ନେଇ ଗତ ଜୁଲାଇ ୨୦ ତାରିଖ ସମ୍ବାଦରେ ଖବର ପ୍ରକାଶ ପାଇଥିଲା। କିନ୍ତୁ ଏଥିପ୍ରତି ସଂପୃକ୍ତ ବିଭାଗ ଆଦୈ ନଜର ଦେଇନଥିବାରୁ ଆଜି ସନ୍ଧ୍ୟାରେ ଘାଟିରୁ ମାଟି ଅତଡ଼ା ଖସି ରାସ୍ତା ଜାମ୍ ହୋଇ ଯାଇଛି।
ଶନିବାର ସନ୍ଧ୍ୟାରୁ ଅବିଶ୍ରାନ୍ତ ବର୍ଷା ଲାଗିରହିବା ଫଳରେ ମାଟି ଅତଡ଼ା ଖସି ଏହି ରାସ୍ତା ଯାତାୟାତ ଠପ୍ ହୋଇଯାଇଛି। ଆସନ୍ତାକାଲି ଶ୍ରାବଣ ଶେଷ ସୋମବାର ହୋଇଥିବାରୁ ଶହ ଶହ ସଂଖ୍ୟାରେ କାଉଡ଼ିଆ ମାଟି କାଦୁଅର ଘାଣ୍ଟି ଚକଟି ହୋଇ ଯିବା ପାଇଁ ବାଧ୍ୟ ହେଉଛନ୍ତି। ଅନ୍ୟଦିଗରେ ଚାରି ଚକିଆ ଯାନ ପାଇଁ ରାସ୍ତା ବନ୍ଦ ହୋଇ ଯାଇଥିବାରୁ ସେମାନେ ହଳଦୀକୁଣ୍ଡ ରାସ୍ତା ଦେଇ ଶିରିବେଡା ପଟୁ ଗୁପ୍ତେଶ୍ୱର ଯାଉଥିବା ଜଣାପଡ଼ିଛି। ଅପରପକ୍ଷରେ ଗୁପ୍ତେଶ୍ୱରରେ ବିଦ୍ୟୁତ ଯୋଗାଣ ଠପ୍ ହୋଇ ଯାଇଥିବାରୁ କାଉଡିଆଙ୍କ ଠାରୁ ଆରମ୍ଭ କରି ଶ୍ରଦ୍ଧାଳୁ ଅନ୍ଧାରରେ ନାହିଁ ନଥିବା ଯନ୍ତ୍ରଣା ଭୋଗୁଛନ୍ତି। ଏହାକୁ ନେଇ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ପ୍ରତିବର୍ଷ ଶ୍ରାବଣ ସୋମବାରରେ ହଜାର ହଜାର ଶ୍ରଦ୍ଧାଳୁଙ୍କର ଭିଡ଼ ଜମୁଥିଲେ ମଧ୍ୟ ପ୍ରଶାସନ କିମ୍ବା ଦେବୋତ୍ତର ବିଭାଗ ତରଫରୁ କୈାଣସି ବ୍ୟବସ୍ଥା କରାଯାଉନଥିବା ଦୁଃଖର ବିଷୟ।
Follow Us