ବେଦକୁ ପ୍ରାଧାନ୍ୟ ଦିଆଯାଉ: ଶଙ୍କରାଚାର୍ଯ୍ୟ

Advertisment

ଗୋବର୍ଦ୍ଧନ ପୀଠରେ ଗୁରୁପୂର୍ଣ୍ଣିମା ମହୋତ୍ସବ

ଗୋବର୍ଦ୍ଧନ ପୀଠରେ ଗୁରୁପୂର୍ଣ୍ଣିମା ମହୋତ୍ସବ

ବେଦକୁ ପ୍ରାଧାନ୍ୟ ଦିଆଯାଉ: ଶଙ୍କରାଚାର୍ଯ୍ୟ

ପୁରୀ : ବିକାଶ ନାଁରେ ବିଶ୍ୱ ବିନାଶ ଆଡ଼କୁ ଗତି କରୁଛି। ଭାରତକୁ ବିନାଶରୁ ଉଦ୍ଧାର ପାଇଁ ବେଦକୁ ପ୍ରାଧାନ୍ୟ ଦିଆଯାଉ। ବେଦବିହୀନ ବିକାଶ ଅସମ୍ଭବ। ପୁରୀ ଗୋବର୍ଦ୍ଧନ ମଠ ପରିସରରେ ଆଜି ଅନୁଷ୍ଠିତ ପବିତ୍ର ଗୁରୁପୂର୍ଣ୍ଣିମା ମହୋତ୍ସବରେ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ ଏଭଳି ମତବ୍ୟକ୍ତ କରିଛନ୍ତି।

ଆଷାଢ଼ ପୂର୍ଣ୍ଣିମା ତିଥିରେ ପୁରୀ ଗୋବର୍ଦ୍ଧନ ମଠଠାରେ ଗୁରୁପୂର୍ଣ୍ଣିମା ମହୋତ୍ସବ ଉପଲକ୍ଷେ ଆଜି ସକାଳ ୮ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପୀଠର ପୂର୍ବାଚାର୍ଯ୍ୟମାନଙ୍କର ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ଭକ୍ତମାନଙ୍କ ଦ୍ଵାରା ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପୂଜନ କାର୍ଯ୍ୟକ୍ରମ ହୋଇଥିଲା। ସନ୍ଧ୍ୟାରେ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ପୌରୋହିତ୍ୟରେ ଆୟୋଜିତ ଧର୍ମସଭାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ପୁରୀ ଗଜପତି ମହାରାଜ ଦିବ୍ୟସିଂହ ଦେବ, ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ଶଙ୍କରଚାର୍ଯ୍ୟଙ୍କ ସଚିବ ସ୍ୱାମୀ ନିର୍ବିକଳ୍ପାନନ୍ଦ ସରସ୍ୱତୀଙ୍କ ସମେତ ୧୫ଟି ରାଜ୍ୟରୁ ସାଧୁସନ୍ଥ, ପ୍ରତିନିଧିମାନେ ଯୋଗ ଦେଇଥିଲେ। ଏହି ଅବସରରେ ଶଙ୍କରାଚାର୍ଯ୍ୟଙ୍କ ଦ୍ଵାରା ରଚିତ ଚାରିଟି ପୁସ୍ତକ ‘ଶୂନ୍ୟସେ ନ୍ୟୁନାଙ୍କ ଅସିଦ୍ଧି’, ‘ଅକ୍ଷରାଗମାଙ୍କମାଳିକା’, ‘ଧର୍ମସିଦ୍ଧି’ ଓ ‘ଧର୍ମଦର୍ଶନ’ ଲୋକାର୍ପିତ ହୋଇଥିଲା।

ଲୋକାର୍ପଣ ଉତ୍ସବ ପରେ ଶଙ୍କରଚାର୍ଯ୍ୟ କହିଥିଲେ, ଭାରତ ନିଜକୁ ସ୍ୱାଧୀନ ବୋଲି କହୁଛି। କିନ୍ତୁ ପ୍ରକୃତରେ ଆଜି ପର୍ଯ୍ୟନ୍ତ ଭାରତ ସ୍ୱାଧୀନ ହୋଇପାରିନି। ଶାସନତନ୍ତ୍ର ଆଜି ଏପରି ଦୁର୍ଦ୍ଦଶା ଆଣିଦେଇଛି। ଭାରତର ବିକାଶକୁ ଦିଶାହୀନ କରିଛି। ଏ ପରିପ୍ରେକ୍ଷୀରେ ବେଦବିହୀନ ରାଷ୍ଟ୍ର ଗଠନର ଯେଉଁ ସ୍ୱପ୍ନ ଦେଖାଯାଉଛି ତା ଉପରେ ବିଚାର କରିବାର ସମୟ ଆସିଛି ବୋଲି ଶଙ୍କରାଚାର୍ଯ୍ୟ କହିଥିଲେ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ କହିଥିଲେ, ଓଡ଼ିଶା ହେଉଛି ଧର୍ମର କ୍ଷେତ୍ର। ଏଠାକୁ ମୁଁ ରାଜ୍ୟପାଳ ହୋଇ ଆସି ନିଜକୁ ଗର୍ବିତ ମନେ କରୁଛି। ସେ ଆହୁରି କହିଥିଲେ, ଈଶ୍ୱରଙ୍କ ଦର୍ଶନ ପାଇଁ ଦେଖାଶିଖା ପୂଜା କରନି। ଈଶ୍ୱରଙ୍କ ଦର୍ଶନ ପାଇବାକୁ ହେଲେ ପ୍ରତିଦିନ ମା’ଙ୍କ ଚରଣରେ ଫୁଲ ଚଢ଼ାଅ। ସେଠାରେ ହିଁ ଈଶ୍ୱରପ୍ରାପ୍ତିର ମୂଳମନ୍ତ୍ର ରହିଛି ବୋଲି ସେ କହିଥିଲେ। ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ଯୋଗୁ ଶ୍ରୀଜଗନ୍ନାଥ ସଂସ୍କୃତି ବଞ୍ଚି ରହିଛି। ଗୋବର୍ଦ୍ଧନ ମଠର ଅବଦାନ ଏ ଦିଗରେ ଅତୁଳନୀୟ ବୋଲି ଗଜପତି ମହାରାଜ ଓ ମନ୍ତ୍ରୀ ଶ୍ରୀ ଜେନା କହିଥିଲେ। ବିଜେପି ନେତା ବିଜୟ ମହାପାତ୍ର କହିଥିଲେ, ଶ୍ରୀମନ୍ଦିରର ପରମ୍ପରା କ୍ଷୁଣ୍ଣ ହେବାକୁ ଯାଉଛି। ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟ ହିଁ ଏହାକୁ ଅକ୍ଷୁଣ୍ଣ ରଖିପାରିବେ। ଏ ଦିଗରେ ଜଗତ୍‌ଗୁରୁ ଦୃଷ୍ଟି ଦେବା ଦରକାର ବୋଲି ଶ୍ରୀ ମହାପାତ୍ର କହିଥିଲେ। ଏହି ଅବସରରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଧୁସନ୍ଥମାନେ ଧର୍ମଶାସ୍ତ୍ର ଉପରେ ଉଦ୍‌ବୋଧନ ଦେବା ସହ ଜଗତ୍‌ଗୁରୁଙ୍କ ଆଶୀର୍ବାଦ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe