ଏଚ୍‌୩ଏନ୍‌୨ ସଂକ୍ରମଣ ବଢ଼ୁଛି: ଜୁନ୍ ବେଳକୁ ଆସିପାରେ ଇନ୍‌ଫ୍ଲୁଏଞ୍ଜାର ବଡ଼ ଲହର !

Advertisment

ଶିଶୁଙ୍କ ପାଇଁ ଏଚ୍‌୩ଏନ୍‌୨ ଘାତକ, ଆଣ୍ଟିବାୟୋଟିକ୍ସ ବି କାମ ‌ଦେଉନି

ଶିଶୁଙ୍କ ପାଇଁ ଏଚ୍‌୩ଏନ୍‌୨ ଘାତକ, ଆଣ୍ଟିବାୟୋଟିକ୍ସ ବି କାମ ‌ଦେଉନି

ଏଚ୍‌୩ଏନ୍‌୨ ସଂକ୍ରମଣ ବଢ଼ୁଛି: ଜୁନ୍ ବେଳକୁ  ଆସିପାରେ  ଇନ୍‌ଫ୍ଲୁଏଞ୍ଜାର  ବଡ଼ ଲହର !

Flu. Closeup image of frustrated sick woman lying in bed in thick blue scarf holding tissue by her nose and touching her head and blowing her nose with closed eyes.

ଭୁବନେଶ୍ବର: ଇନ୍‌ଫ୍ଲୁଏଞ୍ଜା ଏଚ୍‌୩ଏନ୍‌୨କୁ ନେଇ ଏବେ ଦେଶବ୍ୟାପୀ ଲୋକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଦେଶରେ ଇନ୍‌ଫ୍ଲୁଏଞ୍ଜା ଜନିତ ମୃତ୍ୟୁସଂଖ୍ୟା ୭ ଛୁଇଁଲାଣି। ମାତ୍ର ଓଡ଼ିଶାରେ ସରକାରୀଭାବେ ଏଭଳି କିଛି ଘୋଷଣା ହୋଇନାହିଁ। ତେବେ ଇନ୍‌ଫ୍ଲୁଏଞ୍ଜାର ଏହି ଲହର ଚଳିତମାସ ଶେଷ ସପ୍ତାହ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ରହିପାରେ। କିନ୍ତୁ ଜୁନ୍ ଓ ଜୁଲାଇ ମାସ ବେଳକୁ ଇନ୍‌ଫ୍ଲୁଏଞ୍ଜାର ଆଉ ଏକ ବଡ଼ ଲହର ଆସିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରୁଛନ୍ତି। ବିଶେଷଜ୍ଞଙ୍କ ମତରେ ଇନ୍‌ଫ୍ଲୁଏଞ୍ଜା ମୁଖ୍ୟତଃ ଡିସେମ୍ବରୁ ମାର୍ଚ ଓ ବର୍ଷା ପରେ ଆସିଥାଏ। ତେବେ ଡିସେମ୍ବର ମାସରେ ଆସୁଥିବା ଲହର ସାଧାରଣତଃ ଛୋଟ ଥିବା ବେଳେ ବର୍ଷା ପରବର୍ତୀ ଏକ ବଡ଼ ଲହର ଆସିଥାଏ। ଗତ ଡିସେମ୍ବର ମାସରେ ଆସିଥିବା ଲହର କିନ୍ତୁ ପୂର୍ବବର୍ଷଗୁଡ଼ିକ ତୁଳନାରେ ଅଧିକ ରହିଛି। ରାଜ୍ୟରେ ଇନ୍‌ଫ୍ଲୁଏଞ୍ଜା-ଏ(ଏଚ୍‌୧ଏନ୍‌୧, ଏଚ୍‌୩ଏନ୍‌୨) ସହିତ ଇନ୍‌ଫ୍ଲୁଏଞ୍ଜା-ବି ମଧ୍ୟ ବଢ଼ିବାରେ ଲାଗିଛି। ସରକାରୀ ସ୍ତରରେ ଇନ୍‌ଫ୍ଲୁଏଞ୍ଜା ପରୀକ୍ଷା ହେଉ ନ ଥିବା ବେଳେ ଘରୋଇ କ୍ଷେତ୍ରରେ ଏହି ପରୀକ୍ଷା ଦର ଯଥେଷ୍ଟ ଅଧିକ ରହିଛି। ଆରଏମ୍‌ଆରସିକୁ କେବଳ କିଛି ନିର୍ଦ୍ଦିଷ୍ଟ ନମୁନା ପରୀକ୍ଷା ପାଇଁ ପଠାଯାଉଛି। ଯାହାଫଳରେ ଇନ୍‌ଫ୍ଲୁଏଞ୍ଜାକୁ ନେଇ ରାଜ୍ୟରେ ଚିତ୍ର ଅସ୍ପଷ୍ଟ ରହିଛି। ଏହାସହ ସରକାରୀ ସ୍ତରରେ ଇନ୍‌ଫ୍ଲୁଏଞ୍ଜାକୁ ନେଇ ବିଳମ୍ବରେ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବିଶେଷଜ୍ଞମାନେ ମତ ରଖିଛନ୍ତି।

ରାଜ୍ୟ ସ୍ବାସ୍ଥ୍ୟସେବା ନିର୍ଦେଶକ ଡା.ବିଜୟ ମହାପାତ୍ର କହିଛନ୍ତି କୋଭିଡ୍‌ ଓ ଏଚ୍‌୩ଏନ୍‌୨ର ଲକ୍ଷଣ ପ୍ରାୟତଃ ସମାନ ରହିଛି। ତେଣୁ କୋଭିଡ ନମୁନା ନେଗେଟିଭ୍ ରହିଥିଲେ ନମୁନାକୁ ପରୀକ୍ଷା ପାଇଁ ପଠାଯିବାକୁ ଜିଲ୍ଲାସ୍ତରରେ ନିର୍ଦେଶ ଦିଆଯାଇଛି। ଯାହାର ଲକ୍ଷଣ ରହିଛି ସେମାନେ ନିଜର ପରୀକ୍ଷା କରାଇନେବା ଜରୁରୀ। ନିଜକୁ ଅଲଗା କରନ୍ତୁ। ମାତ୍ର ଆତଙ୍କିତ ହେବାର କୌଣସି କାରଣ ନାହିଁ ବୋଲି ଡା.ମହାପାତ୍ର କହିଛନ୍ତି। ଅପରପକ୍ଷରେ ବରିଷ୍ଠ ଡା.ନିରୋଜ ମିଶ୍ର କହିଛନ୍ତି, ସିଜନାଲ ଫ୍ଲୁ ମଝିରେ ମଝିରେ ଆସିଥାଏ। ୨୦୦୯,୨୦୧୪ରେ ଯେପରି ସ୍ବାଇନ୍ ଫ୍ଲୁ ବଢ଼ିଥିଲା, ଚଳିତବର୍ଷ ଏଚ୍‌୩ଏନ୍‌୨ ବଢ଼ିଛି। ଗତ ଡିସେମ୍ବର ମାସରୁ ଏଥିରେ ଆକ୍ରାନ୍ତ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ୨ବର୍ଷ ଧରି କୋଭିଡ ସଂକ୍ରମଣ ଚାଲିଥିବା ବେଳେ ବିଶ୍ବବ୍ୟାପୀ ଇନ୍‌ଫ୍ଲୁଏଞ୍ଜା-ବି ସଂକ୍ରମଣ ଦେଖିବାକୁ ମିଳି ନ ଥିଲା। ଚଳିତବର୍ଷ ଏଥିରେ ମଧ୍ୟ ବହୁ ରୋଗୀ ସଂକ୍ରମିତ ଥିବା ନଜରକୁ ଆସୁଛି।

ଏହାସହ ଅନ୍ୟ ରେସ୍ପିରେଟୋରି ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ଚଳିତ ଲହର ଏପ୍ରିଲ ପ୍ରଥମ ସପ୍ତାହରେ ଶେଷ ହେବା ନେଇ ଅନୁମାନ କରାଯାଉଛି। ତେବେ ହାଇ ରିସ୍କ ବର୍ଗର ଲୋକମାନେ ସତର୍କ ରହିବା ସହିତ ଆବଶ୍ୟକସ୍ଥଳେ ଟିକା ନେଇଯିବା ଜରୁରୀ ବୋଲି ଡା.ମିଶ୍ର ପରାମର୍ଶ ଦେଇଛନ୍ତି। ଉଲ୍ଲେଖ ଯେ ରାଜ୍ୟରେ ବର୍ତ୍ତମାନସୁଦ୍ଧା ଇନ୍‌ଫ୍ଲୁଏଞ୍ଜାରେ ଆକ୍ରାନ୍ତ ୫୯ଜଣଙ୍କୁ ଚିହ୍ନଟ କରାଯାଇଛି। ନିକଟରେ ରାଜ୍ୟ ସରକାର ଜିଲ୍ଲାମାନଙ୍କୁ ଆରଟି-ପିସିଆର କିଟ୍‌ କିଣିବା ସହିତ ଇନ୍‌ଫ୍ଲୁଏଞ୍ଜା-ଏ ପରୀକ୍ଷା କରିବା ଲାଗି ନିର୍ଦେଶ ଦେଇଛନ୍ତି।

ନୂଆଦିଲ୍ଲୀ: ଶିଶୁମାନଙ୍କ ପାଇଁ ଏଚ୍‌୩ଏନ୍‌୨ ଭାଇରସ ଘାତକ। ବିଶେଷ କରି ୫ ବର୍ଷରୁ କମ୍‌ ବୟସର ଅଧିକାଂଶ ଶିଶୁ ଏଚ୍‌୩ଏନ୍‌୨ରେ ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ଏହା ଅତ୍ୟନ୍ତ ଚିନ୍ତାଜନକ ଯେ ପିଲାମାନଙ୍କ କ୍ଷେତ୍ରରେ ଔଷଧ ଏବଂ ବିଶେଷ କରି ଆଣ୍ଟିବା‌‌ୟୋଟିକ୍ସ କାମ ଦେଉନାହିଁ। ଏନ୍‌ଆଇଭି (ନେସନାଲ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି) ତଥ୍ୟ ଅନୁଯାୟୀ ଚଳିତ ବର୍ଷ ଜାନୁଆରିରୁ ଏଯାବତ୍‌ ପୁନେରେ ମୋଟ୍‌ ୨୫୨୯ ନମୁନାରୁ ୪୨୮ ନମୁନା ପଜିଟିଭ୍‌ ଆସିଛି। ଫେବ୍ରୁଆରି ଦ୍ବିତୀୟ ଭାଗରେ ଅଧିକାଂଶ ଏଚ୍‌୩ଏନ୍‌୨ ଭାଇରସ ମାମଲା ଚିହ୍ନଟ ହୋଇଛି। ପୁନେରେ ଅଧିକାଂଶ ରୋଗୀ ଏସ୍‌ଏଆର୍‌ଆଇ (ସିଭିୟର ଆକ୍ୟୁଟ୍‌ ରେସ୍‌ପିରେଟୋରି ସିଣ୍ଡ୍ରୋମ୍‌)ର ଲକ୍ଷଣ ସହ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ପୁନେରେ ଅଧିକାଂଶ ହସ୍ପିଟାଲର ଶିଶୁ ବିଭାଗ ଆଇସିୟୁ ବେଡ୍‌ ଗୁଡ଼ିକ ଗତ ୪-୬ ସପ୍ତାହ ହେବ ଭର୍ତ୍ତି ରହୁଛି। ଅଧିକାଂଶ ସ୍କୁଲ ଯାଇନଥିବା ପିଲା ଏଚ୍‌୩ଏନ୍‌୨ରେ ସଂକ୍ରମିତ ହେଉଛନ୍ତି। କିଛି ପିଲାଙ୍କର ଲିଭର ସମସ୍ୟା ଏବଂ ରକ୍ତ ଚାପ ଜନିତ ସମସ୍ୟା ରହୁଛି। ସେମାନଙ୍କୁ ଭେଣ୍ଟିଲେଟର ସପୋର୍ଟ ଦରକାର ପଡ଼ୁଛି। ଆଇସିୟୁରେ ଭର୍ତ୍ତି ହୋଇଥିବା ଅଧିକାଂଶ ଶିଶୁଙ୍କ ବୟସ ୫ ବର୍ଷରୁ କମ୍‌। ସବୁ ‌ରୋଗୀଙ୍କର ଗୋଟିଏ ସମସ୍ୟା। ଅଣନିଶ୍ବାସୀ ହେବା ସହ କଫ ଏବଂ ଜ୍ବର ରହୁଛି। ନିମୋନିଆ ଲକ୍ଷଣ ଦୀର୍ଘ ଦିନ ପର୍ଯ୍ୟନ୍ତ ରହୁଛି।

ମୃତ୍ୟୁସଂଖ୍ୟା ୭ରେ ପହଞ୍ଚିଲା

ଅହମଦାବାଦ: ଏଚ୍‌୩ଏନ୍‌୨ ଇନଫ୍ଲୁଏଞ୍ଜା ଭାଇରସ୍‌ ଯୋଗୁଁ ଗୁଜରାଟରେ ପ୍ରଥମ ମୃତ୍ୟୁ ହୋଇଛି। ସ୍ବାସ୍ଥ୍ୟ ଅଧିକାରୀଙ୍କ ଅନୁଯାୟୀ ଜଣେ ୫୮ ବର୍ଷୀୟା ମହିଳା ଏଚ୍‌୩ଏନ୍‌୨ ଇନଫ୍ଲୁଏଞ୍ଜା ଭାଇରସ୍‌ରେ ସଂକ୍ରମିତ ହୋଇଥିଲେ। ଏଥିସହ ଦେଶରେ ମୋଟ୍‌ ଏଚ୍‌୩ଏନ୍‌୨ ଭାଇରସ୍‌ ଜନିତ ମୃତ୍ୟୁସଂଖ୍ୟା ୭ରେ ପହଞ୍ଚିଛି। କର୍ଣ୍ଣାଟକର ହାସନ ଜିଲ୍ଲାରେ ଦେଶର ପ୍ରଥମ ଏଚ୍‌୩ଏନ୍‌୨ ଭାଇରସ୍‌ ମୃତ୍ୟୁ ହୋଇଥିଲା। କେନ୍ଦ୍ରର ତଥ୍ୟ ଅନୁଯାୟୀ ଜାନୁଆରି ୨ରୁ ମାର୍ଚ୍ଚ ୫ ମଧ୍ୟରେ ମୋଟ୍‌ ୪୫୧ ଏଚ୍‌୩ଏନ୍‌୨ ମାମଲା ଚିହ୍ନଟ ହୋଇଛି। ଚଳିତ ମାସ ଶେଷରେ ସଂକ୍ରମଣ କମିବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe