ସମୁଦ୍ର ଆଁରେ ‘ହବାଳିଖଟି’‌: ‘ଦାନା’ରେ ସମୁଦ୍ର ମାଡ଼ି ଆସିଛି ୧୦୦ ମିଟର

ଘୁ ଘୁ ଗର୍ଜନ କରି ସମୁଦ୍ର ମାଡ଼ି ଆସୁଛି। ଗୋଟିଏ ପରେ ଗୋଟିଏ ସ୍ଥାନରେ କୂଳ ଲଂଘୁଛି। କେବେ କରାଳ ରୂପ ‌ତ ଆଉ କେବେ ଶାନ୍ତ ସ୍ବଭାବରେ ଉପକୂଳ ଧୋଉଛି। ବେଳେବେଳେ ଅଶାନ୍ତ ରୂପରେ ଜନବସତିକୁ ନିଜ ଗର୍ଭକୁ ଟାଣି ନେଉଛି।

sfsfs

Photograph: ( Wikimedia Commons)

କେଶବ ପାଣି

ଭୁବନେଶ୍ବର: ଘୁ ଘୁ ଗର୍ଜନ କରି ସମୁଦ୍ର ମାଡ଼ି ଆସୁଛି। ଗୋଟିଏ ପରେ ଗୋଟିଏ ସ୍ଥାନରେ କୂଳ ଲଂଘୁଛି। କେବେ କରାଳ ରୂପ ‌ତ ଆଉ କେବେ ଶାନ୍ତ ସ୍ବଭାବରେ ଉପକୂଳ ଧୋଉଛି। ବେଳେବେଳେ ଅଶାନ୍ତ ରୂପରେ ଜନବସତିକୁ ନିଜ ଗର୍ଭକୁ ଟାଣି ନେଉଛି। କେନ୍ଦ୍ରାପଡ଼ା ଜିଲ୍ଲା ସାତଭାୟାର କାହାଣୀ ମନରୁ ନ ଲିଭୁଣି ଆଉ ଏକ ଅଞ୍ଚଳ ଏବେ ସମୁଦ୍ର ଭିତରେ ନିଶ୍ଚିହ୍ନ ହେବାକୁ ବସିଛି। ୧୦ରୁ ୨୦ ମିଟର ନୁହେଁ, ବରଂ ୧୦୦ ମିଟର ପର୍ଯ୍ୟନ୍ତ ସମୁଦ୍ର ଆଗକୁ ମାଡ଼ି ଆସିବା ସହ ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ‘ହବାଳିଖଟି’କୁ ନିଜ କୋଳ ମଧ୍ୟକୁ ‌ଟାଣିନେଇଛି। କଥାରେ ଅଛି ସମୁଦ୍ର ଯାହା ନିଏ ତାହା ପୁଣି ଫେରାଇ ଦିଏ। ମାତ୍ର ଏଠାରେ କିନ୍ତୁ ଗୋଟିଏ ସୁନ୍ଦର ପର୍ଯ୍ୟଟନ ସ୍ଥଳୀକୁ ନିଶ୍ଚିହ୍ନ କରିଦେଇଛି। ନିର୍ଜନ ବେଳାଭୂମିର ନୈସର୍ଗିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଏଠାରେ ଆଉ ସୁବିଧା ନାହିଁ। ଯେଉଁଠି ଦିନେ ପର୍ଯ୍ୟଟକ ବସି ସୁନ୍ଦର ବେଳାଭୂମିର ମଜା ନେଉଥିଲେ ଆଜି ସେଠାରେ ବଡ଼ ବଡ଼ ଢେଉ ମାଡ଼ ହେଉଛି।

ଏକ ଦଶନ୍ଧି ତଳେ ‘ହବାଳିଖଟି’ଠାରୁ ୮୦୦ ମିଟର ଦୂରରେ ଥିବା ସମୁଦ୍ର ଧୀରେ ଧୀରେ ଉପକୂଳକୁ ଖାଇ ଚାଲିଛି। ବିଶେଷକରି ୨୦୨୪ ଅକ୍ଟୋବର ୨୪ରେ ବାତ୍ୟା ‘ଦାନା’ ହବାଳିଖଟି ନେଚର୍‌ କ୍ୟାମ୍ପ ନିକଟରେ ମାଡ଼ ହେବା ପରେ ଏଠାକାର ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି। ବାତ୍ୟା ସମୟରେ ସମୁଦ୍ର ଅଶାନ୍ତ ହେବା ସହ ପ୍ରାୟ ୧୦୦ ମିଟର ଆଗକୁ ମାଡ଼ି ଆସିଥିଲା। ଇତିମଧ୍ୟରେ ୪ ମାସ ବିତି ଯାଇଥିଲେ ମଧ୍ୟ ସମୁଦ୍ର ଆଉ ପଛକୁ ଫେରୁ ନାହିଁ। ପର୍ଯ୍ୟଟକଙ୍କ ରହଣୀ ପାଇଁ ଏଠାରେ ନିର୍ମାଣ ହୋଇଥିବା କଟେଜ୍‌ଗୁଡ଼ିକ ଏବେ ବ୍ୟବହାର ଉପଯୋଗୀ ଅବସ୍ଥାରେ ନାହିଁ। ଗୋଟିଏ ବର୍ଷ ତଳେ ଯେଉଁଠି ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଥିଲା ଆଜି ସେଠାରେ ଖାଁ ଖାଁ ପରିବେଶ। ପର୍ଯ୍ୟଟକଙ୍କ କୋଳାହଳ ନାହିଁ କି ରହିବାକୁ ସୁବିଧା ଉପଲବ୍ଧ ହେଉନି। କଟେଜ୍‌ ତଳୁ ବାଲି ଧୋଇ ହୋଇଯାଇଛି। ଏବେ କେବଳ ବାଲିରେ ପୋତି ହୋଇଥିବା‌ କଂକ୍ରିଟ୍‌ ଖୁଣ୍ଟଗୁଡ଼ିକ ଛିଡ଼ା ହୋଇଛି। ସମୁଦ୍ର ସିଧାସଳଖ ଖୁଣ୍ଟଗୁଡ଼ିକରେ ମାଡ଼ ହେଉଛି। କେଉଁ ମୁହୂର୍ତ୍ତରେ ଖୁଣ୍ଟଗୁଡ଼ିକ ଉପରେ ଛିଡ଼ା ହୋଇଥିବା‌ ଘର ସମୁଦ୍ର ମୁହଁକୁ ଟଳିପଡ଼ିବ ତାହା କେହି କେହିପାରିବେ ନାହିଁ।

‘ଦାନା’ରେ ସମୁଦ୍ର ମାଡ଼ି ଆସିଛି ୧୦୦ ମିଟର
ନେଚର୍‌ କ୍ୟାମ୍ପକୁ ବନ୍ଦ କରିଦେଲା ବନ ବିଭାଗ
ପେଣ୍ଠ ଉପକୂଳରେ ମଧ୍ୟ ସମୁଦ୍ର ସୀମା ଲଂଘୁଛି
ଅବଦୁଲ କଲାମ ଦ୍ବୀପ ପାଖରେ ୪ କିମି ବଳୟ ସୃଷ୍ଟି

ଅଞ୍ଚଳବାସୀଙ୍କ କହିବାନୁଯାୟୀ ହବାଳିଖଟି ନେଚର୍‌ କ୍ୟାମ୍ପଠାରୁ ୭୦୦ରୁ ୮୦୦ ମିଟର ଦୂରରେ ସମୁଦ୍ର ରହିଥିଲା। ତେବେ ଗତ ୧୦ରୁ ୧୨ ବର୍ଷ ହେଲା ଧୀରେ ଧୀରେ ନଷ୍ଟ ହେଉଛି। ସମୁଦ୍ର ମାଡ଼ି ଆସିବାରୁ ଲୋକଙ୍କ ଜୀବନ ଜୀବିକା ବହୁ ମାତ୍ରାରେ ପ୍ରଭାବିତ ହେଉଛି। ପର୍ଯ୍ୟଟକମାନେ ଏଠାରେ ରହିବାକୁ ଆସୁଛନ୍ତି। ମାତ୍ର ବର୍ତ୍ତମାନର ସ୍ଥିତି ଦେଖି ଫେରି ଯାଉଛନ୍ତି। ବାତ୍ୟା ପରେ ସମୁଦ୍ର ଅଧିକ ଅଶାନ୍ତ ହେବା ସହ କୂଳ ଖାଉଛି। କଟେଜ୍‌ଗୁଡ଼ିକ ବୁଡ଼ି ରହିଥିବାରୁ ତାହାର ପୁନରୁଦ୍ଧାର ଆଉ ସମ୍ଭବପର ହେବା ପରି ମନେ ହେଉ ନାହିଁ। ଏବେଠାରୁ ପ୍ରତିକାର କରା ନ ଗଲେ ସମୁଦ୍ର ଆହୁରି ଅଞ୍ଚଳକୁ ନିଜ କୋଳକୁ ଟାଣିନେବ। କେବଳ ‘ହବାଳିଖଟି’ ନୁହେଁ, ପେଣ୍ଠ ନିକଟ ଦୁଇଟି ସ୍ଥାନରେ ମଧ୍ୟ ସମୁଦ୍ର କୂଳ ଲଂଘୁଛି। ଅଲିଭ୍‌ରିଡ୍‌ଲେ କଇଁଛଙ୍କ ଅଣ୍ଡାଦାନ ସ୍ଥଳ ତଥା ଏପିଜେ ଅବଦୁଲ କଲାମ ଦୀପ ନିକଟକୁ ଲାଗି ଥିବା ଏକ ବେଳାଭୂମି ଇତିମଧ୍ୟରେ ସମୁଦ୍ରରେ ଲୀନ ହୋଇଯାଇଛି। ୧୯୭୧ରେ ରାଜନଗର ଉପକୂଳରେ ମାଡ଼ ହୋଇଥିବା ବାତ୍ୟାରେ ସେହି ବେଳାଭୂମି ନଷ୍ଟ ହୋଇଥିଲା। ପାଞ୍ଚ ଦଶନ୍ଧି ବିତିଯାଇଥିଲେ ମଧ୍ୟ ବେଳାଭୂମି ଆଉ ଦେଖିବାକୁ ମିଳୁ ନାହିଁ। ତେବେ ଗତ ୩ରୁ ୪ ବର୍ଷ ହେଲା ଏହାଠାରୁ କିଛି ଦୂରରେ ଆଉ ଏକ ଉପକୂଳ ବଳୟ ସୃଷ୍ଟି ହେଉଛି। ଏହାର ପରିସୀମା ପ୍ରାୟ ୪ରୁ ୫ କିଲୋମିଟର ହେବ। ଯଦି ଏହା ନଷ୍ଟ ନ ହୁଏ ତାହା ହେଲେ ଆସନ୍ତା କିଛି ମାସ ମଧ୍ୟରେ ଏହା ଏପିଜେ ଅବଦୁଲ କଲାମ ଦ୍ବୀପ ସହ ଯୋଡ଼ି ହୋଇ ନୂଆ ବେଳାଭୂମି ସୃଷ୍ଟି ହେବ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି।

ରାଜନଗର ଡିଏଫ୍ଓ ସୁରେନ୍ଦ୍ର ଗୋପୀନାଥ ଯାଦବ କହିଛନ୍ତି ଯେ ଉପକୂଳର ସବୁ ଜାଗାରେ ସମୁଦ୍ର କୂଳ ଖାଉ ନାହିଁ। ସାତଭାୟାରେ ସମୁଦ୍ର କୂଳ ଲଙ୍ଘିବା ସହ ଜନଜୀବନକୁ ପ୍ରଭାବିତ କରିଥିଲା। ଏବେ ବାତ୍ୟା ‘ଦାନା’ ପରେ ‘ହବାଳିଖଟି’ ସମ୍ପୂର୍ଣ୍ଣ ନଷ୍ଟ ହୋଇଛି। ୮ରୁ ୯ ବର୍ଷ ପୂର୍ବେ ସେଠାରେ ନେଚର କ୍ୟାମ୍ପ ତିଆରି ସମୟରେ ସମୁଦ୍ର ୭୦୦ରୁ ୮୦୦ ମିଟର ଦୂରରେ ରହିଥିଲା। ଏବେ ଚିତ୍ର ସମ୍ପୂର୍ଣ୍ଣ ବଦଳିଯାଇଛି। ନେଚର କ୍ୟାମ୍ପ ପର୍ଯ୍ୟନ୍ତ ସମୁଦ୍ର ପାଣି ପଳାଇ ଆସୁଛି। ଅବସ୍ଥା ଏମିତି ହେଲାଣି ଯେ ଏବେ ଆମେ ନେଚର କ୍ୟାମ୍ପକୁ ବନ୍ଦ କରିବାକୁ ବାଧ୍ୟ ହୋଇଛୁ। ଯେଉଁ ପର୍ଯ୍ୟଟକମାନେ ଦୂରରୁ ଆସି ରହିବାକୁ ଚାହୁଁଥିଲେ କିମ୍ବା ବୁକିଂ କରିଥିଲେ ତାହାକୁ ଆମକୁ ବାତିଲ କରିବାକୁ ପଡ଼ିଛି। ଆଗକୁ ଖୋଲିବ କି ନାହିଁ ତାହା କହିବା‌ ଏବେ ସମ୍ଭବପର ନୁହେଁ। ସମୁଦ୍ର କୂଳର ସମସ୍ତ ସ୍ଥାନରେ ହେନ୍ତାଳବଣ ସୃଷ୍ଟି କରିବା ସମ୍ଭବପର ନୁହେଁ। ତେଣୁ ତାହାର ବିକଳ୍ପ ଭାବେ ଉପକୂଳରେ କାଜୁରିନା ଗଛ ଲଗାଯାଇପାରିବ। ଏହାକୁ ରୋପଣ କରିବାକୁ ସରକାର ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଆମେ ମଧ୍ୟ ଏଦିଗରେ ପଦକ୍ଷେପ ନେଇଛୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe