India Posts English
ଭୁବନେଶ୍ବର: ମାତ୍ର ଦେଢ଼ ଘଣ୍ଟା ଭିତରେ ପୂରା ଓଲଟପାଲଟ ହୋଇଗଲା ରାଜଧାନୀର ପାଣିପାଗ। ତାପମାତ୍ରା ଏକାବେଳକେ ୩୩.୬ ଡିଗ୍ରିରୁ ୨୦.୮ ଡିଗ୍ରିକୁ ଖସିଗଲା। ଫଳରେ ଉଦୁଉଦୁଆ ଖରାବେଳଟାରେ ରାଜଧାନୀବାସୀ କାଲୁଆ ହୋଇଗଲେ। ପଶ୍ଚିମା ଝଡ଼ ପ୍ରଭାବରେ ହୋଇଥିବା ବର୍ଷା ଯୋଗୁଁ ଆଜି ରାଜଧାନୀ ପାଣିପାଗରେ ଏମିତି ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଥିଲା। କିଛି ସମୟ ମଧ୍ୟରେ ପାରଦ ୧୨.୮ ଡିଗ୍ରି ଖସି ଯାଇଥିଲା ବୋଲି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ଅପରପକ୍ଷେ ଆଜି ଅପରାହ୍ଣରେ ଗଞ୍ଜାମ, ପୁରୀ, ଖୋର୍ଧା, କଟକ, କେନ୍ଦ୍ରାପଡ଼ା, ବାଲେଶ୍ବର ଓ ଜଗତ୍ସିଂହପୁର ଆଦି ୭ଟି ଜିଲ୍ଲାରେ ଅପରାହ୍ଣରେ କୁଆପଥର ବର୍ଷା ହୋଇଛି। ଆକାଶରୁ ପୁଳାପୁଳା କୁଆପଥର ପଡ଼ିବା ସହ ୩୦ରୁ ୪୦ କିମି ବେଗରେ ପବନ ବହିବାରୁ ଏହି ଜିଲ୍ଲାଗୁଡ଼ିକରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି। ତେବେ ଆସନ୍ତାକାଲିଠାରୁ ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ କମିବ। ଅଳ୍ପ କିଛି ସ୍ଥାନରେ କାଳବୈଶାଖୀ ଜନିତ ହାଲୁକା ବର୍ଷା ହୋଇପାରେ। ତେବେ ୨୩ ତାରିଖରୁ ଉତ୍ତର ପଶ୍ଚିମ ଭାରତ ଉପରେ ଆଉ ଏକ ପଶ୍ଚିମା ଝଡ଼ର ପ୍ରଭାବ ଅନୁଭୂତ ହେବ। ଏହାର ପ୍ରଭାବ ଓଡ଼ିଶା ଉପରେ ବି ରହିପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା ୪ ଦିନ ରାଜ୍ୟରେ ଠାଏ ଠାଏ କାଳବୈଶାଖୀ ଜନିତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଅଧିକାଂଶ ସ୍ଥାନରେ ପାଗ କିନ୍ତୁ ଶୁଖିଲା ରହିବ। ଧୀରେଧୀରେ ରାଜ୍ୟର ଦିନ ତାପମାତ୍ରା ବଢ଼ିବ। ଆସନ୍ତା ୩ ଦିନରେ ୪ ଡିଗ୍ରି ପର୍ଯ୍ୟନ୍ତ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ବୃଦ୍ଧି ପାଇବ।
Follow Us