ଧର୍ମଶାଳା/କବାଟବନ୍ଧ: ଜେନାପୁର ଥାନା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ବ୍ରାହ୍ମଣୀ ବ୍ରିଜ୍ରେ ଆଜି ପୂର୍ବାହ୍ଣ ପ୍ରାୟ ୧୧ଟାରେ ଏକ ହାଇୱା ଧକ୍କାରେ ଜଣେ ଲୁନା ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ମର୍ଜିତାପୁର ଗ୍ରାମର ଗୌରାଙ୍ଗ ପରିଡ଼ା(୫୭)। ଲୁନା ଚାଳକ ଏହି ଗ୍ରାମର କୁନାନନ୍ଦ ତରାଇ(୪୫) ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଜାତୀୟ ରାଜପଥକୁ ପ୍ରାୟ ଘଣ୍ଟାଏ ପର୍ଯ୍ୟନ୍ତ ଅବରୋଧ କରିଥିଲେ। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରେ ଗାଡ଼ି ଚଳାଚଳ ସ୍ବାଭାବିକ ହୋଇଥିଲା।
ପ୍ରକାଶ ଯେ, ମର୍ଜିତାପୁର ଗ୍ରାମର କୁନାନନ୍ଦ ଓ ଗୌରାଙ୍ଗ ବ୍ରାହ୍ମଣୀରୁ ମାଛ ଧରିବା ପାଇଁ ଏକ ଲୁନାରେ ଘରୁ ଯାଉଥିଲେ। ଡୁବୁରି ଯାଉଥିବା ଏକ ହାଇୱା ବ୍ରାହ୍ମଣୀ ବ୍ରିଜ୍ରେ ଲୁନା ପଛ ପଟୁ ଧକ୍କା ଦେଇ ଫେରାର୍ ହୋଇ ଯାଇଥିଲା। ଦୁର୍ଘଟଣାରେ ଉଭୟ ଗୁରୁତର ଆହତ ହୋଇଥିଲେ। ଆମ୍ବୁଲାନ୍ସରେ ସେମାନଙ୍କୁ ଦାନଗଦୀ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ଗୌରାଙ୍ଗଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ୍ ମୃତଦେହ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।
Follow Us