ହାଜତ ମୃତ୍ୟୁ ଘଟଣା: ୫ ପୁଲିସ୍‌ କର୍ମଚାରୀ କାର୍ଯ୍ୟରୁ ବିରତ

ହାଜତ ମୃତ୍ୟୁ ଘଟଣା: ୫ ପୁଲିସ୍‌ କର୍ମଚାରୀ କାର୍ଯ୍ୟରୁ ବିରତ

bargarh.nic.in

ବରଗଡ଼ : ଟାଉନ୍‌ ଥାନା ହାଜତ ମୃତ୍ୟୁ ଅଭିଯୋଗ ମାମଲାରେ ପ୍ରଥମ ବିଭାଗୀୟ ପଦକ୍ଷେପ ନେଇଛି ପୁଲିସ୍‌। ଏହି ମାମଲାରେ ୫ଜଣ ପୁଲିସ୍‌ ଅଧିକାରୀ ଏବଂ କର୍ମଚାରୀଙ୍କୁ କାର୍ଯ୍ୟରୁ ବିରତ ନିର୍ଦ୍ଦେଶ ଦେଇଛନ୍ତି ବରଗଡ଼ ଏସ୍‌ପି ରାହୁଲ ଜୈନ। ଏମାନଙ୍କ ଭିତରେ ଅଛନ୍ତି ଏସ୍‌ଆଇ ବଲିଆର ସିଂ ଓ ମଂଗଲ କିସ୍କୋ, ଏଏସ୍‌ଆଇ ପୀତାମ୍ବର ବେହେରା ଓ କ୍ଷୀରୋଦ୍ର ବିଶ୍ବାଳ, ଡ୍ରାଇଭର୍‌ ଗୋପବନ୍ଧୁ ଜଗଦଲା। ଉପରୋକ୍ତ ଅଧିକାରୀ ଏବଂ କର୍ମଚାରୀମାନେ ପିସିଆର୍‌ରେ ତୋରାସ୍ଥିତ ଗୋବିନ୍ଦଙ୍କ ଘରକୁ ଯାଇ ତାଙ୍କୁ ଉଠାଇ ଆଣିଥିବା ଅଭିଯୋଗ ହୋଇଛି। ତେବେ ଏମାନେ କେବଳ କାର୍ଯ୍ୟରୁ ବିରତ ରହିବେ ନା ଆଉ କିଛି ଆଖିଦୃଶିଆ ପଦକ୍ଷେପ ପୁଲିସ୍‌ ନେବ, ତାହା ଆଗାମୀ ଦିନ କହିବ।

ଗତକାଲି ବରଗଡ଼ ଟାଉନ୍‌ ଥାନାରେ ହାଜତ ମୃତ୍ୟୁ ଅଭିଯୋଗ ହୋଇଥିଲା। ମୃତକ ଜଣକ ହେଲେ ତୋରା ଗାଁର ଗୋବିନ୍ଦ କୁମ୍ଭାର(୨୭)। ଗତ ୨୦ ତାରିଖ ଏକ ଗଣ୍ଡଗୋଳ ଘଟଣାରେ ଗୋବିନ୍ଦଙ୍କ ନାମରେ ୩୧୭/୨୧ ନମ୍ବରରେ ଥାନାରେ ମାମଲା ଥିଲା। ଶୁକ୍ରବାର ରାତିରେ ପୁଲିସ୍‌ ଗୋବିନ୍ଦକୁ ଥାନାକୁ ଉଠାଇ ଆଣିଥିଲା। ଶନିବାର ସକାଳୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ତାଙ୍କୁ ନିଆଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ, ଗୋବିନ୍ଦକୁ ଥାନାରେ ନିସ୍ତୁକ ମାଡ଼ ମରାଯାଇଥିଲା ଓ ମାଡ଼ ଯୋଗୁଁ ତାଙ୍କ ମୃତ୍ୟୁ ଘଟିଥିବା ପରିବାର ଏବଂ ଗ୍ରାମବାସୀ ଅଭିଯୋଗ କରିଥିଲେ। ଏହି ଘଟଣାକୁ କେନ୍ଦ୍ରକରି ଗତକାଲି ଦିନତମାମ ଉତ୍ତେଜନା ବଳୟରେ ରହିଥିଲା ବରଗଡ଼ ସହର। କେବଳ ସେତିକି ନୁହଁ, ୮ କିଲୋମିଟର୍‌ ଦୂର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିଥିଲା। ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ପାଖାପାଖି ୧୦ ପ୍ଲାଟୁନ ଫୋର୍ସ ମୁତୟନ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe