ଅର୍ଦ୍ଧ ଶତାବ୍ଦୀ ଧରି ବଂଶୀ ଫୁଙ୍କି କ'ଣ ପାଇଲେ ହଳଧର?

ଅର୍ଦ୍ଧ ଶତାବ୍ଦୀ ଧରି ବଂଶୀ ଫୁଙ୍କି କ'ଣ ପାଇଲେ ହଳଧର?

ଫୁଲବାଣୀ: ଜୀବନର ସାୟାହ୍ନରେ ବି ଦ୍ବନ୍ଦ୍ବ ଓ ସଂଘର୍ଷର ଦୋ’ଛକିରେ ୭୧ ବର୍ଷୀୟ ହଳଧର। ପ୍ରାୟ ଅର୍ଦ୍ଧଶତାବ୍ଦୀ ଧରି ବଇଁଶୀ ଫୁଙ୍କି କିଛି ପାଇନାହାନ୍ତି। କଳାକାର ଭତ୍ତାଟିଏ ପାଇବା ପାଇଁ ଫୁଲବାଣୀରେ ଥିବା ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ କାର୍ଯ୍ୟାଳୟକୁ ଧାଇଁ ଧାଇଁ ଚପଲ ଘୋରି ହୋଇଗଲାଣି। କନ୍ଧମାଳ ଜିଲ୍ଲାର ଫୁଲବାଣୀ ବ୍ଲକ୍‌ ଅନ୍ତର୍ଗତ ବିଶିପିଡ଼ା ଆଶ୍ରିସାହି ଗ୍ରାମର ହଳଧର ସାହାଣୀଙ୍କ ଦୁଃଖ ଶୁଣିବାକୁ କିଏ ନାହିଁ। ୧୯୫୦ ମସିହାରେ ସେ ବିଶିପଡ଼ାର ଆଶ୍ରିସାହି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କ ବାପାଙ୍କ ନାମ ଭାରତ ସାହାଣୀ। ହଳଧରଙ୍କ ବାପା ଜଣେ ଚାଷୀ ଥିଲେ। ତେବେ ହଳଧରଙ୍କୁ ଯେତେବେଳେ ମାତ୍ର ୧୫ ବର୍ଷ ବୟସ, ସେବେଠୁ ସେ ବଂଶୀ ବଜାଉଛନ୍ତି। ହଳଧରଙ୍କ ବଂଶୀ ପ୍ରତି ଥିବା ଆଗ୍ରହ ଦେଖି ବାପା ତାଙ୍କୁ ଏକ ବଂଶୀ କିଣି ଦେଇଥିଲେ। ଗ୍ରାମର ଅନ୍ୟ ଜଣେ ବଂଶୀ ବାଦକଙ୍କ ଠାରୁ ସେ ପ୍ରାଥମିକ ଶିକ୍ଷା ଲାଭ କରିବା ପରେ ଦଣ୍ଡନାଚରେ ବଂଶୀ ବଜାଇବା ଆରମ୍ଭ କଲେ। ଦଣ୍ଡନାଚରେ ବଂଶୀ ବଜାଉ ବଜାଉ ନିଜ ଗ୍ରାମ ବିଶିପଡ଼ାର ପ୍ରସିଦ୍ଧ ରାମଲୀଳା ନାଟକରେ ବଂଶୀ ବଜାଇବାର ସୁଯୋଗ ପାଇଲେ। ହଳଧରଙ୍କ ଲୋକପ୍ରିୟତା ବଢ଼ି ଯାଇଥିଲା। ଏହାପରେ ପ୍ରତିବର୍ଷ ଚୈତ୍ରମାସ ବେଳକୁ ବିଶିପଡ଼ାର ରାମଲୀଳା ଯାତ୍ରାରେ ବଂଶୀ ବାଦନ ପାଇଁ ତାଙ୍କୁ ଖୋଜା ପଡ଼ିଥାଏ।

ବଂଶୀ ବାଦନରେ ହଳଧରଙ୍କ ଏଭଳି ନାଁ ହୋଇଗଲା, ତାଙ୍କୁ ପଡ଼ୋଶୀ ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା ଆଦି ବିଭିନ୍ନ ଅଞ୍ଚଳରୁ ବିଭିନ୍ନ ସଙ୍ଗୀତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ନିମନ୍ତ୍ରଣ ଆସିଲା। ହଳଧର ମଧ୍ୟ ଭୁବନେଶ୍ବର, ଭବାନୀପାଟଣା, ବଲାଙ୍ଗୀର, କୋରାପୁଟ ଭଳି ବିଭିନ୍ନ ସ୍ଥାନରେ ନିଜ ବଂଶୀବାଦନ ଦକ୍ଷତା ଦେଖାଇ ପ୍ରଶଂସିତ ହୋଇଛନ୍ତି। କନ୍ଧମାଳର ଦଣ୍ଡନାଚ ହେଉକି ବିଶିପଡ଼ାର କାଠମୁଖା ପିନ୍ଧା ରାମଲୀଳାରେ ବଂଶୀ ବାଦନ, ହଳଧର ଅନେକ ପ୍ରଶଂସା ଓ ମାନପତ୍ର ସାଉଁଟିଛନ୍ତି। ବଂଶୀ ଫୁଙ୍କି ହଳଧର ସ୍ଥାନୀୟ ଅଞ୍ଚଳରେ ବେଶ ସୁନାମ ଅର୍ଜନ କରିପାରିଲେ। ମାତ୍ର, ଏ ବଂଶୀଫୁଙ୍କା ତାଙ୍କ ପେଟ ଚାଖଣ୍ଡକୁ ଦାନା ଯୋଗାଇବାରେ ସହାୟକ ହୋଇପାରିନି। ଦାରିଦ୍ର୍ୟ ଯୋଗୁଁ ତାଙ୍କର କଳା ପ୍ରତିଭାର ଯେଭଳି ବିକାଶ ହେବା କଥା ତାହା ‌ହୋଇପାରିଲା ନାହିଁ। ହଳଧରଙ୍କ ନିଜର ବୋଲି ଗୁଣ୍ଠେ ଜମି ନାହିଁ। ସେ ଅନ୍ୟମାନଙ୍କ ଜମିରେ ମୂଲ ଲାଗି ଯାହା କିଛି ମଜୁରି ପାଆନ୍ତି, ସେଥିରେ ପରିବାର ଯେନତେନ ଚଳିଯାଏ। ପରିବାର କହିଲେ, ତାଙ୍କର ଗୋଟିଏ ପୁଅ, ଗୋଟିଏ ଝିଅ ଏବଂ ପତ୍ନୀ। ଝିଅ ବାହା ହୋଇ ଶାଶୂଘରକୁ ଚାଲି ଯାଇଥିବା ବେଳେ ପୁଅ ମଧ୍ୟ ବାହା ହୋଇ ବାପାଙ୍କ ଠାରୁ ଅଲଗା ହୋଇ ନିଜ ପରିବାର ସହ ରହୁଛି।

ଏବେ  ବୃଦ୍ଧ ହଳଧର ଏବଂ ତାଙ୍କର ରୋଗିଣା ସ୍ତ୍ରୀ ଦୁହେଁ ବହୁ କଷ୍ଟରେ ଚଳୁଛନ୍ତି। ଘରେ ଆଗକୁ କି ପଛକୁ କେହି ନାହାନ୍ତି। ଗୋଟିଏ ପଟେ ବଂଶୀ ଓ ଆଉ ଗୋଟିଏ ପଟେ ରୋଗିଣା ପତ୍ନୀ। ସ୍ତ୍ରୀଙ୍କ ଚିକିତ୍ସା ଖର୍ଚ୍ଚ ମଧ୍ୟ ହଳଧର ଯୋଗାଡ଼ କରିବାରେ ଅସମର୍ଥ ହେଉଛନ୍ତି। ପୁଅ ବାପାଙ୍କୁ ପଚାରୁ ନାହିଁ। ଏଭଳି ସ୍ଥିତିରେ ହଳଧର ସରକାରଙ୍କ ଠାରୁ କଳାକାର ଭତ୍ତାଟିଏ ପାଇବାକୁ ବିଶିପିଡ଼ାରୁ ଫୁଲବାଣୀ ଓ ଫୁଲବାଣୀରୁ ବିଶିପଡ଼ା ଦୌଡ଼ୁଛନ୍ତି। ୫୦ ବର୍ଷରୁ ଊର୍ଦ୍ଧ୍ବ କାଳ ଧରି ବଂଶୀ ବଜାଇ ଲୋକପ୍ରିୟ ହୋଇ ପାରିଥିବା ହଳଧରଙ୍କୁ ଏବେ କଳାକାର ଭତ୍ତାଟିଏ ମିଳିବା କଷ୍ଟକର ହୋଇପଡୁଛି।

ଏକଦା ହଳଧରଙ୍କ ବଂଶୀର ମଧୁର ସ୍ବନରେ ସ୍ତବ୍‌ଧ ହୋଇ ଉଠୁଥିଲେ ଭକ୍ତ, ଦର୍ଶକ ଓ ଶ୍ରୋତାମଣ୍ଡଳୀ। ମାତ୍ର ଏଭଳି ମଧୁର ବଂଶୀ ସ୍ବନ ପଛରେ ହଳଧରଙ୍କ ଯନ୍ତ୍ରଣାର ଚିତ୍ର କେହି ଦେଖି ପାରନ୍ତି ନାହିଁ। ହଳଧରଙ୍କୁ ଆଜି ଯାଏ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଖଣ୍ଡେ ଘର ମିଳିପାରି ନାହିଁ କି ବାର୍ଦ୍ଧକ୍ୟ ଭତ୍ତା ମିଳିବାର ନାଁ ଗନ୍ଧ ନାହିଁ। ତାଙ୍କୁ ୭୧ ବର୍ଷ ବୟସ ହୋଇଥିବାରୁ ଏମିତିରେ ସାଧାରଣ ବୃଦ୍ଧଙ୍କ ଭଳି ସେ ବାର୍ଦ୍ଧକ୍ୟ ଭତ୍ତା ପାଇବା କଥା। ମାତ୍ର, ତାହା ବି ପାଇପାରି ନାହାନ୍ତି। ମାତ୍ର, ଯେଉଁ କଳା ତାଙ୍କୁ ଏତେ ସମ୍ମାନ ଦେଇଥିଲା, ତାହା ମଧ୍ୟ ତାଙ୍କୁ ବଞ୍ଚିବାର କୌଣସି ଆଶ୍ବାସନା ଦେଇପାରିନି। କଳାକାର ଭତ୍ତାଟିଏ ପାଇବା ପାଇଁ  ହଳଧରଙ୍କୁ ଆଉ କି କି ସବୁ ପ୍ରମାଣ ଯୋଗାଡ଼ କରିବାକୁ ପଡ଼ିବ, ତାହା ସମୟ କହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe