ନିର୍ବାଚନୀ ଥୋପ ସାଜିବ କି ହଳଦିଆ ଡ୍ୟାମ୍‌?

Advertisment

୨୫୪ କୋଟି ଟଙ୍କାରେ ବ୍ୟୟରେ ନିର୍ମାଣ ଚାଲିଛି, ୧୦ ବର୍ଷ ହେଲା କାମ ସରୁନି, ଢିଲା ମାରୁଛି ଠିକାସଂସ୍ଥା

୨୫୪ କୋଟି ଟଙ୍କାରେ ବ୍ୟୟରେ ନିର୍ମାଣ ଚାଲିଛି, ୧୦ ବର୍ଷ ହେଲା କାମ ସରୁନି, ଢିଲା ମାରୁଛି ଠିକାସଂସ୍ଥା

ନିର୍ବାଚନୀ ଥୋପ ସାଜିବ କି ହଳଦିଆ ଡ୍ୟାମ୍‌?

ବାରିପଦା : ମୟୂରଭଞ୍ଜ ଜିଲ୍ଲାର ୭ ହଜାର ୫୯୦ ହେକ୍ଟର ଚାଷଜମିକୁ ଜଳସେଚନ ପାଇଁ ହଳଦିଆଠାରେ ୨୫୪ କୋଟି ଟଙ୍କା ବ୍ୟୟରେ ୧୦ ବର୍ଷ ପୂର୍ବେ ହଳଦିଆ ଡ୍ୟାମ କାମ୍‌ ଆରମ୍ଭ ହୋଇଥିଲା। ହେଲେ ଏଯାଏ ନିର୍ମାଣ କାମ ସରୁନି। ନିର୍ମାଣକାରୀ ସଂସ୍ଥା ଜାଣିଶୁଣି ଢିଲା ମାରୁଛି ନା ଏହାପଛରେ ଆଉ କିଛି କାରଣ ଅଛି ବୁଝାପଡ଼ୁନି। ଡ୍ୟାମ କାମ ଶେଷ ହେଉନଥିବାରୁ ଏହାକୁ ନେଇ ଚାଷୀ ମହଲରେ ଅସନ୍ତୋଷ ବଢ଼ୁଛି। ଆଗାମୀ ୨୦୨୪ ମସିହା ନିର୍ବାଚନ ପାଇଁ ଏହା ଥୋପ ସାଜିବ ବୋଲି କେହିକେହି ମତ ବି ଦେଉଛନ୍ତି।

ଜିଲ୍ଲା ସଦର ମହକୁମାଠାରୁ ୧୭ କିମି ଦୂରରେ ଥିବା ହଳଦିଆ ଡ୍ୟାମରୁ ବାମ ଓ ଦକ୍ଷିଣ କେନାଲରେ ପାଣି ମାଡ଼ି ମାତ୍ର ୩୫୦ ହେକ୍ଟର ଜମି ଜଳସେଚିତ ହେଉଥିଲା। ଡ୍ୟାମରେ ଜଳଧାରଣ କ୍ଷମତା କମ୍ ଥିବାରୁ ରବିଋତୁରେ ତଳମୁଣ୍ଡକୁ ପାଣି ମାଡ଼ି ପାରୁନଥିଲା। ଏମିତି କି ବର୍ଷା ଅଭାବରୁ ମରୁଡ଼ି ସ୍ଥିତି ଉପୁଜିଲେ ବି ଏହି ଡ୍ୟା‌ମ କୌଣସି କାମରେ ଆସୁନଥିଲା। ତେଣୁ ଡ୍ୟାମ ସମ୍ପ୍ରସାରଣ କରାଯାଇ ତାର ଜଳଧାରଣ କ୍ଷମତା ବୃଦ୍ଧି କରିବାର ଆବଶ୍ୟକତା ରହିଛି ବୋଲି ସରକାର ଅନୁଭବ କରିଥିଲେ। ଆଉ ୭ ହଜାର ୫୯୦ ହେକ୍ଟର ଜମିକୁ ଜଳସେଚିତ କରିବା ଲକ୍ଷ୍ୟରେ ୨୦୧୨ ମସିହାରେ ଡ୍ୟାମ୍‌ର ସମ୍ପ୍ରସାରଣ ପାଇଁ ୨୫୪ କୋଟି ଟଙ୍କାର ଟେଣ୍ଡର କରାଯାଇଥିଲା। ଠିକାସଂସ୍ଥା ଡିଡି ବିଲଡର୍ସକୁ ଏହାର କ‌ାମ ଦିଆଯାଇଥିଲା। ଜମି ଅଧିଗ୍ରହଣ ସମସ୍ୟା, ବାଲି ଓ ପଥର ଅଭାବରୁ ମଝିରେ କାମ ବିଳମ୍ବ ହୋଇଥିଲା। ପ୍ରଶାସନର ହସ୍ତକ୍ଷେପ ପରେ ସମସ୍ୟାର ସମାଧାନ ହେଲା ଓ ୨୦୨୦ ସୁଦ୍ଧା କାମ ଶେଷହେବ ବୋଲି କୁହାଯାଇଥିଲା। ୩ ବର୍ଷ ହେଲା ସିଂହଭାଗ କାମ ସରିଛି, ହେଲେ କୌଣସି କାରଣରୁ ବାକି କାମ ସରିପାରୁନି।

ମାଟି ଓ ପଥର ପ୍ୟାକିଂ କାମ କିଛି ବାକି ରହିଛି। ବର୍ଷା ହେବାରୁ ସେସବୁ ଛୋଟମୋଟ କାମ ଶେଷ ହେବା‌ରେ ବିଳମ୍ବ ହେଉଛି। ଆସନ୍ତା ଡିସେମ୍ବର ସୁଦ୍ଧା କାମ ଶେଷ ହୋଇଯିବ ‌ବୋଲି ଜଣେ ବିଭାଗୀୟ ଅଧିକାରୀ କହିଛନ୍ତି। ତେବେ ଡିସେମ୍ବର ନୁହେଁ, ସମସ୍ତ କାମ ସରିବାକୁ ୨୦୨୩ ମାର୍ଚ୍ଚମାସ ହେବ ବୋଲି ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ଇଂ. ତରଣୀସେନ ଧଳ କହିଛନ୍ତି। ଯଦି ମୁଖ୍ୟଯନ୍ତ୍ରୀଙ୍କ କହିବା କଥା ସତ; ତା’ହେଲେ ଆସନ୍ତା ମାର୍ଚ୍ଚରେ କାମ ଶେଷ ହେଲେ ବି ସେତେବେଳେ ଡ୍ୟାମରେ ଅଳ୍ପ ପାଣି ଥିବ। ତେଣୁ ଏହାର ଲୋକାର୍ପଣ କରିବା ବେଳକୁ ଅକ୍ଟୋବର ଯାଏ ଅପେକ୍ଷା କରିବାକୁ ପଡ଼ିବ। ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ପରି ମୁଖ୍ୟମନ୍ତ୍ରୀ ହିଁ ଏହାର ଲୋକାର୍ପଣ କରିବା ଏକପ୍ରକାର ନିଶ୍ଚିତ।

ସେତେବେଳକୁ ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଥିବ। ତେଣୁ ସରକାର ନିର୍ବାଚନ ପୂର୍ବରୁ ଏହାର ଲୋକାର୍ପଣ କରି ରାଜନୈତିକ ଫାଇଦା ନେବାକୁ ଲକ୍ଷ୍ୟ ରଖିଥିବାରୁ ଜାଣିଶୁଣି ପ୍ରକଳ୍ପ କାମ ବିଳମ୍ବ କରାଯାଉଛି ବୋଲି ଚାଷୀ ଦିବାକର ଜେନା ଓ ଆଲୋକ ମହାନ୍ତ କହିଛନ୍ତି। ହଳିଦିଆ ଡ୍ୟାମ୍‌ ମୟୂରଭଞ୍ଜ ଜିଲ୍ଲା ପାଇଁ ୨୦୨୪ ନିର୍ବାଚନୀ ଥୋପ ସାଜିବ ବୋଲି ବିରୋଧୀମାନେ ମଧ୍ୟ ଅଭିଯୋଗ କଲେଣି। ବିରୋଧୀଙ୍କ ଆରୋପ ‌କେତେ ସତ ଏହା ପ୍ରକଳ୍ପ ଉଦ୍‌ଘାଟନର ତାରିଖ ଘୋଷଣା ପରେ ସ୍ପଷ୍ଟ ହୋଇଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe