ଅଧାକେଜି ସୁନା, ନଗଦ ୧୮ ଲକ୍ଷ ଜବତ: ଡାକ୍ତରଙ୍କ ଘରୁ ଡକାୟତି ଘଟଣାର ପର୍ଦ୍ଦାଫାଶ

Advertisment

ଡକାୟତ ଗ୍ୟାଙ୍ଗ୍‌ର ୧୧ ଗିରଫ; ସ୍କର୍ପିଓ, ପଲ୍‌ସର୍‌ ସହ ବନ୍ଧୁକ, ଖଣ୍ଡା ଓ ବୋମା ଜବତ

ଡକାୟତ ଗ୍ୟାଙ୍ଗ୍‌ର ୧୧ ଗିରଫ; ସ୍କର୍ପିଓ, ପଲ୍‌ସର୍‌ ସହ ବନ୍ଧୁକ, ଖଣ୍ଡା ଓ ବୋମା ଜବତ

ଅଧାକେଜି ସୁନା, ନଗଦ ୧୮ ଲକ୍ଷ ଜବତ: ଡାକ୍ତରଙ୍କ ଘରୁ ଡକାୟତି ଘଟଣାର ପର୍ଦ୍ଦାଫାଶ

ପିପିଲି: ପୁରୀ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଡକାୟତି କରୁଥିବା ଏକ ଗ୍ୟାଙ୍ଗ୍‌ର ୧୧ଜଣଙ୍କୁ ଆଜି ପୁଲିସ ଗିରଫ କରିଛି। ସେମାନଙ୍କଠାରୁ ନଗଦ ୧୮ଲକ୍ଷ ୧୬ହଜାର ଟଙ୍କା, ୪୬୨ ଗ୍ରାମ୍‌ ଓଜନର ସୁନା ଅଳଙ୍କାର ଓ ୫୬୬ ଗ୍ରାମ୍‌ର ରୁପା ଅଳଙ୍କାର ଜବତ କରାଯାଇଛି। ଏତଦ୍‌ବ୍ୟତୀତ ଅପରାଧରେ ବ୍ୟବହୃତ ଏକ ସ୍କର୍ପିଓ(ଓଆର୍‌ ୦୨ ଏଏଚ୍‌ ୭୭୫୫), ପଲ୍‌ସର୍‌ ବାଇକ୍‌(ଓଡି ୦୨ ଏଡି ୯୦୧୨), ଦୁଇଟି ବନ୍ଧୁକ, ଗୁଳି, ୭ଟି ବୋମା, ୧୬ଟି ଖଣ୍ଡା, କଟୁରି ଆଦି ମାରଣାସ୍ତ୍ର ଜବତ କରାଯାଇଛି ବୋଲି ଆଜି ପିପିଲି ଥାନାରେ ପୁରୀ ଏସ୍‌ପି ପିନାକ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଗତ ୬ତାରିଖ ବିଳମ୍ବିତ ରାତିରେ ସରସ୍ବତୀପୁର ପଞ୍ଚାୟତ ଦକ୍ଷିଣସାହିର ଡାକ୍ତର ରବୀନ୍ଦ୍ର କୁମାର ମହାପାତ୍ରଙ୍କ ଘରୁ ବଡ଼ ଧରଣର ଡକାୟତି ହୋଇଥିଲା। ଘରର ମୁଖ୍ୟ ଗ୍ରିଲ୍‌ ଓ ତାଲା ଭାଙ୍ଗି ଡକାୟତମାନେ ଘରେ ପଶି ଡାକ୍ତରଙ୍କ ୪ମାସର ନାତିଙ୍କୁ ମୁଣ୍ଡ ଜାମିନ ରଖି ପରିବାର ସଦସ୍ୟଙ୍କୁ ଅତର୍କିତ ଆକ୍ରମଣ କରି ୫୦ ଲକ୍ଷ ଟଙ୍କାର ସୁନା, ରୁପା ଅଳଙ୍କାର ଓ ନଗଦ ଟଙ୍କା ଲୁଟି ନେଇଥିଲେ। ଏହି ଘଟଣାପରେ ପୁଲିସ ଅଧିକ ସକ୍ରିୟ ହୋଇଉଠିଥିଲା। ପିପିଲି, ଅସ୍ତରଙ୍ଗ, ବଳଙ୍ଗା, କୋଣାର୍କ ଥାନାର ଅଧିକାରୀମାନଙ୍କୁ ନେଇ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇଥିଲା। ପୁଲିସ କେତେକ ଯୁବକଙ୍କୁ ସନ୍ଦେହରେ ଧରି ପଚରାଉଚରା କରିବାରୁ ଏକ ବଡ଼ ଡକାୟତ ଗ୍ୟାଙ୍ଗ୍‌ର ସୂଚନା ମିଳିଥିଲା। କୋଣାର୍କ ଥାନା, ଅସ୍ତରଙ୍ଗ ଥାନା ଅଞ୍ଚଳରେ ଡାକ୍ତରଙ୍କ ଘଟଣା ପରି ସମାନ ଢଙ୍ଗରେ ଏହି ଗ୍ୟାଙ୍ଗ୍‌ ଡକାୟତି କରିଥିବା ସ୍ବୀକାର କରିଥିଲେ। ପୁଲିସ ଅପରାଧୀମାନଙ୍କ ଘର ଉପରେ ଚଢ଼ଉ କରି ବିଭିନ୍ନ ମାରଣାସ୍ତ୍ର, ଟଙ୍କା ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛି।

ଡକାୟତ ଗ୍ୟାଙ୍ଗ୍‌ର ୧୧ ଗିରଫ
ସ୍କର୍ପିଓ, ପଲ୍‌ସର୍‌ ସହ ବନ୍ଧୁକ, ଖଣ୍ଡା ଓ ବୋମା ଜବତ
ଅଧାକେଜି ରୁପା ଅଳଙ୍କାର ବି ଜବତ

ଏସ୍‌ପି ଶ୍ରୀ ମିଶ୍ର କହିଛନ୍ତି ଯେ କୋଣାର୍କଥାନା କୁଞ୍ଜମଠ ଗ୍ରାମର ବାଉରୀବନ୍ଧୁ ମାଣିକ, ଅସ୍ତରଙ୍ଗ ଥାନା ଆଳସାହି ଗ୍ରାମର ବିଷ୍ଣୁଚରଣ ମଲ୍ଲିକଙ୍କ ଘରୁ ଏହି ଗ୍ୟାଙ୍ଗ୍‌ ଡକାୟତି କରିଥିଲେ। ଖୋର୍ଦ୍ଧା, ନୟାଗଡ଼ ସହ ଭଦ୍ରକ ଜିଲ୍ଲାର ବିଭିନ୍ନ ଡକାୟତି ଘଟଣାରେ ମଧ୍ୟ ଏମାନେ ସାମିଲ୍‌ ଥିବା ପୁଲିସ ଅନୁସନ୍ଧାନରୁ ଜାଣିବାକୁ ପାଇଛି। ଏହି ଅଭିଯୁକ୍ତମାନେ ହେଲେ ପିପିଲି ୮ନମ୍ବର ୱାର୍ଡ ଭବାନୀପୁରର ହାପିଜ୍‌ ଖାଁ(୨୬), ଅର୍‌ମାନ୍‌ ସା(୨୭), ଆସିଫ୍‌ ଖାଁ(୨୪), ଅୟୁବ ଖାଁ(୩୯), ୭ ନମ୍ବର ୱାର୍ଡ ନରସିଂହପୁରର ରାହୁଲ ସା(୨୬), ଉମ୍ରାନ୍‌ ସା, ଦାନୋଗହିରର ଅସଲମ୍ ଖାଁ(୨୩), ସାତଶଙ୍ଖ ସୁବଳପୁର କଲୋନିର ଜଗନ୍ନାଥ ପଶୁପାଳକ(୨୧), ବାଲିଅନ୍ତା ଥାନା ନହରକଣ୍ଟା ଗ୍ରାମର ଶୁଭ୍ରଜିତ ପରିଡ଼ା(୩୮), ବଳଙ୍ଗା ଥାନା ନୂଆପଡ଼ା ଗ୍ରାମର ରଶ୍ମିରଂଜନ ସାମନ୍ତରାୟ(୪୦), ଅସ୍ତରଙ୍ଗ ଥାନା ଅସନ ଗ୍ରାମର ପ୍ରଦୀପ୍ତ ଖୁଣ୍ଟିଆ(୪୩)। ଏହି ଡକାୟତି ଗ୍ୟାଙ୍ଗ୍‌ର ୩ଜଣ ସଦସ୍ୟ ଏବେ କମିସନରେଟ୍‌ ପୁଲିସ ଦ୍ବାରା ଗିରଫ ହୋଇଥିବା ବେଳେ ସେମାନେ ମଧ୍ୟ ପୁରୀ ଜିଲ୍ଲାର ଏହି ଡକାୟତି ଘଟଣାରେ ସଂପୃକ୍ତ ଥିବା ପୁଲିସ ଜାଣିବାକୁ ପାଇଛି।

ସେମାନଙ୍କୁ ରିମାଣ୍ଡରେ ଅଣାଯାଇ ଅଧିକ ତଦନ୍ତ କରାଯିବ ଏବଂ ଚୋରୀ ସାମଗ୍ରୀ ଜବତ କରାଯିବ ବୋଲି ଏସ୍‌ପି କହିଛନ୍ତି। ଜବତ ହୋଇଥିବା ଉପରୋକ୍ତ ସାମଗ୍ରୀ ମଧ୍ୟରୁ ଦୁଇ ବନ୍ଧୁକ ଓ ମାରଣାସ୍ତ୍ର ହାପିଜ୍‌ ଘରୁ ମିଳିଥିଲା। ଡାକ୍ତରଙ୍କ ଘରୁ ଡକାୟତି ଘଟଣାରେ ଦିଲୁ ଓରଫ ରଶ୍ମିରଂଜନ ସାମନ୍ତରାୟ ମୁଖ୍ୟ ଭୂମିକା ତୁଲାଇଥିଲା। ସେ ଡାକ୍ତରଙ୍କ ବାବଦରେ ବିସ୍ତୃତ ସୂଚନା ଦେବାପରେ ଡକାୟତି କରିବା ପାଇଁ ନକ୍ସା ତିଆରି ହୋଇଥିଲା। ସେହିପରି ପ୍ରଦୀପ୍ତ ଖୁଣ୍ଟିଆ ଅସ୍ତରଙ୍ଗ ଡକାୟତି ମାମଲାର ମୁଖ୍ୟ ସୂତ୍ରଧର ଥିଲା ବୋଲି ଏସ୍‌ପି କହିଛନ୍ତି। ହାପିଜ୍‌ ନାଁରେ ୫, ଅରମାନ୍‌ ନାଁରେ ୬, ରାହୁଲ ନାଁରେ ୭, ଅସଲମ ଖାଁ ନାଁରେ ୨, ଶୁଭ୍ରଜିତ ନାଁରେ ୫, ରଶ୍ମିରଂଜନ ନାଁରେ ୨ ମାମଲା ରହିଛି। ଏହି ୧୧ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଏସ୍‌ପି ବିଷ୍ଣୁପ୍ରସାଦ ପତି, ପିପିଲି ଏସ୍‌ଡିପିଓ ବିରଞ୍ଚି ନାରାୟଣ ପତି, ପିପିଲିଥାନା ଆଇଆଇସି ଦୀପକ ଖଣ୍ଡାୟତରାୟ, ନିମାପଡ଼ା ଏସ୍‌ଡିପିଓ ପ୍ରଭାତ ମଲ୍ଲିକ, ବଳଙ୍ଗା ଥାନା ଅଧିକାରୀ ଦିବ୍ୟରଂଜନ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe