ThePleasantDream
ଧର୍ମଶାଳା : ଧର୍ମଶାଳା ଥାନା ପାଟପୁର ପଞ୍ଚାୟତ ସୁନାରି ଗାଁ ନିକଟ କିଆବୁଦାରୁ ଆଜି ସକାଳେ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି। ସେ ଏହି ଗ୍ରାମର ଉପେନ୍ଦ୍ର ପାଣିଗ୍ରାହୀଙ୍କ ବିବାହିତା ଝିଅ ଗୀତାଞ୍ଜଳି ଦାଶ(୩୯)। ଗତ ୧୨ ତାରିଖ ସଂଧ୍ୟାରୁ ସେ ନିଖୋଜ ଥିଲେ। ଏସଂପର୍କରେ ତାଙ୍କ ସାନଭାଇ ସୌମ୍ୟରଞ୍ଜନ ଗତକାଲି ଥାନାରେ ଅଭିଯୋଗ କରିଥିଲେ। ସକାଳେ ଗାଈ ବାନ୍ଧିବାକୁ ଯାଇଥିବା ଜଣେ ଯୁବକ କିଆବୁଦାରେ ପଡ଼ିଥିବା ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତହେଦ ଦେଖି ଗାଁରେ ଖବର ଦେଇଥିଲେ।
ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଘଟଣାସ୍ଥଳ ନିକଟରେ ଏକ କିରାସିନି ଜାର୍ ଓ ଦିଆସିଲି ପଡ଼ିଥିବା ଦେଖିବାକୁ ମିଳିଛି। ପୁଲିସ୍ ପହଞ୍ଚି ମୃତଦେହ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରକାଶ ଯେ, ଗୀତାଞ୍ଜଳି ପ୍ରାୟ ୧୫ବର୍ଷ ପୂର୍ବେ ଏହି ଥାନା ଅନ୍ତର୍ଗତ ବାରବାଟି ପଞ୍ଚାୟତ ବେତଣ୍ତା ଗ୍ରାମର ଇନ୍ଦ୍ରମଣି ଦାଶଙ୍କ ପୁଅ ସୁରେନ୍ଦ୍ରଙ୍କୁ ବିବାହ କରିଥିଲେ। ବିବାହର କିଛିବର୍ଷ ପରେ ପାରିବାରିକ ବିବାଦ ସୃଷ୍ଟି ହେବାରୁ ଗୀତାଞ୍ଜଳି ୬ବର୍ଷ ହେଲା ତାଙ୍କର ଏକମାତ୍ର ଝିଅ(୧୩) ସହ ଆସି ବାପଘରେ ରହୁଥିଲେ। ସ୍ବାମୀ ନପଚାରିବା ଓ ଭାଇ ଉପରେ ବୋଝ ହେଉଥିବା କାରଣରୁ କିଛିଦିନ ହେଲା ସେ ମାନସିକ ଦୁଶ୍ଚିନ୍ତାରେ ରହୁଥିଲେ।
ମଙ୍ଗଳବାର ସନ୍ଧ୍ୟାରେ ସେ ଘରୁ ହଠାତ୍ ନିଖୋଜ ହୋଇଯାଇଥିଲେ। ବାପଘର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ଆଜି ସୁନାରି ଗାଁ ନିକଟ ଏକ କିଆବୁଦାରେ ତାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଦେଖିବାକୁ ମିଳିଥିଲା। ଗୀତାଞ୍ଜଳିଙ୍କ ବାପଘର ଲୋକେ ମୃତଦେହ ଚିହ୍ନଟ କରିବା ପରେ ପୁଲିସ୍କୁ ଖବର ଦିଆଯାଇଥିଲା। ୨୧/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ୍ ଶବ ବ୍ୟବଚ୍ଛେଦ ନିମନ୍ତେ ବଡ଼ଚଣା ଡାକ୍ତରଖାନାକୁ ପଠାଇଛି।
Follow Us