ଅଧାଗଢ଼ା ମନ୍ତ୍ରିମଣ୍ଡଳ: ୬ଟି ଆସନ ଖାଲି ପଡ଼ିଛି, ୧୭ଟି ଜିଲ୍ଲା ମନ୍ତ୍ରୀଶୂନ୍ୟ

ମନ୍ତ୍ରିମଣ୍ଡଳରେ କାହିଁକି ୬ଟି ଆସନ ଖାଲି ରହିଛି? କାହାକୁ ନଜରରେ ରଖିଛନ୍ତି ବିଜେପି ହାଇକମାଣ୍ଡ୍? ସେଗୁଡ଼ିକ ପୂରଣ ହେବ ତ? ବିଜେପିରେ ଗୋଷ୍ଠୀ ବିବାଦ ଏଥି ପାଇଁ ଦାୟୀ ନୁହେଁ ତ?

ବିଜେପି ରାଜ୍ୟ କାର୍ଯ୍ୟକାରିଣୀରେ ଓଡ଼ିଆ ଅସ୍ମିତାର ଝଲକ

ଭୁବନେଶ୍ବର: ମନ୍ତ୍ରିମଣ୍ଡଳରେ କାହିଁକି ୬ଟି ଆସନ ଖାଲି ରହିଛି? କାହାକୁ ନଜରରେ ରଖିଛନ୍ତି ବିଜେପି ହାଇକମାଣ୍ଡ୍? ସେଗୁଡ଼ିକ ପୂରଣ ହେବ ତ? ବିଜେପିରେ ଗୋଷ୍ଠୀ ବିବାଦ ଏଥି ପାଇଁ ଦାୟୀ ନୁହେଁ ତ? ଚାରି ମାସ ହେଲାଣି। ଆଉ କେତେ ମାସ ଖାଲି ପଡ଼ିବ? ରାଜନୈତିକ ମହଲରେ ଏମିତି ପୁଳା ପୁଳା ପ୍ରଶ୍ନ ଉପରେ ଆଲୋଚନା ଜୋର ଧରିଲାଣି। ମନ୍ତ୍ରିମଣ୍ଡଳରେ ଲମ୍ବା ସମୟ ଧରି ଏତେ ସଂଖ୍ୟାରେ ଆସନ ଖାଲି ରଖି ବିଜେପି କି ରଣନୀତି କରୁଛି, ତାହା ରାଜନୈତିକ ସମୀକ୍ଷକମାନେ ବୁଝିପାରୁନାହାନ୍ତି। ରାଜ୍ୟ ବିଜେପିର ବରିଷ୍ଠ ନେତାମାନେ ବି ଏହାର ଟେର୍ ପାଉନାହାନ୍ତି। ଦଶହରା ପୂର୍ବରୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ ବୋଲି ଆଶା ରଖିଥିବା ଆଶାୟୀ ବିଧାୟକମାନେ ମଧ୍ୟ ନିରାଶ ହୋଇଛନ୍ତି। ମନ୍ତ୍ରୀ ପଦ ଆଶାରେ ସେମାନେ ନିଜ ନିଜ ବାଟରେ ଲବି କରୁଛନ୍ତି ସତ। କିନ୍ତୁ ସେମାନଙ୍କୁ ନିର୍ଦ୍ଦିଷ୍ଟ ପ୍ରତିଶ୍ରୁତି ମିଳିପାରୁନି।

ବର୍ତ୍ତମାନର ବ୍ୟବସ୍ଥା ଅନୁଯାୟୀ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କ ବାଦ୍ ଆଉ ୨୧ ଜଣ ମନ୍ତ୍ରୀ ରହିପାରିବେ। ମୋହନ ମାଝୀଙ୍କ ମନ୍ତ୍ରିମଣ୍ଡଳରେ ୧୫ ଜଣ ମନ୍ତ୍ରୀ ସ୍ଥାନ ପାଇଛନ୍ତି। ୧୦ ଜଣ କ୍ୟାବିନେଟ୍ ଓ ୫ ଜଣ ରାଷ୍ଟ୍ର ମନ୍ତ୍ରୀ(ସ୍ବାଧୀନ)। ମନ୍ତ୍ରିମଣ୍ଡଳରେ ୬ଟି ଆସନ ଖାଲି ରହିଛି। କାହିଁକି ଆରମ୍ଭରୁ ପୂର୍ଣ୍ଣାଙ୍ଗ ମନ୍ତ୍ରିମଣ୍ଡଳ ଗଠନ କରାଗଲା ନାହିଁ, ସେ ସମ୍ପର୍କରେ ନା ମୁଖ୍ୟମନ୍ତ୍ରୀ ନା ଦଳର ସଭାପତି କେହି ସ୍ପଷ୍ଟ କରିନାହାନ୍ତି। କିନ୍ତୁ ମନ୍ତ୍ରିମଣ୍ଡଳରେ ଆସନ ଖାଲି ରହିଥିବାରୁ ତାହା ଆରମ୍ଭରୁ 
ଚର୍ଚ୍ଚାର ଖୋରାକ ଯୋଗାଇଛି। ପ୍ରଥମେ ଚର୍ଚ୍ଚା ହେଲା ଯେ ବିଜେଡିର ଗୋଟିଏ ବଡ଼ ଗୋଷ୍ଠୀ ଦଳ ଛାଡ଼ି ବିଜେପି ଆସିବେ। ସେମାନେ ବିଜେପି ସହ ସରକାରରେ ରହିବେ। ତେଣୁ ସେମାନଙ୍କ ପାଇଁ ୬ଟି ଆସନ ରଖାଯାଇଛି। କିନ୍ତୁ ଚାରି ମାସ ହେଲା ସେମିତି କିଛି ସୁରାକ ଏ ଯାଏ ମିଳୁନାହିଁ। ବିଜେଡିର କିଛି ବିଧାୟକ ଓ ନେତା ଦଳ ଛାଡ଼ି ଆସିବାକୁ ପ୍ରସ୍ତୁତ ଥିବା ସୂଚନା ମିଳିଛି। ବିଜେଡିରେ ସେମାନେ ନିଜର ଭବିଷ୍ୟତ ନେଇ ସନ୍ଦିହାନ ଅଛନ୍ତି। କିନ୍ତୁ ବିଜେପିରେ ସେମାନେ ନିର୍ଦ୍ଦିଷ୍ଟ ଭାବେ କାହା ସହ ଯୋଗାଯୋଗ କରିବେ ଏବଂ କାହା ଭରସାରେ ଦଳ ଛାଡ଼ିବା ରିସ୍କ ନେବେ ତାହା ଜାଣିପାରୁନାହାନ୍ତି। ରାଜ୍ୟ ବିଜେପିରେ କେଉଁ ନେତା ସର୍ବାଧିକ ପ୍ରଭାବଶାଳୀ, ତାହାକୁ ନେଇ ସେମାନେ ଦ୍ବନ୍ଦ୍ବରେ ଅଛନ୍ତି। ତେଣୁ ବିଜେଡି ଛାଡ଼ିବାକୁ ଚାହୁଥିବା ଏହି ନେତାମାନେ ‘ୱେଟ୍ ଆଣ୍ଡ୍ ୱାଚ୍’ ନୀତି ଆପଣାଇଛନ୍ତି। 

ଭାରାକ୍ରାନ୍ତ ମନ୍ତ୍ରୀ, ପ୍ରଦର୍ଶନ ନୈରାଶ୍ୟଜନକ
୧୦୦ ଦିନରେ ଆଖିଦୃଶିଆ କାର୍ଯ୍ୟ ହେଲାନି

ଯେହେତୁ ବିଜେଡିରୁ ଏବେ କେହି ଆସିବାର ନାହିଁ, ତେଣୁ ଏହି ୬ଟି ପଦବିରେ ଦଳର ବିଧାୟକମାନଙ୍କୁ ଥଇଥାନ କରିବାରେ ଅସୁବିଧା ନାହିଁ। କିନ୍ତୁ ସେ ଦିଗରେ ଦଳ ଭିତରେ ଭାଗବଣ୍ଟା ଛିଡ଼ୁ ନାହିଁ। ଦଳରେ ଏକାଧିକ କ୍ଷମତାକେନ୍ଦ୍ର ଥିବାରୁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। କାହା କଥାକୁ ଗୁରୁତ୍ବ ଦିଆଯାଇ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ, ତାହା ଏବେ ଦଳର ହାଇକମାଣ୍ଡଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ଆହୁରି ମଧ୍ୟ ବିଜେଡି ଛାଡ଼ି ବିଜେପିକୁ ଆସି ବିଧାୟକ ହୋଇଥିବା ନେତାମାନଙ୍କୁ ମନ୍ତ୍ରିମଣ୍ଡଳରେ ସୁଯୋଗ ନଦେବା ପାଇଁ କିଛି ବରିଷ୍ଠ ନେତା ଯୁକ୍ତି ବାଢ଼ୁଛନ୍ତି। ଏହା ଦ୍ବାରା ବହୁ ବର୍ଷ ଧରି ବିଜେଡି ଓ କଂଗ୍ରେସ ବିରୋଧରେ ଲଢ଼ିଥିବା ପୁରୁଣା ନେତାମାନେ ହତାଶ ହେବେ ବୋଲି ଏହି ଗୋଷ୍ଠୀ ମତ ଦେଉଛନ୍ତି। କିନ୍ତୁ ଏହାକୁ ଆଉ ଏକ ଗୋଷ୍ଠୀ ଗ୍ରହଣ କରିବାକୁ ନାରାଜ। ଏହି ଗୋଷ୍ଠୀର ଯୁକ୍ତି ହେଲା, ବିଜେଡି ବିରୋଧରେ ଜନମତ ସୃଷ୍ଟି କରିବାରେ ବିଜେଡି ଛାଡ଼ି ବିଜେପିକୁ ଆସିଥିବା ନେତାମାନଙ୍କର ବଡ଼ ଭୂମିକା ଥିଲା। ସେମାନେ ହିଁ ନବୀନ-ପାଣ୍ଡିଆନଙ୍କ ବିରୋଧରେ ବଡ଼ ଅସ୍ତ୍ର ହୋଇଥିଲେ। ତେଣୁ ସେମାନଙ୍କୁ ଅଣଦେଖା କରାଗଲେ ଆଗାମୀ ଦିନରେ ଦଳର ସଂଗଠନକୁ ସଶକ୍ତ କରିବାରେ ସମସ୍ୟା ସୃଷ୍ଟି ହେବ। ଏମିତି ଟଣାଓଟରା ଭିତରେ ନୂଆ ମନ୍ତ୍ରୀଙ୍କୁ ଚୟନ କରିବା କଷ୍ଟକର ହୋଇପଡ଼ୁଛି। 

ଏବେ ରାଜ୍ୟରେ ୧୭ଟି ଜିଲ୍ଲା ମନ୍ତ୍ରୀଶୂନ୍ୟ ହୋଇ ରହିଛି। ମନ୍ତ୍ରିମଣ୍ଡଳରେ ୧୩ ଜିଲ୍ଲାକୁ ପ୍ରତିନିଧିତ୍ବ ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜିଲ୍ଲା କେନ୍ଦୁଝର। ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ବଲାଙ୍ଗୀର ଓ ପ୍ରଭାତୀ ପରିଡ଼ା ପୁରୀରୁ ପ୍ରତିନିଧିତ୍ବ କରୁଛନ୍ତି। ଏହା ବାଦ୍ ମନ୍ତ୍ରୀ ପଦ ମିଳିଥିବା ଅନ୍ୟ ଜିଲ୍ଲାଗୁଡ଼ିକ ହେଲା ଝାରସୁଗୁଡ଼ା, ସମ୍ବଲପୁର, ଗଞ୍ଜାମ, କୋରାପୁଟ, ଖୋର୍ଦ୍ଧା, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ଭଦ୍ରକ ଓ ମୟୂରଭଞ୍ଜ। ଏହା ମଧ୍ୟରୁ ବଲାଙ୍ଗୀର, ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାକୁ ଦୁଇଟି ଲେଖାଏ ମନ୍ତ୍ରୀ ପଦ ମିଳିଛି। ଅର୍ଦ୍ଧାଧିକ ଜିଲ୍ଲା ମନ୍ତ୍ରୀ ଶୂନ୍ୟ ହୋଇଥିବାରୁ ତୃଣମୂଳ ସ୍ତରରେ ତାହାର ନକରାତ୍ମକ ପ୍ରଭାବ ପଡ଼ୁଛି। ୬ଟି ପଦବି ଖାଲି ରଖି ଏତେ ସଂଖ୍ୟାରେ ଜିଲ୍ଲାକୁ ମନ୍ତ୍ରୀଶୂନ୍ୟ କରି ରଖିବାରେ କିଛି ମାନେ ରହୁନି ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି। 

ଅନ୍ୟ ପଟେ ମନ୍ତ୍ରୀମାନେ ଅଧିକ ବିଭାଗ ପାଇଥିବାରୁ ସେମାନେ ଠିକ୍ ଭାବେ ନ୍ୟାୟ ଦେଇପାରୁ ନାହାନ୍ତି। କିଛି ବିଭାଗ ଅତ୍ୟନ୍ତ ଅବହେଳିତ ହୋଇ ରହୁଛି। ଗୋଟିଏ ପଟେ ଅଭିଜ୍ଞତାର ଅଭାବ, ଅନ୍ୟ ପଟେ ଏକାଧିକ ବିଭାଗ ଦ୍ବାରା ସେମାନେ ଭାରାକ୍ରାନ୍ତ। ଏଣୁ ଅଧିକାଂଶ ମନ୍ତ୍ରୀଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। କେବଳ ବୟାନବାଜିରେ ଏ ଯାଏ ସେମାନଙ୍କ କାର୍ଯ୍ୟ ସୀମିତ ରହିଛି। ନୂଆ ସରକାର ଗଠନ ପରେ ମନ୍ତ୍ରୀମାନେ ନିଜ ନିଜ ବିଭାଗକୁ ୧୦୦ ଦିନର କାର୍ଯ୍ୟଖସଡ଼ା ପ୍ରସ୍ତୁତ କରି କାମ କରିବାକୁ କହିଥିଲେ। ନିଜେ ମଧ୍ୟ ଗଣମାଧ୍ୟମରେ ଏ ନେଇ କହିଥିଲେ। କିନ୍ତୁ ୧୦୦ ଦିନ ଭିତରେ ବିଭାଗଗୁଡ଼ିକ କି କାର୍ଯ୍ୟ କଲେ, ତାହାର ତାଲିକା ଆଉ ମନ୍ତ୍ରୀମାନେ ଗଣମାଧ୍ୟମକୁ ଦେଲେ ନାହିଁ। ମିଳିଥିବା ସୂଚନା ଅନୁଯାୟୀ ଅଧିକାଂଶ ବିଭାଗରେ ୧୦୦ ଦିନରେ କିଛି ବି ଆଖିଦୃଶିଆ କାମ ହୋଇନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe