ଗୁଣପୁର: ପୈତୃକ ଗୃହ ଭାଗବଣ୍ଟାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବିବାଦ ହୋଇଛି। ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁ ସାନ ଭାଇର ମାଡରେ ବଡ ଭାଇର ଦୁଇଟି ହାତ ଭାଙ୍ଗିଛି। ଗୁଣପୁର ଥାନାରେ ଏ ନେଇ ମାମଲା ରୁଜୁ ହେବା ପରେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
ସ୍ଥାନୀୟ ବୈଦ୍ୟସାହି ଏ. ଶ୍ରୀନିବାସ ରାଓଙ୍କ ଦୁଇ ପୁତ୍ର ଏ. ଜଗୁ, ଏ. କାଳିଦାଶ ପିଲାଦିନରୁ ମିଳିମିଶି ରହି ଆସୁଥିଲେ। ୨୩ ବର୍ଷ ତଳେ ଶ୍ରୀନିବାସଙ୍କ ମୃତ୍ୟୁ ପରେ ବିଧବା ପତ୍ନୀ ଜୟପ୍ରଭା ବହୁ କଷ୍ଟରେ ଦୁଇ ପୁଅକୁ ବଡ ମଣିଷ କରିଥିଲେ। ସାନ ପୁଅ କାଳିଦାଶ ବାହା ହେବା ପରେ ଅନ୍ୟତ୍ର ରହୁଥିବା ବେଳେ ବଡ ପୁଅ ଜଗୁଙ୍କ ପାଖରେ ମାଆ ଜୟପ୍ରଭା ରହି ଆସୁଛନ୍ତି। ଗତ କିଛି ମାସ ହେଲା ପୈତୃକ ଘର ଭାଗବଣ୍ଟା କରିବା ପାଇଁ ସାନ ପୁଅ କାଳିଦାଶ ବାରମ୍ବାର ମାଆ ଓ ବଡଭାଇଙ୍କ ପାଖକୁ ଆସି ଗଣ୍ଡଗୋଳ କରୁଥିଲା। ଶେଷରେ କାଳିଦାଶ ଉତ୍ତ୍ୟକ୍ତ ହୋଇ ଆଜି ମାଆ ଜୟପ୍ରଭା ଓ ବଡବାଇ ଜଗୁଙ୍କୁ ଲୁହାରଡରେ ଆକ୍ରମଣ କରିଥିଲା। ଆକ୍ରମଣରେ ଜଗୁର ଦୁଇ ହାତ ଭାଙ୍ଗି ଯାଇଛି। ସ୍ଥାନୀୟ ଲୋକ ଗୁରୁତର ଆହତ ଜଗୁର ଚିତ୍କାର ଶୁଣି ଘଟଣାସ୍ଥଳରେ ପହଞ୍ଚି ଚିକିତ୍ସା ପାଇଁ ସରକାରୀ ମେଡିକାଲରେ ଭର୍ତ୍ତି କରିଥିଲେ। ଜଗୁର ହାତରେ ଗୁରୁତର ଆଘାତ ଲାଗିଥିବାରୁ ଦିନେ ଦୁଇ ଦିନ ମଧ୍ୟରେ ଅସ୍ତ୍ରୋପ୍ରଚାର ନିମନ୍ତେ ରାୟଗଡ଼ା ସରକାରୀ ମେଡିକାଲକୁ ସ୍ଥାନାନ୍ତର କରାଯିବ। ଆକ୍ରମଣ ପରେ କାଳିଦାଶ ଗିରଫ ଭୟରେ ଫେରାର ହୋଇଯାଇଛି।
Follow Us