Image Courtesy of NDTV
ବୌଦ୍ଧ: ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅଧୀନ ସରକାରୀ ପଲିଟେକ୍ନିକ ପଛପଟ ଆଡ଼ିପାବଲି ପାହାଡ଼ରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଗଳିତ ଶବ ପୁଲିସ ଉଦ୍ଧାର କରିଛି। ମୃତକ ହେଲେ ଅଜିତ ଭୋଇ (୩୪ ବର୍ଷ) ଓ କୁନି ପାଇକ (୨୪ ବର୍ଷ)।
ସୂଚନା ଅନୁସାରେ ଜାମପାଲି ଗ୍ରାମର ଅଜିତଙ୍କ ୯ ବର୍ଷର ଝିଅ ଏବଂ ୬ ଓ ୩ ବର୍ଷର ଦୁଇ ପୁଅ ଅଛନ୍ତି। ଅଜିତ କର୍ମ ସଂସ୍ଥାନ ପାଇଁ ଗତ ୬ ବର୍ଷ ହେଲା ରାଜ୍ୟ ବାହାରେ ରହୁଛନ୍ତି। ତାମିଲନାଡ଼ୁରେ ରହଣି ସମୟରେ ଗଜପତି ଜିଲ୍ଲା ରା.ଉଦୟଗିରି ଥାନା ଅନ୍ତର୍ଗତ କଳାପାଙ୍ଗା ଗ୍ରାମର ଭୀମ ପାଇକଙ୍କ ଝିଅ କୁନି ଙ୍କ ସହ ପ୍ରେମ ସଂପର୍କ ସ୍ଥାପନ ହୋଇଥିଲା। ଗତ ମାସ ସରସ୍ବତୀ ପୂଜା ଦିନ ଅଜିତ କୁନିଙ୍କୁ ନେଇ ନିଜ ଗାଁକୁ ଆସିଥିଲେ। ଅଜିତଙ୍କ ପତ୍ନୀ ଓ ପରିବାର ଲୋକେ ଏହାକୁ ବିରୋଧ କରିଥିଲେ। ଏପରିକି ତାଙ୍କ ପତ୍ନୀ ତିନି ଛୁଆଙ୍କୁ ନେଇ ନିଜ ବାପଘର ଅନୁଗୁଳ ଜିଲ୍ଲା ଠାକୁରଗଡ଼କୁ ଚାଲି ଯାଇଥିଲେ। ସେପଟେ କିଛି ଦିନ ନିଖୋଜ ହେବା ପରେ ସୋମବାର ଆଡ଼ିପାବଲି ପାହାଡ଼ର ଏକ ଗଛରେ ଅଜିତ ଓ କୁନିଙ୍କ ଗଳିତ ଶବ ଝୁଲୁଥିବା ଦେଖିବାକୁ ମିଳିଥିଲା।
ଛେଳି ଚରାଳିଙ୍କଠାରୁ ଖବର ପାଇ ପରିବାର ଲୋକେ ପୁଲିସକୁ ସୂଚନା ଦେଇଥିଲେ। ପାହାଡ଼ ଚଢ଼ି ଘଟଣାସ୍ଥଳକୁ ଯିବାକୁ ପୁଲିସକୁ ନାକେଦମ ହେବାକୁ ପଡ଼ିଛି। ଶବ ପଚି ଯାଇଥିବାରୁ ପ୍ରାୟ ସାତ ଦିନ ପୂର୍ବରୁ ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରିଛି। ଗଛ ତଳେ ଥିବା ଦୁଇଟି ବ୍ୟାଗକୁ ଯାଞ୍ଚ କରି ପୁଲିସ କୁନିଙ୍କ ନାମରେ ଦୁଇଟି ପରିଚୟ ପତ୍ର ପାଇଛି। ଗୋଟିକରେ କୁନି ପାଇକ ନାମ ଥିବାବେଳେ ଅନ୍ୟଟିରେ କୁନି କାର୍ଜି ସହ ସ୍ବାମୀଙ୍କ ନାମ ଓ ଗ୍ରାମ ଏମ.ସାଇଲଙ୍ଗା ଉଲ୍ଲେଖ ରହିଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ବୌଦ୍ଧ ଆଇଆଇସି ମାଧବାନନ୍ଦ ନାୟକ କହିଛନ୍ତି।
Follow Us