ହାଇୱା ଛାଡ଼ିବାକୁ ଲ‌କ୍ଷେ ଟଙ୍କା ଲାଞ୍ଚ, ଧରାପଡ଼ିଲେ ହରଭଙ୍ଗା ଆଇଆଇସି

Advertisment
ହାଇୱା ଛାଡ଼ିବାକୁ ଲ‌କ୍ଷେ ଟଙ୍କା ଲାଞ୍ଚ, ଧରାପଡ଼ିଲେ ହରଭଙ୍ଗା ଆଇଆଇସି

ବୌଦ୍ଧ/ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନାର ଆଇଆଇସି ପୁଷ୍ପଲତା ରାଉତରାୟ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ତାଙ୍କ ପାଖରୁ ରାସାୟନିକ ପ୍ରଲେପ ଦିଆ ହୋଇଥିବା ଟଙ୍କା ଜବତ କରାଯାଇଛି। ଥାନାରେ ପ୍ରାଥମିକ ତଦନ୍ତ ପରେ ତାଙ୍କୁ ଫୁଲବାଣୀକୁ ନିଆଯାଇଛି।

ପ୍ରାପ୍ତ ସୂଚନାନୁସାରେ ଫୁଲବାଣୀର ଶରତ ବେହେରା ମହାନଦୀର ସୁରୁଣ୍ଡି ବାଲିଘାଟ ଠିକାରେ ନେଇଛନ୍ତି। ଗତ କିଛି ଦିନ ହେଲା ବାଲିଘାଟରୁ ଆସୁଥିବା ବାଲି ବୋଝେଇ ୩ଟି ହାଇୱାକୁ ହରଭଙ୍ଗା ପୁଲିସ ଅଟକ ରଖିଛି। ଅଟକ ହାଇୱାଗୁଡ଼ିକୁ ଛାଡ଼ିବା ଓ ବାଲିଘାଟ ଠିକାଦାରଙ୍କ ପ୍ରତି କୋହଳ ମନୋବୃତ୍ତି ଦେଖାଇବା ପାଇଁ ଆଇଆଇସି ପୁଷ୍ପଲତା ରାଉତରାୟ ଟଙ୍କା ଦାବି କରିଥିଲେ। ଏ ନେଇ ମୂଲଚାଲ ହେବା ପରେ ୧ ଲକ୍ଷ ଟଙ୍କାରେ କଥା ଛିଣ୍ଡିଥିଲା। ଏହା ପରେ ଶରତ ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିଲେ।

ଯୋଜନା ମୁତାବକ ଶୁକ୍ରବାର ଏକ ଲଫାପା ଭିତରେ କେମିକାଲ୍‌ ବୋଳା ଟଙ୍କା ଭର୍ତ୍ତି କରି ସେ ଆଇଆଇସିଙ୍କୁ ଦେଇଥିଲେ। ଆଇଆଇସି ଉକ୍ତ ଲଫାପା ରଖିବା କ୍ଷଣି ଛକି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ମାଡ଼ି ବସିଥିଲେ। ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନା କେସ ନମ୍ବର ୧୧/୨୦୨୩ରେ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe