ଆୟୁଷ ନିର୍ଦ୍ଦେଶକ ବିଭୂ ପ୍ରସାଦ ଷଡ଼ଙ୍ଗୀ ଯୌନ ନିର୍ଯାତନା ମାମଲାର ତଦନ୍ତ କରିବ ହାରାସ୍‌ମେଣ୍ଟ କମିଟି

Advertisment
ଆୟୁଷ ନିର୍ଦ୍ଦେଶକ ବିଭୂ ପ୍ରସାଦ ଷଡ଼ଙ୍ଗୀ ଯୌନ ନିର୍ଯାତନା ମାମଲାର ତଦନ୍ତ କରିବ ହାରାସ୍‌ମେଣ୍ଟ କମିଟି

ଭୁବନେଶ୍ୱର : ବରିଷ୍ଠ ଓଏଏସ୍‌ ଅଫିସର ତଥା ଆୟୁଷ ନିର୍ଦ୍ଦେଶକ ବିଭୂ ପ୍ରସାଦ ଷଡ଼ଙ୍ଗୀ ଯୌନ ନିର୍ଯାତନା ମାମଲାର ତଦନ୍ତ କରିବ ସ୍ବତନ୍ତ୍ର ହାରାସ୍‌ମେଣ୍ଟ କମିଟି। ଏଥିପାଇଁ ଆଜି ସ୍ବାସ୍ଥ୍ୟ ବିଭାଗର ଜଣେ ମହିଳା ସ୍ବତନ୍ତ୍ର ସଚିବଙ୍କ ଅଧ୍ୟକ୍ଷତାରେ ୪ ଜଣିଆ ଏକ କମିଟି ଗଠନ ହୋଇଛି। ଏଥିରେ ବିଭାଗୀୟ ଅନ୍ୟ ଅଧିକାରୀଙ୍କ ସହ ଏକ ଏନ୍‌ଜିଓ ମଧ୍ୟ ରହିଛି। ଆସନ୍ତାକାଲି ଏହି କମିଟି ତଦନ୍ତ ଆରମ୍ଭ କରିବ। କମିଟି ରିପୋର୍ଟ ଅଭିଯୁକ୍ତ ଅଧିକାରୀଙ୍କ ବିରୋଧ‌ରେ ଆସିଲେ, ତାଙ୍କ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ। ଅଭିଯୋଗକାରିଣୀଙ୍କ ବିରୋଧରେ ଆସିଲେ ତାଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣାପଡ଼ିଛି। ସମସ୍ତ ସରକାରୀ କାର୍ଯ୍ୟାଳୟ‌ରେ ଏହି ହାରାସ୍‌ମେଣ୍ଟ କମିଟି ରହିଛି। କିନ୍ତୁ ଏହି କାର୍ଯ୍ୟାଳୟରେ କାହିଁକି ନଥିଲା? ଅଭିଯୁକ୍ତ ଓଏଏସ୍‌ ଅଧିକାରୀ ଗିରଫ ହେବା ପରେ କାହିଁକି କମିଟି ଗଠନ ହେଲା ସେ ନେଇ ପ୍ରଶ୍ନ ଉଠିଛି।

ଅନ୍ୟପଟେ ଏହି କମିଟି ଗଠନ ହେବା ପରେ ଏଭଳି ବିବାଦରେ ପରୋକ୍ଷ ବା ପ୍ରତ୍ୟକ୍ଷରେ ସାମିଲ ଥିବା ଅନ୍ୟ ଅଧିକାରୀ ତଥା କର୍ମଚାରୀ ଛାନିଆ ହୋଇଛନ୍ତି। କମିଟି ତଦନ୍ତ କଲେ ଏବେ ସବୁ କଥା ପଦାକୁ ଆସିବ। ଯୁବତୀଙ୍କ ସହ କେତେକ କର୍ମଚାରୀ ମିଶି ମୋତେ ଫସାଇ ଦେଇଥିବା ଜେଲ୍‌ ଯିବା ବେଳେ ଅଭିଯୁକ୍ତ ଅଧିକାରୀ କହିଥିଲେ। ଏବେ ଯୁବତୀଙ୍କ ସହ କିଏ ବାସ୍ତବରେ ମିଶିଥିଲେ ନା ଅଭିଯୁକ୍ତ ଅଧିକାରୀ ନିଜକୁ ବଞ୍ଚାଇବା ପାଇଁ ମିଛ କହୁଥିଲେ, ତାହା ଜଣାପଡ଼ିବ। ସେହିଭଳି ଯୁବତୀ ଜାଲ ପ୍ରମାଣପତ୍ର ବଳରେ ଚାକିରି କରିଥିବା ଅଭିଯୁକ୍ତ ଅଧିକାରୀ ଅଭିଯୋଗ କରିଥିଲେ। ଏହାର ତଦନ୍ତ ପାଇଁ ସେ ଭିଜିଲାନ୍ସକୁ ମଧ୍ୟ ଲେଖିଥିଲେ। ଏବେ ଏହାର ମଧ୍ୟ ତଦନ୍ତ ହେବ। ଯଦି ବାସ୍ତବରେ କାଗଜପତ୍ରରେ ସମସ୍ୟା ଥାଏ, ତେବେ ଅଭିଯୋଗକାରିଣୀଙ୍କ ପାଇଁ ବିପଦ ହୋଇପାରେ। ସେହିଭଳି ଆୟୁଷ ମିସନ ପ୍ରୋଗ୍ରାମ୍‌ ମ୍ୟାନେଜର ଇସ୍ତଫା ଦେଇ ଚାଲି ଯାଇଛନ୍ତି। ସେ ମଧ୍ୟ ଏହି ତଦନ୍ତର ସାମ୍ନା କରିବେ। କାହିଁକି ଇସ୍ତଫା ଦେଲେ? ଏହି ମାମଲାରେ କ’ଣ ତାଙ୍କର ସମ୍ପର୍କ? ଏତେ ଦିନ ଧରି ସେ କାହିଁକି ନିରବ ଅଛନ୍ତି? ବାସ୍ତବରେ ପ୍ରୋଗ୍ରାମ୍‌ ମ୍ୟାନେଜର ଓ ଯୁବତୀଙ୍କର ନିଯୁକ୍ତିରେ ଜାଲିଆତି ରହିଛି କି? ଏ ସବୁ ପ୍ରଶ୍ନର ଉତ୍ତର ଏବେ ଏହି ସ୍ବତନ୍ତ୍ର କମିଟି ଖୋଜିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe