ଗବେଷଣା ସନ୍ଦର୍ଭର ଅବିକଳ ନକଲ: ଡକ୍ଟରେଟ୍ ଉପାଧି ପ୍ରତ୍ୟାହାର କରିନେଲା ବିଶ୍ବବିଦ୍ୟାଳୟ

ଗବେଷଣା ସନ୍ଦର୍ଭର ଅବିକଳ ନକଲ: ଡକ୍ଟରେଟ୍ ଉପାଧି ପ୍ରତ୍ୟାହାର କରିନେଲା ବିଶ୍ବବିଦ୍ୟାଳୟ

ବାରିପଦା: ଅନ୍ୟ ଜଣେ ଗବେଷକଙ୍କ ସନ୍ଦର୍ଭକୁ ନକଲ ଅଭିଯୋଗରେ ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ଜଣେ ଅଧ୍ୟାପିକାଙ୍କ ଡକ୍ଟରେଟ୍ ଉପାଧି ପ୍ରତ୍ୟାହାର କରିନେଇଛି। ବିଶ୍ବବିଦ୍ୟାଳୟ ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏମ୍‌ପିସି ସ୍ବୟଂଶାସିତ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ରୀନା ମୁର୍ମୁ ଏହି ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ଡ.ଅନାଦି ଚରଣ ଗାଆଣଙ୍କ ତତ୍ତ୍ବାବଧାନରେ ‘ସ୍ବାଧୀନତା ପରବର୍ତ୍ତୀ ଓଡ଼ିଆ କ୍ଷୁଦ୍ରଗଳ୍ପରେ ମାନବେତର ଚରିତ୍ର-ଏକ ଅନୁଶୀଳନ’ ବିଷୟରେ ଗବେଷଣା କରୁଥିଲେ। ୨୦୧୮ ଅକ୍ଟୋବର ୧୨ ତାରିଖରେ ଏଥିପ‌ାଇଁ ବିଶ୍ବବିଦ୍ୟାଳୟ ପକ୍ଷରୁ ତାଙ୍କୁ ଡକ୍ଟରେଟ୍ ଉପାଧି ମିଳିଥିଲା। ତେବେ ଏହା ପୂର୍ବରୁ ଏହି ସମାନ ବିଷୟ ଓ ଶୀର୍ଷକରେ ଗବେଷଣା କରି ଉତ୍କଳ ବିଶ୍ବବିଦ୍ୟାଳୟରୁ ଡକ୍ଟରେଟ୍ ଲାଭ କରିଛନ୍ତି ବାଲେଶ୍ବର ଜିଲ୍ଲା କଇଥଗଡ଼ିଆ ଅଞ୍ଚଳର ଗବେଷକ ଅନାଦି ଚରଣ ରାଉତ। ତେଣୁ ତାଙ୍କ ସନ୍ଦର୍ଭକୁ ଅବିକଳ ନକଲ କରି ରୀନା ମୁର୍ମୁ ଡକ୍ଟରେଟ୍‌ ପାଇଥିବା ନେଇ ସେ ବିଶ୍ବବିଦ୍ୟାଳୟର କୁଳାଧିପତି ତଥା ରାଜ୍ୟପାଳଙ୍କୁ ଚିଠି ଲେଖିଥିଲେ।

ଶ୍ରୀ ରାଉତଙ୍କ ଅଭିଯୋଗକୁ ଗ୍ରହଣ କରି ଆବଶ୍ୟକ ପଦକ୍ଷେପ ନେବାକୁ ବିଶ୍ବବିଦ୍ୟାଳୟର କୁଳପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ କୁଳାଧିପତି। ଅଭିଯୋଗର ସତ୍ୟାସତ୍ୟା ଜାଣିବା ନିମନ୍ତେ କୁଳପତି ଏକ କମିଟି ଗଠନ କରିଥିଲେ। କମିଟିର ତଦନ୍ତ ପରେ ଅଭିଯୋଗ ପ୍ରମାଣିତ ହୋଇଥିଲା ଓ ଏହା ସିଣ୍ଡିକେଟ୍‌ରେ ଉପସ୍ଥାପନ କରାଯାଇଥିଲା। ସିଣ୍ଡିକେଟ୍‌ର ନିଷ୍ପତ୍ତି କ୍ରମେ ଅଧ୍ୟାପିକା ରୀନା ମୁର୍ମୁଙ୍କ ଡକ୍ଟରେଟ ଉପାଧି ପ୍ରତ୍ୟାହାର କରି ନିଆଯାଇଛି ବୋଲି ଆଜି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଜଣାଇଛନ୍ତି। ଏଥିସହ ଗବେଷଣାର ଗାଇଡ୍‌ ଥିବା ପ୍ରଫେସର ଅନାଦି ଚରଣ ଗାଆଣ ଭବିଷ୍ୟତରେ ଆଉ କାହାର ଗାଇଡ୍‌ ହୋଇପାରି‌ବେ ନାହିଁ ବୋଲି ବିଶ୍ବବିଦ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି।

ଏ ସମ୍ପର୍କରେ ଅଧ୍ୟାପିକା ରୀନା ମୁର୍ମୁଙ୍କୁ ପଚାରିବାରୁ ଏଥିପାଇଁ ସେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ଜଣଙ୍କୁ ଡକ୍ଟରେଟ୍ ପ୍ରଦାନ ପୂର୍ବରୁ ବିଭିନ୍ନ ପର୍ଯ୍ୟାୟରେ ଯାଞ୍ଚ ହୋଇଥାଏ। ମୋ କ୍ଷେତ୍ରରେ ବି ଯାଞ୍ଚ ହେଲା, ପରୀକ୍ଷା ହେଲା। ସେଥିରେ ପାସ୍ ହେଲା ‌ପରେ କପି କରି ପାସ୍ ହୋଇଛି ବୋଲି କହିବା ଦୁର୍ଭାଗ୍ୟଜନକ। ମୁଁ ଗବେଷକ ଶ୍ରୀ ରାଉତଙ୍କ ସନ୍ଦର୍ଭର ନକଲ କରିନାହିଁ। ତେଣୁ ଡକ୍ଟରେଟ୍ ପ୍ରତ୍ୟାହାର ନେଇ ବିଶ୍ବବିଦ୍ୟାଳୟର ନିଷ୍ପତ୍ତି ବିରୋଧରେ ଉଚ୍ଚନ୍ୟାୟାଳୟରେ ଆଶ୍ରୟ ନେଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe