ଭଉଣୀ ଡାକରାରେ ନକ୍ସଲ ସଂଗଠନ ଛାଡ଼ିଲେ ହାର୍ଡକୋର ମଲ୍ଲା

ମାଓ ବିରୋଧୀ ପୋଷ୍ଟର ଲାଗିଲା

ଭଉଣୀ ଡାକରାରେ ନକ୍ସଲ ସଂଗଠନ ଛାଡ଼ିଲେ ହାର୍ଡକୋର ମଲ୍ଲା

localnewsofindia.com

ମାଲକାନଗିରି : ଭାଇଭଉଣୀ ପ୍ରେମର ଅତୁଟ ବନ୍ଧନ ଜନ୍ମ ଜନ୍ମର। ରକ୍ଷା ବନ୍ଧନ ଉତ୍ସବକୁ ସମସ୍ତ ଭାଇଭଉଣୀ ଅପେକ୍ଷା କରି ରହିଥାନ୍ତି। ତେବେ ଜଣେ ଭଉଣୀର ରାକ୍ଷୀକୁ ସାକ୍ଷୀ କରି ନକ୍ସଲ ସଂଗଠନ ଛାଡ଼ି ଘରକୁ ଫେରିଆସିଥିବା ଜଣେ ଭାଇର କାହାଣୀ ଅତ୍ୟନ୍ତ ପ୍ରଶଂସନୀୟ। ଏଭଳି ଭାଇଭଉଣୀର ଏକ ନିବିଡ଼ ସଂପର୍କ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦନ୍ତେଵାଡ଼ା ଜିଲ୍ଲାରେ।

ଦନ୍ତେଵାଡ଼ା ଜିଲ୍ଲା ଅନ୍ତର୍ଗତ ପାଲନାର୍ ଗ୍ରାମର ଲିଙ୍ଗେ ତାମୋ ଏବଂ ଭାଇ ମଲ୍ଲା ତାମୋ ଦୁଇ ଭାଇଭଉଣୀ। ମଲ୍ଲାକୁ ୧୨ ବର୍ଷ ବୟସ ହୋଇଥିବା ସମୟରେ ସେ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ। ବର୍ତ୍ତମାନ ସେ ଭାରମଗଡ଼ ଏରିଆ କମିଟିର ଡେପୁଟି କମାଣ୍ଡର। ଗତ ୧୫ ବର୍ଷ ମଧ୍ୟରେ ସେ ବହୁ ହିଂସାରେ ଜଡ଼ିତ ଥିବା ସ୍ବୀକାର କରିଛି। ମଲ୍ଲା ତାମୋ ନାମରେ ସରକାର ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲେ। ତେବେ ୧୫ ବର୍ଷ ପରେ ମଲ୍ଲା ତାମୋ ଘରକୁ ଆସିଥିଲା ବେଳେ ଭଉଣୀ ଲିଙ୍ଗେ ତାମୋ ଭାଇକୁ ଅଟକାଇ ରାକ୍ଷୀର ସଂପର୍କକୁ ମନେ ପକାଇଥିଲା। ଦୀର୍ଘ ବର୍ଷ ଧରି ସେ ଏହି ଦିନକୁ ଅପେକ୍ଷା କରି ରହିଥିବା ଭଉଣୀ ଲିଙ୍ଗେ କହିଥିଲେ। ଏଥିସହ ପରିବାର ଲୋକେ ତାଙ୍କୁ ଝୁରୁଥିବା କହିଥିଲେ। ମଲ୍ଲା ଭଉଣୀର ଡାକରାକୁ ହୃଦୟଙ୍ଗମ କରିପାରିଥିଲା। ଆଉ ସଂଗଠନକୁ ଫେରିବ ନାହିଁ ବୋଲି ଭଉଣୀ ଲିଙ୍ଗେକୁ ପ୍ରତିଶ୍ରୁତି ଦେଲା। ତେବେ ଭଉଣୀ ଲିଙ୍ଗେ ତୁରନ୍ତ ମଲ୍ଲାକୁ ପୁଲିସ ନିକଟରେ ଆତ୍ମସମର୍ପଣ କରାଇଥିଲା। ମଲ୍ଲା ମୁଖ୍ୟସ୍ରୋତରେ ସାମିଲ ହେବା ସହ ଦୀର୍ଘ ପନ୍ଦର ବର୍ଷ ପରେ ଭଉଣୀ ହାତରୁ ରାକ୍ଷୀ ବାନ୍ଧିଥିଲା। ଏହି ଦିନକୁ ସେ ମଧ୍ୟ ଅପେକ୍ଷା କରି ରହିଥିବା କହିଥିଲା। ଏସପି ଅଭିଷେକ ପଲ୍ଲବ ମଧ୍ୟ ମଲ୍ଲାକୁ ମୁଖ୍ୟସ୍ରୋତରେ ସାମିଲ ହୋଇଥିବାରୁ ସ୍ବାଗତ କରିଥିଲେ।

ମାଓ ବିରୋଧୀ ପୋଷ୍ଟର ଲାଗିଲା
ମଲକାନଗିରି : ଜୁଲାଇ ୨୮ତାରିଖ ଠାରୁ ମାଓବାଦୀଙ୍କ ପକ୍ଷରୁ ଆରମ୍ଭ ହୋଇଥିଲା ସହିଦ ସପ୍ତାହ। ବିଭିନ୍ନ ସ୍ଥାନରେ ପୁଲିସ ଗୁଳିରେ ପ୍ରାଣ ହରାଇଥିବା ନକ୍ସଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଜନସମାବେଶର ଆୟୋଜନ ହୋଇଥିଲା। ଗତ ୩୦ତାରିଖ ଦିନ ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର କୋରହିଗଣ୍ଡି ଗାଁରେ ନିହତ ନକ୍ସଲଙ୍କ ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ସରକାର ବିରୋଧୀ ନାରା ଦିଆଯାଇଥିଲା। ସପ୍ତାହ ବ୍ୟାପୀ ସଂଗଠନ ପକ୍ଷରୁ ଉତ୍ସବ ଚାଲିଥିବା ବେଳେ ଆଜିଥିଲା ଶେଷ ଦିନ। କିନ୍ତୁ ଶେଷ ଦିନରେ ‌ସେହି ସ୍ବାଭିମାନ ଅଞ୍ଚଳରୁ ହିଁ ଶୁଣିବାକୁ ମିଳିଛି ନକ୍ସଲ ବିରୋଧୀ ସ୍ବର। କିଛିଦିନ ଧରି ମାଓବାଦୀ ଏବଂ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ବିବାଦର ଏହା ଗୋଟିଏ ରୂପ ବୋଲି କୁହାଯାଉଛି। ଏଥିସହିତ, ଜୁଲାଇ ୩୦ରୁ ଅଗଷ୍ଟ ୫ତାରିଖ ପର୍ଯ୍ୟନ୍ତ ନିନ୍ଦା ସପ୍ତାହ ପାଳନ କରିବାକୁ ଆହ୍ୱାନ ଦିଆଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe