ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲାରେ ହରିହରଙ୍କ ମିଳନ ବା ଫଗୁନପୁନି ଯାତ୍ରା ଏବଂ ହୋଲି ଧୁମଧାମରେ ପାଳିତ ହୋଇଛି। ଚଳିତ ବର୍ଷ ମେଳଣ ଯାତ୍ରାକୁ ମଧ୍ୟ ଉତ୍ସାହର ସହ ପାଳନ କରିଥିଲେ ଲୋକେ। ଦୋଳ ମେଳଣ ପଡ଼ିଆରେ ୭ଟି ଗାଁରୁ ସୁସଜ୍ଜିତ ବିମାନରେ ବାଣ ରୋଶଣି ସହ ଏକାଠି ହୋଇଛନ୍ତି ହରି ଓ ହର। ଏହି ଉତ୍ସବର ପ୍ରମୁଖ ହର ଭାବରେ ଚମ୍ପାମାଳର ବାବା ଚମ୍ପେଶ୍ୱରଙ୍କ ସହିତ ଷଣ୍ଢା, ବାଗବର, ଉଫୁଲା, କମଲପୁର, ଟିଠିପାଲି, କୁମୁରସିଙ୍ଗା ଆଦି ଗାଁରୁ ଆସିଥାନ୍ତି ହରି ଓ ହର। ଏହି ପରମ୍ପରା ଶତାଧିକ ବର୍ଷରୁ ଚାଲି ଆସୁଛି।
ଏଠାରେ ତିନିଦିନ ଧରି ନାମଯଜ୍ଞ ହେଉଥିବା ବେଳେ ପାଞ୍ଚଦିନ ଆଗରୁ ଆରମ୍ଭ ହୋଇଥାଏ ଦୋଳ ଯାତ୍ରା। ଭକ୍ତଙ୍କ ଗହଳିରେ ଭୋର୍ ସମୟରେ ହରି ଓ ହରଙ୍କ ମିଳନ ପରେ ଆରମ୍ଭ ହୁଏ ଫଗୁ ପର୍ବ। ଚଳିତ ବର୍ଷ ଯାତ୍ରାରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ପ୍ରସ୍ତୁତି ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ନାରାୟଣ ଦାସ, ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ, ଉପଖଣ୍ଡ ପୁଲିସ ଅଧିକାରୀ ଡୋଳାମଣି ଭୋଇ, ବୀରମହାରାଜପୁର ବିଡିଓ ମୋତିଲାଲ ସୁଲିଆ, ଅତିରିକ୍ତ ତହସିଲଦାର ସ୍ବାଗତ କୁମାର, ସହକାରୀ ଜିଲ୍ଲାପାଳ ଅଜିତ୍ କୁମାର ମିର୍ଦ୍ଧା, ବୀରମହାରାଜପୁର ଥାନାଧିକାରୀ ପଦ୍ମାସିନୀ ମେହେର, ଉଲୁଣ୍ଡା ଥାନାଧିକାରୀ ଅନିତାଙ୍କ ସମେତ ବ୍ୟାପକ ଫୋର୍ସ ମୁତୟନ ହୋଇଥିଲେ।
Follow Us