ହରିଶଙ୍କର, ନୃସିଂହନାଥ ମଧ୍ୟରେ ରୋପ୍‌ୱେ ପ୍ରସ୍ତାବ

Advertisment

ଉଭୟ ପୀଠ ପରିଦର୍ଶନ କଲେ ଉଚ୍ଚସ୍ତରୀୟ ସଚିବ କମିଟି

ଉଭୟ ପୀଠ ପରିଦର୍ଶନ କଲେ ଉଚ୍ଚସ୍ତରୀୟ ସଚିବ କମିଟି

ହରିଶଙ୍କର, ନୃସିଂହନାଥ ମଧ୍ୟରେ ରୋପ୍‌ୱେ ପ୍ରସ୍ତାବ

ଇକୋ ଟୁରିଜମ୍‌ ଓ ଭିତ୍ତିଭୂମି ବିକାଶ ନେଇ ଅନୁଧ୍ୟାନ
ପର୍ଯ୍ୟଟକଙ୍କ ପାଇଁ ଚୁମ୍ବକ ପାଲଟିବ : ଅସିତ ତ୍ରିପାଠୀ

ବରଗଡ଼/ପାଇକମାଳ/ପାଟଣାଗଡ଼ : ପୁରୀ ଶ୍ରୀମନ୍ଦିର, ଭୁବନେଶ୍ବରର ଶ୍ରୀଲିଙ୍ଗରାଜ ଓ ସମ୍ବଲପୁରର ମା’ ସମଲେଶ୍ବରୀଙ୍କ ମନ୍ଦିର ବିକାଶ ନକ୍ସା ପରେ ଏବେ ପଶ୍ଚିମ ଓଡ଼ିଶାର ଦୁଇ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ତଥା ତୀର୍ଥପୀଠ ହରିଶଙ୍କର ଓ ନୃସିଂହନାଥର ବିକାଶକୁ ଏବେ ଫୋକସ୍‌ରେ ରଖିଛନ୍ତି ରାଜ୍ୟ ସରକାର। ବଲାଙ୍ଗୀର ଜିଲ୍ଲାର ହରିଶଙ୍କର ଓ ବରଗଡ଼ ଜିଲ୍ଲାର ନୃସିଂହନାଥକୁ ଦେଶର ପ୍ରମୁଖ ଇକୋ-ଟୁରିଜମ୍‌ ସ୍ପଟ୍‌ରେ ପରିଣତ କରିବା ତଥା ଏଠାରେ ଥିବା ଐତିହ୍ୟର ସଂରକ୍ଷଣ ପାଇଁ ଉଦ୍ୟମ ଆରମ୍ଭ ହୋଇଛି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ବୁଧବାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫-ଟି ସଚିବ ଭି.କେ. ପାଣ୍ଡିଆନ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ, ଜଳସଂପଦ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ସଚିବ ଭିନିଲ କ୍ରିଷ୍ଣ ଆଜି ଏହି ଦୁଇ ପୀଠ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଗସ୍ତ ପରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ଏହି ସ୍ଥାନ ଭବିଷ୍ୟତରେ ପର୍ଯ୍ୟଟକଙ୍କ ପାଇଁ ଚୁମ୍ବକ ପାଲଟିବ। ଉଭୟ ପୀଠକୁ ଭଲ ରାସ୍ତା, ସବୁଦିନିଆ ବସ୍‌ ସେବା, ଇକୋ ଟୁରିଜମ୍‌ କଟେଜ୍‌, ମାର୍କେଟ କମ୍ପେକ୍ସ, ଶିଶୁ ଉଦ୍ୟାନ, ଯାତ୍ରୀ ପ୍ରତୀକ୍ଷାଳୟ, ଇତ୍ୟାଦି ସହ ଏକ ରୋପ୍‌ୱେ ନିର୍ମାଣ ନେଇ ମଧ୍ୟ ଆଲୋଚନା ହୋଇଛି।

ବୁଧବାର ହେଲିକପ୍ଟର ଯୋଗେ ବରଗଡ଼ ଜିଲ୍ଲା ପଦ୍ମପୁରସ୍ଥିତ ସତୀଭଟା ଏୟାରଷ୍ଟ୍ରିପ୍‌ଠାରେ ଏହି ପ୍ରାଶାସନିକ ଅଧିକାରୀମାନେ ପହଞ୍ଚି ସେଠାରୁ ସଡ଼କ ପଥରେ ନୃସିଂହନାଥ ଯାଇଥିଲେ। ସେଠାରେ ଅତିଥି ବିହାର ପରିସରରେ ମନ୍ଦିରର ପରିଚାଳନା ଏବଂ ପୀଠର ଭିତ୍ତିଭୂମି ଉପରେ ବିଶଦ ଆଲୋଚନା ହୋଇଥିଲା।

ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନ, ସ୍ଥାନୀୟ ପ୍ରଶାସନ, ମନ୍ଦିର କମିଟି କାର୍ଯ୍ୟକର୍ତା ଏବଂ ସେବାୟତଙ୍କ ଠାରୁ ସଚିବଗଣ ବିଭିନ୍ନ ସମସ୍ୟା ଏବଂ ସମ୍ଭାବନା ଉପରେ ପଚାରି ବୁଝିଥିଲେ।

ଆଲୋଚନା ବେଳେ ନୃସିଂହନାଥ ପୀଠରୁ ହରିଶଂକରକୁ ରୋପ୍‌-ୱେ ପ୍ରସଂଗ ସ୍ଥାନ ପାଇଥିଲା। ଏହି ପ୍ରକଳ୍ପ ନେଇ ଉଚ୍ଚସ୍ତରୀୟ ଆଲୋଚନା କରିବାକୁ ସ୍ଥିର ହୋଇଛି।

‘ରାଜ୍ୟର ପର୍ଯ୍ୟଟନ ମାନଚିତ୍ରରେ ଏହି ପୀଠ ସ୍ବତନ୍ତ୍ର ସ୍ଥାନ ବହନ କରୁଛି। ଏହାର ବିକାଶ ପାଇଁ ପଦକ୍ଷେପ ଗ୍ରହଣ ହେବ,’ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe