ଗୁପ୍‌ଚୁପ୍‌ ବ୍ୟବସାୟୀଙ୍କ ନାଁରେ ହରିୟାଣାରେ ଠକେଇ

Advertisment

ଦଶପଲ୍ଲ‌ାରେ ହରିୟାଣା କ୍ରାଇମବ୍ରାଞ୍ଚର ଖୋଳତାଡ଼, ସିମ୍‌କାର୍ଡରେ ନାଁ ଥିବାରୁ ବିଦେଶୀଙ୍କୁ ପଚରାଉଚରା

ଦଶପଲ୍ଲ‌ାରେ ହରିୟାଣା କ୍ରାଇମବ୍ରାଞ୍ଚର ଖୋଳତାଡ଼, ସିମ୍‌କାର୍ଡରେ ନାଁ ଥିବାରୁ ବିଦେଶୀଙ୍କୁ ପଚରାଉଚରା

ଗୁପ୍‌ଚୁପ୍‌ ବ୍ୟବସାୟୀଙ୍କ ନାଁରେ ହରିୟାଣାରେ ଠକେଇ

DNA India

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଞ୍ଚଳର ଜଣେ ଗୁପ୍‌ଚୁପ୍ ବ୍ୟବସାୟୀଙ୍କ ଆଧାରକାର୍ଡ ବ୍ୟବହାର କରି ୨୨୦କୋଟି ଟଙ୍କା ଠକି ନେଇଥିବା ହରିୟାଣାର ଏକ ଅପରାଧୀ ଗ୍ୟାଙ୍ଗ୍‌ ଧରାପଡ଼ିଛି। ହରିୟାଣା କ୍ରାଇମବ୍ରାଞ୍ଚ୍‌ର ଏକ ଟିମ୍‌ ସୋମବାର ଦିନ ଏଠାକୁ ଆସି ଖୋଳତାଡ଼ କରିବା ପରେ ଏହିଭଳି ଏକ ଘଟଣା ସାମ୍‌ନାକୁ ଆସିଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି; ସିମ୍‌କାର୍ଡ କ୍ରୟ ବେଳେ ଗ୍ରାହକମାନେ ଦେଉଥିବା କାଗଜପତ୍ର ଯେ ସୁରକ୍ଷିତ ରହୁନି, ଏହିଭଳି ଏକ ଘଟଣାରୁ ସ୍ପଷ୍ଟ ଜଣାପଡ଼ୁଛି।

ମିଳିଥିବା ସୂଚନା ଅନୁଯାୟୀ, ହରିୟାଣା କ୍ରାଇମବ୍ରାଞ୍ଚର ଟିମ୍‌ ନିଜ ରାଜ୍ୟରେ ୨୨୦ କୋଟି ଟଙ୍କା ଠକେଇ କରିଥିବା ଏକ ଗ୍ୟାଙ୍ଗ୍‌କୁ ଠାବ କରିଥିଲା। ସେହି ଗ୍ୟାଙ୍ଗ୍‌ଠାରୁ ବହୁ ସିମ୍‌କାର୍ଡ ସହିତ ବିଭିନ୍ନ କାଗଜପତ୍ର ଜବତ କରିଥିଲା। ତଦନ୍ତ ସମୟରେ ଗୋଟିଏ ସିମ୍‌କାର୍ଡ କ୍ରାଇମବ୍ରାଞ୍ଚ୍‌ ଟିମ୍‌ର ଦୃଷ୍ଟିକୁ ଆସିଥିଲା, ଯାହାକି ଦଶପଲ୍ଲା ଏନ୍ଏସି ଅଧୀନସ୍ଥ ଖଣ୍ତପଡ଼ା ଗ୍ରାମର ବିଦେଶୀ ଦାଶଙ୍କ ନାମରେ ଥିବା ଜଣାପଡ଼ିଥିଲା। ବିଦେଶୀ ହେଉଛନ୍ତି ଜଣେ ଗୁପ୍‌ଚୁପ୍‌ ବ୍ୟବସାୟୀ। ଫଳରେ, ଏହି ଘଟଣାର ଅଧିକ ତଦନ୍ତ କରିବାପାଇଁ କ୍ରାଇମବ୍ରାଞ୍ଚ ଟିମ୍‌ ବିଦେଶୀଙ୍କ ପାଖରେ ପହଞ୍ଚିଥିଲା। ସ୍ଥାନୀୟ ପୁଲିସ ସହାୟତାରେ ତାଙ୍କୁ ପଚରାଉଚରା ବି କରିଥିବା ଜଣାପଡ଼ିଛି। ତେବେ, ବିଦେଶୀ ଗୁପ୍‌ଚୁପ୍‌ ବିକୁଥିବା ଦେଖିବା ପରେ ଏହି ଟିମ୍‌ ତାଜୁବ୍‌ ହୋଇଯାଇଥିଲେ। ନିଜର ପରିବାର ଚଳାଇବା ପାଇଁ ଗୁପ୍‌ଚୁପ୍‌ ବିକ୍ରି କରୁଥିବା ଜଣେ ଲୋକଙ୍କ ଅଜାଣତରେ ଏତେବଡ଼ ଠକେଇ ହୋଇଥିବା ତଦନ୍ତକାରୀ ଟିମ୍‌ ହୃଦୟଙ୍ଗମ କରିଥିଲା। ଏହାପରେ, ହରିୟାଣା ଫେରିଯାଇଥିଲେ ଏହି କ୍ରାଇମବ୍ରାଞ୍ଚ୍‌ ଟିମ୍‌।

ତେବେ, ହରିୟ‌ାଣାରେ କିଭଳି ଗୁପ୍‌ଚୁପ୍‌ ବ୍ୟବସାୟୀ ବିଦେଶୀଙ୍କ ଆଧାରକାର୍ଡ ନମ୍ବର ପହଞ୍ଚିଲା, ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଦେଶୀଙ୍କ କହିବା ଅନୁଯାୟୀ, ସେ କେବଳ ଗୋଟିଏ ନମ୍ବର ବ୍ୟବହାର କରୁଛନ୍ତି। ତାହା ପୂର୍ବରୁ ଏୟାରଟେଲ୍ ନମ୍ବର ହୋଇଥିବାବେଳେ ପ୍ରାୟ ୧ ବର୍ଷ ତଳେ ଏହା ଜିଓକୁ ବଦଳାଇଛନ୍ତି। ଜିଓକୁ ବଦଳାଇବା ସମୟରେ ସେ ନିଜର ଆଧାରକାର୍ଡ ଦେଇଥିଲେ। ତାଙ୍କ ଆଧାରକାର୍ଡକୁ ବ୍ୟବହାର କରାଯାଇ ହରିୟାଣା ଭଳି ରାଜ୍ୟରେ ସିମ୍ କିଭଳି ଓ କେଉଁ ପରିସ୍ଥିତିରେ ଆକ୍ଟିଭ୍ ହୋଇଛି, ତାକୁ ନେଇ ସେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଛନ୍ତି। ଯାହାକି ଏବେ ଗ୍ରାହକ ବିଭିନ୍ନ ସିମ୍‌କାର୍ଡ କ୍ରୟ ସମୟରେ ଦେଉଥିବା ଡକ୍ୟୁମେଣ୍ଟ ବା କାଗଜପତ୍ର ସୁରକ୍ଷିତ ରହୁନଥିବା ସ୍ପଷ୍ଟ ହୋଇଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ହୋଇପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe