Image Courtesy of Times Now
କଟକ: ସରକାରୀ ନିୟମ ଅନୁଯାୟୀ, ଡ୍ୟୁଟି ସମୟରେ କୌଣସି ପୁଲିସ ଅଧିକାରୀ ବା କର୍ମଚାରୀଙ୍କ ମୃତ୍ୟୁ ହେଲେ ପରିବାର ଲୋକଙ୍କୁ ତୁରନ୍ତ ୪ ଲକ୍ଷ ଟଙ୍କା ଆର୍ଥିକ କ୍ଷତିପୂରଣ ରାଶି ପ୍ରଦାନ କରାଯିବ। ତେବେ ଗୋପାଳପୁର ନିକଟ କାଠଯୋଡ଼ି ନଦୀପଠାରେ ହାବିଲଦାର ପ୍ରଦୀପ କୁମାର ମଲ୍ଲିକଙ୍କ ବାଣ ନିଷ୍କ୍ରିୟ ସମୟରେ ମୃତ୍ୟୁ ଘଟଣାରେ କ୍ଷତିପୂରଣ ରାଶି ଘୋଷଣାକୁ ଅପେକ୍ଷା କରାଯାଇଛି। ଅନ୍ୟପଟେ ମାମଲାରେ ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ଥିବା ସମସ୍ତ ସାକ୍ଷୀଙ୍କୁ ଜେରା ଶେଷ ହୋଇଛି। ଖୁବ୍ଶୀଘ୍ର ଡିସିପିଙ୍କ ନିକଟରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ ହେବାକୁ ଯାଉଛି।
ଯୋଡ଼ାଯିବ ବାଣ ନିଷ୍କ୍ରିୟ ସାର୍ଟିଫିକେଟ୍, ବ୍ୟବଚ୍ଛେଦ ରିପୋର୍ଟ
୪ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ ଶେଷ
ସୂଚନା ଅନୁଯାୟୀ, ସଦର ଥାନା ପକ୍ଷରୁ ଗଲା ଶୁକ୍ରବାର ଗୋପାଳପୁର ନିକଟ କାଠଯୋଡ଼ି ନଦୀପଠାରେ ବୋମା ନିଷ୍କ୍ରିୟ ସମୟରେ ହାବିଲଦାର ପ୍ରଦୀପ କୁମାର ମଲ୍ଲିକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଏଡିସିପି ଅନୀଲ ମିଶ୍ର ତଦନ୍ତ କରୁଥିବା ବେଳେ ରବିବାର ସୁଦ୍ଧା ଏହି ଘଟଣାରେ ଯେଉଁମାନେ ପ୍ରତ୍ୟକ୍ଷଦର୍ଶୀ ଥିଲେ ସେମାନଙ୍କୁ ପର୍ଯ୍ୟାୟକ୍ରମେ ପଚରାଉଚରା କରାଯାଇ ସାରିଛି। ସମସ୍ତଙ୍କୁ ପୃଥକ ବୟାନ ରେକର୍ଡ କରାଯାଇଛି। ଏହି ତାଲିକାରେ ମୃତ ପ୍ରଦୀପ କୁମାର ମଲ୍ଲିକଙ୍କ ସହିତ ସେଦିନ ଉପସ୍ଥିତ ଥିବା ବୋମା ନିଷ୍କ୍ରିୟକାରୀ ଦଳର ଦୁଇ ସହଯୋଗୀ କନଷ୍ଟେବଳ ସୁବାସ ଚନ୍ଦ୍ର ଓଝା ଓ ଦୀପକ କୁମାର ହାଁସଦା ଏବଂ ସଦର ଥାନା ପୁଲିସ ଏସଆଇ ଚିତ୍ତରଞ୍ଜନ ବେହେରା ଓ ପିସିଆର୍ ଡ୍ରାଇଭର୍ ରହିଛନ୍ତି। ବୋମା ନିଷ୍କ୍ରିୟ ସମୟରେ ପ୍ରଦୀପଙ୍କ ଅବହେଳା ଦିଗ ପ୍ରତି ସମସ୍ତେ ବୟାନ ଦେଇଥିବା କୁହାଯାଉଛି।
ଓଡ଼ିଶା ପୁଲିସର ଯେଉଁ ପରାମର୍ଶବଳୀ ବାଣ ଫୁଟାଇବାକୁ ନେଇ ସ୍ଥିର କରାଯାଇଛି, ଏହାକୁ ସେଦିନ ପାଳନ କରାଯାଇ ନଥିବା ଜଣାପଡ଼ିଛି। ଗୋଟିଏ ପଟେ ସାକ୍ଷୀଙ୍କ ବୟାନ ରେକର୍ଡ ସରିଥିବା ବେଳେ ଅନ୍ୟପଟେ ଜିଲ୍ଲା ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ୍ ଅବଶିଷ୍ଟ ବାଣ ନିଷ୍କ୍ରିୟ କରିସାରିଛି। ବୋମା ନିଷ୍କ୍ରିୟକାରୀ ଦଳ ଏ ସଂକ୍ରାନ୍ତରେ ଏକ ସାର୍ଟିଫିକେଟ୍ ସଦର ଥାନା ପୁଲିସକୁ ଖୁବ୍ଶୀଘ୍ର ଦେବାକୁ ଯାଉଛି। ଅନ୍ୟପଟେ ମୃତ ପ୍ରଦୀପଙ୍କ ବଡ଼ ଡାକ୍ତରଖାନାରେ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟ ବଡ଼ ଡାକ୍ତରଖାନା ଫରେନସିକ୍ ମେଡିସିନ୍ ଏଣ୍ଡ ଟକ୍ସିକୋଲଜି(ଏଫ୍ଏମ୍ଟି) ବିଭାଗ ପକ୍ଷରୁ ସଦର ଥାନା ପୁଲିସକୁ ମଧ୍ୟ ପ୍ରଦାନ କରାଯିବ। ଦୁଇଟି ରିପୋର୍ଟ ସହିତ ସଦର ଥାନାରେ ରୁଜୁ ହୋଇଥିବା ମାମଲାରେ ଯୋଡ଼ାଯାଇ ଏଡିସିପି ଶ୍ରୀ ମିଶ୍ରଙ୍କୁ ପ୍ରଦାନ କରାଯିବ। ଏହି ରିପୋର୍ଟ ଡିସିପିଙ୍କ ନିକଟରେ ଦାଖଲ କରାଯିବ। କେଉଁ ପରିସ୍ଥିତିରେ ପ୍ରଦୀପଙ୍କ ମୃତ୍ୟୁ ହେଲା, ଏ ନେଇ ସରକାରୀ ପ୍ରମାଣ ସ୍ବରୂପ ରିପୋର୍ଟ ଦାଖଲ କରାଯିବ।
Follow Us