ପଶ୍ଚିମ ଓଡ଼ିଶାକୁ ଧକ୍କା : ଇସ୍ତାହାରରେ ସ୍ଥାନ ପାଇନି ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ

Advertisment
ପଶ୍ଚିମ ଓଡ଼ିଶାକୁ ଧକ୍କା : ଇସ୍ତାହାରରେ ସ୍ଥାନ ପାଇନି ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ

ସମ୍ବଲପୁର : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ଦାବି ନେଇ ୫ ମାସ ଧରି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହେଲା ଆନ୍ଦୋଳନ। ଏପରିକି ସମ୍ବଲପୁର, ବଲାଙ୍ଗୀର ଭଳି ପ୍ରମୁଖ ଜିଲ୍ଲା ଏକ ପ୍ରକାର ଠପ୍ ହୋଇ ଯାଇଥିଲା। ମାତ୍ର ବିଜେଡି ଏବଂ ବିଜେପି ଭଳି ପ୍ରମୁଖ ରାଜନୈତିକ ଦଳ ଏହାକୁ ନିର୍ବାଚନୀ ଇସ୍ତହାରରେ ମଧ୍ୟ ସାମିଲ କରି ନାହାନ୍ତି। କଂଗ୍ରେସ ନିଜ ଇସ୍ତହାରରେ ହାଇକୋର୍ଟ ବେଞ୍ଚ ନେଇ ସ୍ପଷ୍ଟ କରିନଥିଲେ ମଧ୍ୟ ହାଇକୋର୍ଟ ବେଞ୍ଚ(ସର୍କିଟ ବେଞ୍ଚ) ନେଇ ଗଠିତ କମିସନ ୨୦୧୪ ମସିହା ମେ ୩୧ ତାରିଖରେ ରିପୋର୍ଟ ଦାଖଲ କରିଛି। ଏହି ରିପୋର୍ଟ ବିଧାନସଭାରେ ଉପସ୍ଥାପିତ କରାଯିବ ବୋଲି କୁହାଯାଇଛି। ହାଇକୋର୍ଟ ବେଞ୍ଚ ପ୍ରସଙ୍ଗକୁ ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ଇସ୍ତାହାରରେ ସାମିଲ ନକରିବା ନେଇ ସମ୍ବଲପୁର ଓକିଲ ସଂଘ ବିଜିତେନ୍ଦ୍ରୀୟ ପ୍ରଧାନ ସମାଲୋଚନା କରିଛନ୍ତି।

ନିର୍ବାଚନ ସମୟରେ ସ୍ଥାନ ସହିତ ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ ନେଇ ନିଜକୁ ସ୍ପଷ୍ଟ କରିବା ପାଇଁ ଆହ୍ବାନ କରିଥିଲା ସିଏସି। ମାତ୍ର ସ୍ଥାନ ପ୍ରସଙ୍ଗ ତେଣିକି ଥାଉ, ହାଇକୋର୍ଟ ବେଞ୍ଚ ନେଇ ମଧ୍ୟ ସ୍ପଷ୍ଟ କରି ନାହାନ୍ତି ପ୍ରମୁଖ ରାଜନୈତିକ ଦଳ। ବିଜେଡି ପକ୍ଷରୁ ଜାରି ଇସ୍ତହାରରେ ସ୍ବତନ୍ତ୍ର ଭାବରେ ପଶ୍ଚିମ ଓଡ଼ିଶା ଏବଂ କେବିକେ ପାଇଁ କଣ କାର୍ଯ୍ୟ କରାଯିବ ଏହାର ସୂଚନା ଦିଆଯାଇଛି। ଏଥିରେ ସମ୍ବଲପୁରୀ/କୋଶଲୀ ଭାଷା, ଜଳସେଚନ ଭଳି ପ୍ରତିଶ୍ରୁତି ରହିଥିଲେ ମଧ୍ୟ ହାଇକୋର୍ଟ ବେଞ୍ଚ ନେଇ ପଦୁଟିଏ ମଧ୍ୟ ନାହିଁ। ଏହା ହାଇକୋର୍ଟ ବେଞ୍ଚ ଆନ୍ଦୋଳନ ପାଇଁ ଧକ୍କା ଅଟେ। ବ୍ୟକ୍ତିଗତ ଇସ୍ତହାରରେ ସମ୍ବଲପୁର ବିଜେଡି ବିଧାୟିକା ପ୍ରାର୍ଥୀ ଡ.ରାସେଶ୍ବରୀ ପାଣିଗ୍ରାହୀ ସମ୍ବଲପୁରରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ବିଷୟରେ ଉଲ୍ଲେଖ କରିଥିବାବେଳେ ଅଶ୍ବିନୀ ପୂଜାହାରୀ ସ୍ଥାନ ବିଷୟରେ ଉଲ୍ଲେଖ ନକରି ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର ପ୍ରତିଶ୍ରୁତି ଦେଇଛନ୍ତି। ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ରଙ୍କ ବ୍ୟକ୍ତିଗତ ଇସ୍ତାହାର ବର୍ତ୍ତମାନ ଲୋକାର୍ପଣ ହୋଇନାହିଁ। ହାଇକୋର୍ଟ ବେଞ୍ଚ ଦୁଇ ସରକାରଙ୍କ ପ୍ରସଙ୍ଗ। ଏଥିରେ ରାଜନୈତିକ ଦଳ ନିଜକୁ ସ୍ପଷ୍ଟ ନକଲେ ଏଥିରେ ବ୍ୟକ୍ତିଗତ ପ୍ରାର୍ଥୀଙ୍କ ମୂଲ୍ୟ କେତେ ସେ ନେଇ ପ୍ରଶ୍ନବାଚୀ। ପଶ୍ଚିମ ଓଡ଼ିଶାର ୯ ଜିଲ୍ଲାର ସ୍ବାର୍ଥ ସହିତ ଜଡ଼ିତ ହାଇକୋର୍ଟ ପ୍ରସଙ୍ଗ। ୨୦୧୪ ମସିହାରେ ଏହାକୁ ନେଇ ସମ୍ବଲପୁରରେ ପୌର ନିର୍ବାଚନ ବର୍ଜନ ହୋଇଥିଲା। ୨୦୧୮ ମସିହା ସେପ୍ଟେମ୍ବର ମାସରୁ ନିର୍ବାଚନ ଆଚରଣ ବିଧି ଲାଗୁ ପର୍ଯ୍ୟନ୍ତ ସମ୍ବଲପୁରରେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିଥିଲା। ବଲାଙ୍ଗୀରରେ ମଧ୍ୟ ଏହି ସ୍ଥିତି ଥିଲା। ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆଇନଜୀବୀମାନେ କାର୍ଯ୍ୟବନ୍ଦ କରିଥିଲେ। ଏହି ଚାପର ବଶବର୍ତ୍ତୀ ହୋଇ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ପତ୍ର ଆଦାନ ପ୍ରଦାନ ହୋଇଥିଲା। ଉଭୟ ସରକାର ପରସ୍ପର କୋର୍ଟକୁ ବଲ୍‌ ଫିଙ୍ଗିଥିଲେ। ମାତ୍ର ଆଜି ପର୍ଯ୍ୟନ୍ତ ହାଇକୋର୍ଟ ବେଞ୍ଚ ଦାବି ପୂରଣ ହୋଇ ପାରି ନାହିଁ। ଏପରିକି ହାଇକୋର୍ଟ ବେଞ୍ଚ ସମ୍ପର୍କରେ ହାଇକୋର୍ଟକୁ ସ୍ପଷ୍ଟ ରିପୋର୍ଟ ଲୋଡ଼ିବାରେ ବା ଚାପ ପକାଇବା ନେଇ କୌଣସି ସରକାର ଗୁରୁତ୍ବ ଦେଇନଥିବା ବିଭିନ୍ନ ସମୟରେ ଓକିଲ ସଂଘ ଅଭିଯୋଗ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe