ବିଷମକଟକ ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଦୁର୍ନୀତି ଘଟଣା: କୋଟିଏ ଟଙ୍କା ଜମା କରିବାକୁ ହାଇକୋର୍ଟଙ୍କ ନିର୍ଦେଶ

Advertisment

ଆଗୁଆ ଜାମିନ ଆବେଦନର ଶୁଣାଣି କରି ନିର୍ଦେଶ ଦେଲେ କୋର୍ଟ

ଆଗୁଆ ଜାମିନ ଆବେଦନର ଶୁଣାଣି କରି ନିର୍ଦେଶ ଦେଲେ କୋର୍ଟ

ଖଣି ଅତିରିକ୍ତ ନିର୍ଦ୍ଦେଶକଙ୍କୁ ହାଇକୋର୍ଟରୁ ଜାମିନ

The New Indian Express

ରାୟଗଡ଼ା: ବିଷମକଟକ ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ହୋଇଥିବା ଦୁର୍ନୀତିକୁ ନେଇ ଭିଜିଲାନସ୍ ମାମଲା ରୁଜୁ ହେବା ପରେ ଆଗୁଆ ଜାମିନ୍ ଆବେଦନ କରିଛନ୍ତି କିରାଣି ବନମାଳି କର। ଗିରଫଦାରୀକୁ ଏଡ଼ାଇବା ପାଇଁ ଶ୍ରୀ କର ହାଇକୋର୍ଟରେ ଜାମିନ୍ ଆବେଦନ କରିବା ପରେ କୋର୍ଟ ମାମଲାର ବିଚାର କରି ଟ୍ରାଏଲ୍ କୋର୍ଟରେ ୧ କୋଟି ଟଙ୍କା ଜମା କରିବାକୁ ନିର୍ଦେଶ ଦେଇଛନ୍ତି। ଜମା ସଂକ୍ରାନ୍ତ କାଗଜପତ୍ର କୋର୍ଟରେ ଦାଖଲ ପରେ ଜାମିନ୍ ଉପରେ ବିଚାର କରାଯିବ ବୋଲି ବିଚାରପତି ଜଷ୍ଟିସ୍ ସଙ୍ଗମ କୁମାର ସାହୁ ସ୍ପଷ୍ଟ କରିଛନ୍ତି।

ରାୟଗଡ଼ା ଜିଲ୍ଲା ବିଷମକଟକ ତହସିଲ ଅଧୀନରେ ଥିବା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ କିରାଣି ଭାବେ କାର୍ଯ୍ୟ କରୁଛନ୍ତି ବନମାଳି କର। ସ୍ଥାୟୀ ସବ୍ ରେଜିଷ୍ଟ୍ରାର୍ ପଦବି ଖାଲି ପଡିଥିବାରୁ ୨୦୧୨ ମସିହାରେ କନିଷ୍ଠ କିରାଣି ଶ୍ରୀ କରଙ୍କୁ ଡେପୁଟେସନରେ ଉପନିବନ୍ଧକଙ୍କ କାର୍ଯ୍ୟାଳୟକୁ ପଠାଯାଇଥିଲା। ଗତ ୧୦ ବର୍ଷ ଧରି ଶ୍ରୀ କର ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ରହି ରେଜିଷ୍ଟ୍ରେସନ୍ ଫି’ ସହ ଅନ୍ୟାନ୍ୟ ଫି’ ଆଦାୟ କରି ଆସୁଥିଲେ। ବିଷମକଟକ ତହସିଲଦାର ଏହାର ତଦାରଖ ଦାୟିତ୍ବରେ ଥିଲେ ମଧ୍ୟ କିରାଣି ଶ୍ରୀ କରଙ୍କ ଉପରେ ଭରସା କରି ଫି’ ଆଦାୟ ଏବଂ ସରକାରୀ ତହବିଲରେ ଦାଖଲ କରିବା ଦାୟିତ୍ବକୁ ନ୍ୟସ୍ତ କରିଥିଲେ। ଯାହାର ଫାଇଦା ଉଠାଇ ଶ୍ରୀ କର ଫି’ ବାବଦ ଆଦାୟ ଅର୍ଥରୁ କିଛି ପ୍ରତିଶତ ଜମା କରି ବାକି ଅର୍ଥ ହଡ଼ପ କରୁଥିଲେ।

୨୦୨୧-୨୨ ଆର୍ଥିକ ବର୍ଷରେ ଅଡିଟ୍ ଟିମର ଯାଞ୍ଚ ସମୟରେ ଘୋଟାଲା ସଂପର୍କରେ ଜଣା ପଡ଼ିଥିଲା। ଅଡିଟ୍ ଟିମ୍ ଏ ସଂପର୍କରେ ରାଜ୍ୟ ସରକାର, ରାଜସ୍ବ ବିଭାଗ ପ୍ରମୁଖ ଶାସନ ସଚିବ ଏବଂ ରାୟଗଡ଼ା ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ। ସରକାରୀ ତନାଘନା ଆରମ୍ଭ ପରେ ତଦନ୍ତରେ କିରାଣି ଶ୍ରୀ କର ସହଯୋଗ କରିବା ବଦଳରେ ଅସୁସ୍ଥତା ଦର୍ଶାଇ ଛୁଟିରେ ଥିବାରୁ କେତେ ଟଙ୍କା ହଡ଼ପ ହୋଇଛି ସେ ନେଇ ସ୍ପଷ୍ଟ ସୂଚନା ପାଇନଥିଲା ଜିଲ୍ଲା ପ୍ରଶାସନ।

ତେବେ ଭିଜିଲାନସ୍ ଏ ନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ପରେ ୨୦୧୬-୧୭ ଆର୍ଥିକ ବର୍ଷରୁ ୨୦୨୧-୨୨ ମଧ୍ୟରେ ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ବିଭିନ୍ନ ରେଜିଷ୍ଟ୍ରେସନ୍ ଫି’ ବାବଦକୁ ୨ କୋଟି ୨୭ ଲକ୍ଷ ୬୨ ହଜାର ୬୩୨ ଟଙ୍କା ଆଦାୟ ହୋଇଥିବା ଜଣା ପଡିଥିଲା। ସେଥି ମଧ୍ୟରୁ ବ୍ୟାଙ୍କରେ ୯୫ ଲକ୍ଷ ୪୩ ହଜାର ୬୧୫ ଟଙ୍କା ଜମା ହୋଇଥିବା ବେଳେ ୧ କୋଟି ୩୨ ଲକ୍ଷ ୧୯ ହଜାର ୧୭ ଟଙ୍କା କିରାଣି ଶ୍ରୀ କର ହଡ଼ପ କରିଥିବା ଭିଜିଲାନସ୍ ସ୍ପଷ୍ଟ ହେବା ପରେ ମାମଲା ରୁଜୁ କରିଥିଲା। ଘଟଣାର ପର୍ଦଫାଶ ପରେ ହଡ଼ପ ଟଙ୍କା ଦାଖଲ ପାଇଁ କିରାଣି ଶ୍ରୀ କରଙ୍କୁ ସରକାର ନିର୍ଦେଶ ଦେଇଥିଲେ। ହେଲେ ଆଜି ସୁଦ୍ଧା ମାତ୍ର ୧୮ ଲକ୍ଷ ଟଙ୍କା ଜମା କରିଛନ୍ତି ଶ୍ରୀ କର। ବାକି ଟଙ୍କା ଦାଖଲରେ କିରାଣି ଶ୍ରୀ କର ବିଫଳ ହେବା ପରେ ଗିରଫ ଭୟରେ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଛନ୍ତି। ଯାହାକୁ ହାଇକୋର୍ଟ ଅଗ୍ରାହ୍ୟ କରିବା ସହ ବକେୟା ୧ କୋଟି ଟଙ୍କା ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୧୬ ମସିହାରୁ ଦୀର୍ଘ ୬ ବର୍ଷ ଧରି ବିଷମକଟକ ଉପନିବନ୍ଧକଙ୍କ କାର୍ଯ୍ୟାଳୟ ଦୁର୍ନୀତିର ଗନ୍ତାଘର ପାଲଟିଥିଲା। ବିଭିନ୍ନ ଅଧିକାରୀଙ୍କୁ ହାତଗୁଞ୍ଜା ଦେଇ ଏହି କାରବାର ଚାଲିଥିଲେ ମଧ୍ୟ କ୍ୟାସ୍ ବୁକ୍ ଯାଞ୍ଚ, ନିୟମିତ ଅଡିଟ୍ ସମୟରେ ଦାୟିତ୍ବରେ ଥିବା ତହସିଲଦାର, ଡିଆରସିଏସ୍, ଅତିରିକ୍ତ ଜିଲ୍ଲାପାଳ ସାମାନ୍ୟ ସୁରାକ୍ ନ ପାଇପାରିବା ପ୍ରଶାସନର ସ୍ବଚ୍ଛତା ପ୍ରତି  ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe