ଧନତେରସ୍‌ରେ ତିନି କ୍ବିଣ୍ଟାଲ୍ ସୁନା କିଣିଲେ: ରାଜ୍ୟରେ ୧୩୦ କୋଟି ଟଙ୍କାରୁ ଅଧିକ ବିକ୍ରି

Advertisment

ଗତ ବର୍ଷ ତୁଳନାରେ ୧୫% ଅଧିକ

ଗତ ବର୍ଷ ତୁଳନାରେ ୧୫% ଅଧିକ

ୟୁଏଇକୁ ୧୫% ଗହଣା ରପ୍ତାନି କରିଛି ଭାରତ

A jewelery shop dislpays a range of ornaments on the day of Dhanteras at Zaveri Bazaar on Tuesday. Express photo by Janak Rathod. 17 October 2017, Mumbai.

ଭୁବନେଶ୍ବର: କରୋନା ମାଡ଼ ସତ୍ତ୍ବେ ସୁନା ପାଇଁ ଲୋକମାନଙ୍କ ମଧ୍ୟରେ ଆଗ୍ରହ ବଢ଼ି ବଢ଼ି ଚାଲିଛି। ଧନ୍‌ତେରସ୍‌ ଅବସରରେ ସୁନା କିଣିବା ଲାଗି ବଜାରରେ ଅସମ୍ଭବ ଭିଡ଼ ଦେଖିବାକୁ ମିଳିଛି। ଆଜି ଗୋଟିଏ ଦିନରେ ଲୋକମାନେ ୧୩୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସୁନା ଓ ଅନ୍ୟାନ୍ୟ ଅଳଙ୍କାର କିଣିଛନ୍ତି। ପ୍ରାୟ ୩ କ୍ବିଣ୍ଟାଲ୍ ସୁନା ବିକ୍ରି ହୋଇଥିବା ଏକ ହିସାବରୁ ଜଣାପଡ଼ିଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଧନତେରସରେ ବିକ୍ରି ପରିମାଣ ୧୫ ପ୍ରତିଶତରୁ ଅଧିକ ହୋଇଛି। କେବଳ ଭୁବନେଶ୍ବର ବଜାରରେ ଆଜି ୯୦ କୋଟି ଟଙ୍କା ପାଖାପାଖି ମୂଲ୍ୟର ସୁନା ଅଳଙ୍କାର ବିକ୍ରି ହୋଇଛି। ରାଜ୍ୟର ଅନ୍ୟ ପ୍ରମୁଖ ସହର କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ଓ ଅନୁଗୁଳ ଆଦିରେ ମଧ୍ୟ ବିକ୍ରିରେ ବୃଦ୍ଧି ଘଟିଛି।

ଚଳିତ ବର୍ଷ ଧନ୍‌ତେରସ୍‌ରେ ସୁନା ବିକ୍ରି ବଢ଼ିବାର ପ୍ରମୁଖ କାରଣ ହେଉଛି ସୁନା ମୂଲ୍ୟରେ ହୋଇଥିବା ହ୍ରାସ। ଗତବର୍ଷ ତୁଳନାରେ ଦାମ୍ ୩୦୦୦-୪୦୦୦ ଟଙ୍କା କମ୍ ରହିଛି। ଆଜି ଭୁବନେଶ୍ବରରେ ସୁନାର ୧୦ ଗ୍ରାମ୍ ପିଛା ଦାମ୍ ୪୫,୨୫୦ ଟଙ୍କା ରହିଛି। ‌ଆଗକୁ ବିବାହ ଋତୁ ଆସୁଥିବାରୁ ବର୍ତ୍ତମାନର ରିହାତି ଓ ଅଫରର ସୁଯୋଗ ନେଇ ଲୋକମାନେ ନିଜ ଆବଶ୍ୟକତା ଅନୁସାରେ ଆଜି ସୁନା କିଣିଛନ୍ତି। ଭୁବନେଶ୍ବର ଜନପଥ ଅଞ୍ଚଳରେ ଥିବା ପ୍ରମୁଖ ଗହଣା ସୋ’ରୁମ୍‌ଗୁଡ଼ିକରେ ଆଜି ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏଥର ଗ୍ରାହକମାନେ ସୁନା କାନଫୁଲ, ନାକଫୁଲ, ମୁଦି, ‌ଚୁଡ଼ି, ଚେନ୍ ଓ ହାର ଅଧିକ କିଣିଛନ୍ତି। ଜଣେ ଜଣେ ଗ୍ରାହକ ଆଜି ହାରାହାରି ୭୫ ହଜାର ଟଙ୍କାରୁ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ଗହଣା କିଣିଛନ୍ତି। ଗତବର୍ଷ ତୁଳନାରେ ଚଳିତ ବର୍ଷ ଧନ୍‌ତେରସ୍‌ରେ ଷ୍ଟୋର୍‌ରେ ପ୍ରବେଶ କରୁଥିବା ଗ୍ରାହକଙ୍କ ସଂଖ୍ୟାରେ ପ୍ରାୟ ଚାରି ଗୁଣ ବୃଦ୍ଧି ଘଟିଛି। କେବଳ ସୁନା ଅଳଙ୍କାର ନୁହେଁ, ଗ୍ରାହକମାନେ ହୀରା, ପ୍ଲାଟିନମ୍ ଓ ରୁପାରେ ତିଆରି ଅଳଙ୍କାର ମଧ୍ୟ କିଣିଛନ୍ତି।

ଧନ୍‌ତେରସ୍‌ ବିକ୍ରି ସମ୍ପର୍କରେ ଖିମ୍‌ଜୀ ଜୁଏଲର୍ସର ନିର୍ଦେଶକ ମିତେଶ ଖିମ୍‌ଜୀ ଓ ଲାଲ୍‌ଚାନ୍ଦ ଜୁଏଲର୍ସର ପ୍ରତିଷ୍ଠାତା ଅଧ୍ୟକ୍ଷ ସଞ୍ଜୟ ହଂସ କହିଛନ୍ତି ଯେ ସୁନା ବଜାର ପ୍ରାୟ ମହାମାରୀ ପୂର୍ବ ଅବସ୍ଥାକୁ ଫେରିଆସିଛି। ଗତବର୍ଷ ବିକ୍ରି ନିମ୍ନ ସ୍ତରକୁ ହ୍ରାସ ପାଇଥିଲା। ମିତେଶ କହିଛନ୍ତି ଯେ ମହାମାରୀ ପୂର୍ବରୁ ଯେଉଁଭଳି ବିକ୍ରି ହେଉଥିଲା ଆଜି ସେଥିରେ ପ୍ରାୟ ୯୦% ପର୍ଯ୍ୟନ୍ତ ସୁଧାର ଦେଖିବାକୁ ମିଳିଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ବିକ୍ରିରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହୋଇଛି। ପ୍ରାୟ ଦୁଇ ବର୍ଷ ଲକ୍‌ଡାଉନ୍ ଭଳି ସମସ୍ୟା ଦେଇ ଗତି କରିବା ପରେ ସୁନା କିଣିବା ବେଳେ ଗ୍ରାହକମାନଙ୍କ ମଧ୍ୟରେ ରହିଥିବା ଉତ୍ସାହ ଆଜି ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। ସେହିଭଳି ଶ୍ରୀ ହଂସ କହିଛନ୍ତି ଯେ ସରକାର ଠିକ୍ ସମୟରେ ଅଧିକ ସମୟ କାରବାର କରିବା ଲାଗି ଅନୁମତି ପ୍ରଦାନ କରିଥିବାରୁ ବିକ୍ରିରେ ବୃଦ୍ଧି ସମ୍ଭବ ହୋଇଛି। ଗ୍ରାହକମାନଙ୍କ ମନରେ ପୁଣି ଥରେ ବିଶ୍ବାସ ଦେଖିବାକୁ ମିଳୁଛି। ଅଧିକାଂଶ ଲୋକଙ୍କ ଟିକାକରଣ ହେବା, ଦୈନିକ କୋଭିଡ୍ ମାମଲାରେ ହ୍ରାସ ଆଦି ଯୋଗୁଁ ଲୋକମାନେ ଅଧିକ ଉତ୍ସାହିତ ହୋଇପଡ଼ିଛନ୍ତି। ଏବେ ତୈଳ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଲୋକମାନଙ୍କୁ କିଛିଟା ଚିନ୍ତାରେ ପକାଇଛି। କିନ୍ତୁ ସୁନା ଦାମ୍ ପୂର୍ବବର୍ଷ ତୁଳନାରେ କମ୍ ରହିବା କାରଣରୁ ଲୋକମାନେ କିଣାକିଣିରେ ଅଧିକ ନିବେଶ କରୁଛନ୍ତି। ଲୋକମାନେ ଏହାକୁ ଏକ ନିବେଶ ଓ ସମ୍ପତ୍ତି ଭାବେ ଦେଖୁଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe